ଆଜି ଯଦି ନିର୍ବାଚନ ହୁଏ :ପୁଣି ମୋଦି ସରକାର
ଆଜି ଯଦି ନିର୍ବାଚନ ହୁଏ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଢ଼ିବେ । ଏନଡ଼ିଏ ୩୨୪ ଆସନରେ ବାଜିମାତ୍ କରିବ । ଯେତେବେଳେକି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟ ୨୦୮ ଆସନ ପାଇବ । ଗତ ନିର୍ବାଚନରେ ଏନଡ଼ିଏ ୨୯୩ ଆସନ ପାଇଥିବାବେଳେ ଇଣ୍ଡି ମେଣ୍ଟ ୨୩୪ ଆସନ ପାଇବ । ତାହାକୁ ହିସାବକୁ ନେଲେ ଏନଡ଼ିଏ ବଢ଼ିଥିବାବେଳେ ଇଣ୍ଡି ମେଣ୍ଟର ଆସନ ହ୍ରାସ ପାଇବ । କିନ୍ତୁ ଫେବୃଆରୀ ମାସର ମୁଡ଼ ଅଫ ନେସନ୍ ସର୍ଭେ ପରିଣାମକୁ ଅନୁଶୀଳନ କଲେ ସଦ୍ୟତମ ରିପୋର୍ଟ ମୋଦିଙ୍କୁ ଚିନ୍ତାରେ ପକାଇଦେବ । ଗତ ଫେବୃଆରୀରେ ବିଜେପି ୩୪୩ ଓ କଂଗ୍ରେସ ୧୮୮ ଆସନ ପାଇବ ବୋଲି ସର୍ଭେରୁ ଜଣାପଡ଼ିଥିଲା । ଅତଏବ ସଦ୍ୟତମ ରିପୋର୍ଟ ଅନୁଯାୟୀ ଏନଡ଼ିଏର ସିଟ୍ ସଂଖ୍ୟା ୧୯ ହ୍ରାସ ପାଇଥିବାବେଳେ ଇଣ୍ଡିର ଆସନ ସଂଖ୍ୟା ୨୦ ବୃଦ୍ଧି ପାଇଛି ।
ଜୁଲାଇ ପହିଲାରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଇଣ୍ଡିଆ ଟୁଡ଼େ-ସି ଭୋଟର ମୁଡ଼ ଅଫ ନେସନ ସର୍ଭେ ହୋଇଥିଲା । ସର୍ଭେରେ ୫୪୭୮୮ ଜଣ ସାମିଲ୍ ହୋଇଥିଲେ । ସେହିପରି ୧ ଲକ୍ଷ ୫୨ ହଜାର ଲୋକଙ୍କର ମତାମତ ସିଭୋଟର ପକ୍ଷରୁ ନିଆଯାଇଥିଲା । ଅର୍ଥାତ୍ ମୋଟ୍ ଉପରେ ୨ ଲକ୍ଷ ୬୮୨୬ ଜଣ ସର୍ଭେରେ ସାମିଲ୍ ହୋଇ ମତବ୍ୟକ୍ତ କରିଛନ୍ତି । ୨୦୨୪ ନିର୍ବାଚନରେ ବିଜେପି ୫୪୩ ଆସନରୁ ୨୪୦ ଆସନ ପାଇଥିଲା । ଏକାକୀ ସରକାର ଗଢ଼ିବା ପାଇଁ ୨୭୨ ଆସନର ଆବଶ୍ୟକତା ଥିବାବେଳେ ବିଜେପି ୩୨ ଆସନ ପଛରେ ରହିଥିଲା । ତେବେ ଏନଡ଼ିଏର ସହଯୋଗୀ ଦଳଙ୍କ ପାଇଁ ସଂଖ୍ୟା ୨୯୩ ପହଁଚିବାରୁ ମୋଦି ସରକାର ଗଢ଼ି ପାରିଥିଲେ । ତେବେ ୪୦୦ ଲକ୍ଷ୍ୟରୁ ବହୁ ପଛରେ ପଡ଼ି ଯାଇଥିଲେ । ସେହିପରି ଦଳ ଅନୁଯାୟୀ ସର୍ବେକ୍ଷଣ ହେଲେ, ବିଜେପି ୨୬୦ ଆସନ ହାସଲ କରିବ । ତେବେ ଫେବୃଆରୀରେ ୨୮୧ ଆସନ ପାଇବ ବୋଲି ଆକଳନ କରାଯାଇଥିଲା ।