ଚୋରା ଚାଲାଣ ବାଲି ଗାଡି ଅଟକାଇ ଜିମାଦେଲେ ଲୋକେ
ଆନନ୍ଦପୁର : ବାରମ୍ବାର ବିଭିନ୍ନ ବାଲି ଘାଟରୁ ବାଲି ଚୋରି ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ସେହିପରି ଜୁନ ୫ ତାରିଖରୁ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ସରକାରୀ ଭାବେ ସାରା ରାଜ୍ୟରେ ବାଲି ଉତୋଳନକୁ ସରକାର ବ୍ୟାନ କରିଛନ୍ତି । ତେବେ ଏହାର ବିପରୀତ ଦେଖିବାକୁ ମିଳୁଛି ସମଗ୍ର ଆନନ୍ଦପୁର ଉପଖଣ୍ଡରେ । ସ୍ପଷ୍ଟ ଦିବାଲୋକରେ ହାଟଡିହି ତହସିଲ ଅଧିନ ଗିରିଗାଁ, ହବଳେଶ୍ୱର, ଅମୃତପୁର ଏବଂ ଡିମିରିଆ ବାଲିଘାଟରୁ ଦୈନିକ ଶହେରୁ ଅଧିକ ବାଲି ଟ୍ରକ ଓଡିଶା ବାହାରକୁ ଚାଲାଣ ହେଉଥିବା ବେଳେ, ସ୍ଥାନୀୟ ପ୍ରଶାସନ ଏବଂ ଲଘୁଖଣିଜ ବିଭାଗ କିଛି ଜାଣି ନପାରିବା କେଉଁଠି ନା କେଉଁଠି ଏମାନଙ୍କ ପ୍ରତି ସନେ୍ଦହ ଶୃଷ୍ଟି କରୁଛି । ସୂଚନା ଅନୁଯାୟୀ, ହାଟଡିହି ତହସିଲ ଅଞ୍ଚଳରୁ କୌଣସି ଏକ ବେଆଇନ ବାଲି ଘାଟରୁ ୬ଟି ହାଇୱା ବିନା ଟ୍ରାଞ୍ଜିଷ୍ଟରେ ବାଲି ଉତୋଳନ କରି ଆନନ୍ଦପୁର ଦେଇ ବାହାରକୁ ଯାଉଥିଲେ । ତେବେ ବ୍ରିଜ ଛକ ନିକଟରେ ସ୍ଥାନୀୟ ସାଧାରଣ ଜନତା ଗାଡିକୁ ଅଟକାଇ ଥିଲେ ମଧ୍ୟ ଦୁଇଟି ହାଇୱା ଦ୍ରୁତ ଗତିରେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ବାକି ୪ଟି ହାଇୱାକୁ ପୁଲିସକୁ ସ୍ଥାନୀୟ ଲୋକେ ଜିମା ଦେଇଥିଲେ । ଆନନ୍ଦପୁର ପୁଲିସ ଏହି ବାଲି ଗାଡିକୁ ଖଣି ବିଭାଗକୁ ହସ୍ତାନ୍ତର କରି ନିଜର ଦାୟିତ୍ୱ ଶେଷ କରିଦେବ ଏବଂ ଖଣି ବିଭାଗ ବାଲି ଗାଡିର ମାଲିକ ସହିତ ମୁଲଚାଲ କରି ନାମକୁ ମାତ୍ର କିଛି ଫାଇନ କରି ଛାଡ଼ିଦେବ ତାହା ସନେ୍ଦହ ଶୃଷ୍ଟି କରୁଛି । ବାଲି କେଉଁ ଘାଟରୁ ଆସିଲା, କେମିତି ଆସିଲା, କିଏ ଲୋଡ଼ ଦେଲା, ବେଆଇନ ଘାଟରେ ଥିବା ମେସିନକୁ ଜବତ କରାଯିବକି ନାହିଁ, ଗାଡି ମାଲିକ ସହିତ କିଏ ଯୋଗାଯୋଗ କରିଥିଲା ଏହି ବେଆଇନ ବାଲି ଘାଟ ମାଫିଆମାନେ କିଏ ଏହାର ତଦନ୍ତ ସମ୍ପୃକ୍ତ ବାଲିଘାଟ ଅଧୀନରେ ଥିବା ପୁଲିସ ବାବୁ ତଦନ୍ତ କରିବେ ତ ? ଯେଉଁ ଗ୍ରାମ୍ୟ ବିଭାଗ ରାସ୍ତା ଦେଇ ଗାଡି ଯାଉଛି ବିଭାଗ କାର୍ଯ୍ୟାନୁଷ୍ଠାନ ନେବକି ନାହିଁ ଏବଂ ସର୍ବୋପରି ପ୍ରଶାସନ ଏଥିପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ କି ନାହିଁ ତାହା ବର୍ତମାନ ସମୟରେ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ଉଛିଛି ।