ହିଟ୍‌ ଓ୍ବେଭ୍‌: ଏସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ହିଟ୍‌ ଓ୍ବେଭ୍‌: ଏସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ନିକଟବର୍ତ୍ତୀ ହୋଇଥିଲା। ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୧.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା। ବଲାଙ୍ଗୀରରେ ୪୦.୮ ଡିଗ୍ରୀ, ବୌଦ୍ଧରେ ୪୦.୫ ଡିଗ୍ରୀ, ସୋନପୁରରେ ୪୦.୨ ଡିଗ୍ରୀ, ହୀରାକୁଦରେ ୪୦.୧ ଡିଗ୍ରୀ ତାପମାତ୍ରା ରହିଥିଲା। ତେବେ ଆସନ୍ତା ୩ଦିନ ହିଟ୍‌ ଓ୍ବେଭ୍‌ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଶୁକ୍ରବାର ସମ୍ବଲପୁର ଓ ବୌଦ୍ଧରେ ହିଟ୍‌ଓ୍ବେଭ୍‌ ଜନଜୀବନକୁ ବିଶେଷ ପ୍ରଭାବିତ କରିପାରେ ଓ ଏଥିପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨୯ ତାରିଖ ବେଳକୁ ହିଟ୍‌ଓ୍ବେଭ୍‌ ପରିମାଣ ବଢ଼ିବାକୁ ଥିବାବେଳେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି। ୩୦ ତାରିଖରେ ଏହି ସବୁ ଜିଲା ସହ ବରଗଡ଼ ଓ ସୁନ୍ଦରଗଡ଼ ଜିଲାକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏପ୍ରିଲ ୨ରେ ବିଭିନ୍ନ ଜିଲାରେ କାଳବୈଶାଖୀ ସମ୍ଭାବନା ରହିଛି।