୨୦ରୁ ପୁଣି ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତି
ଭୁବନେଶ୍ୱର: ପୁଣି ଫେରିବ ଗ୍ରୀଷ୍ମଲହରୀ। ୨୦ରୁ ରାଜ୍ୟରେ ପୁଣିଥରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ। ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଗରମ ବାୟୁ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଏହାସହ କାଳବୈଶାଖୀ ଅଭାବ ଓ ନିର୍ମଳ ଆକାଶ ଯୋଗୁଁ ସୂର୍ୟ୍ୟକିରଣ ମଧ୍ୟ ପ୍ରଖର ହୋଇଛି। ଏଥିପାଇଁ ରାଜ୍ୟରେ ଆହୁରି ୨-୪ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ, ଶନିବାର ଓ ରବିବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବ। ଏହା ପରେ ରାଜ୍ୟରେ ସ୍ଥିତି ଜଟିଳ ହେବ। ଗ୍ରୀଷ୍ମ ଲହରୀ ଆରମ୍ଭ ହୋଇଯିବ। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବାର ଆଶଙ୍କ ରହିଛି। ରବିବାର ମଧ୍ୟ ଏହି ଜିଲ୍ଲାଗୁଡ଼ିକରେ ସମାନ ସ୍ଥିତି ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ତେବେ ୨୦ ତାରିଖରୁ ଏହି ସ୍ଥିତି ଆହୁରି ଜଟିଳ ହେବା ସହ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ।