ତରଭୁଜ ହ୍ରାସ କରେ ହୃଦରୋଗର ଆଶଙ୍କା

ତରଭୁଜ  ହ୍ରାସ କରେ ହୃଦରୋଗର ଆଶଙ୍କା

ଏବେ ଚାଲିଛି ଗ୍ରୀଷ୍ମ ଋତୁ। ଖରାକୁ ନେଇ ସବୁଠି ଆତଙ୍କ । ତାପମାତ୍ରା ହୁହୁ ହୋଇ ବଢୁଛି ।  ଦ୍ୱିପ୍ରହରରେ ଉତ୍ତପ୍ତ ପବନର ଝାସ, ଦେହରୁ ଗମ୍ ଗମ୍ ଝାଳ  ବହି ଯାଉଛି । ।ପ୍ରକୃତି ଆମ ପାଇଁ ଭରି ଦେଇଛି ଋତୁ ଅନୁଯାୟୀ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଫଳ । ଏହି ସ୍ୱତନ୍ତ୍ର ଫଳଗୁଡିକରେ  ଭିନ୍ନ ସ୍ୱାଦ ଓ ଭିନ୍ନ ମହକ ଭରି ରହିଥାଏ । ଖରା ଆସିଲେ ମସସ୍ତଙ୍କର ପ୍ରିୟ ହୋଇଥାଏ ତରଭୁଜ । ତରଭୁଜ ଦେଖିବାକୁ ଯେମିତି ଆକର୍ଷଣୀୟ ଖାଇବାକୁ ସେମିତି ନରମ । ତେଣୁ ସବୁ ବର୍ଗର ଲୋକେ ଏହାକୁ ପସନ୍ଦ କରିଥାନ୍ତି ।

ତରଭୁଜ କ୍ଷୁଧା-ତୃଷା ଉଭୟ ନିବାରଣ କରିଥାଏ। ଗାଁଠାରୁ ଆରମ୍ଭ କରି ସହରର ରାସ୍ତା ପାଶ୍ୱର୍ରେ ଫଳ ବ୍ୟବସାୟୀ ମେଲାଇ ଦିଅନ୍ତି ତରଭୁଜର ପସରା । ତରଭୁଜ ଯେ କେବଳ ଶରୀରକୁ ସତେଜ ରଖେ ତାହା ନୁହେଁ ବରଂ ଶରୀରରୁ ଜଳୀୟ ଅଂଶ କମ୍ ହେବାକୁ ଦିଏ ନାହିଁ । କଞ୍ଚାବେଳେ ଏହାକୁ ତରକାରୀ ଭାବରେ ଖିଆଯାଏ । ଖରାଦିନେ ଶରୀରରୁ ଯେଭଳି ଝାଳ ବାହାରେ ତଦ୍ୱାରା ଦେହରୁ ଜଳୀୟ ଅଂଶ କମି ହାଲିଆ ଲାଗେ । ତେବେ ଏହି ସମୟରେ ତରଭୁଜ ଖାଇବା ଦ୍ୱାରା ଶରୀରରୁ ନିର୍ଗତ ହୋଇ ଯାଇଥିବା ଜଳୀୟ ଅଂଶ ବଜାୟ ରହେ ।

ଜଳୀୟ ଅଂଶଯୁକ୍ତ ଖାଦ୍ୟ ମଧ୍ୟରେ ତରଭୁଜ ଅନ୍ୟତମ । ତରଭୁଜରେ ୯୨ ଶତକଡା ଜଳ ରହିଥାଏ । ଏହା ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ସହିତ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଅତ୍ୟଧିକ ଗରମ ଯୋଗୁଁ ମନୁଷ୍ୟ ଶରୀରରୁ ଆବଶ୍ୟକତା ଠାରୁ ଅଧିକ ଝାଳ ବାହାରିଯାଏ, ଯଦ୍ୱାରା ଶରୀର ଅସନ୍ତୁଳିତ ହୋଇଥାଏ ।  ଦୁଇରୁ ତିନି ଗ୍ଲାସ୍ ତରଭୁଜ ସର୍ବତ ପିଇବା ଦ୍ୱାରା ଶରୀରରେ ଅସନ୍ତୁଳନତା ଦୂର ହୁଏ ।