୨୧ରୁ ୨୪ ଆଶ୍ୱସ୍ତି, ୨୫ରୁ ବଢ଼ିବ ତାତି

୨୧ରୁ ୨୪ ଆଶ୍ୱସ୍ତି, ୨୫ରୁ ବଢ଼ିବ ତାତି


ତାତିରୁ ତ୍ରାହି ନାହିଁ  । ଆସନ୍ତା ୨୧ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମଲହର ହେବ  । ତେବେ କାଳବୈଶାଖୀ ଯୋଗୁଁ ୨୧ରୁ ୨୪ ପର୍ଯ୍ୟନ୍ତ ଆଶ୍ୱସ୍ତି ମିଳିବ  । ପୁଣି ୨୫ରୁ ଶୁଷ୍କ ବାୟୁ ପ୍ରବାହିତ ହେବା ସହ ତାତିରେ ବୃଦ୍ଧି ପରିଲକ୍ଷିତ ହେବ  । ଆଜି ରାଜ୍ୟର ୧୨ ଜିଲ୍ଲାରେ ଗ୍ରୀଷ୍ମଲହର ଅନୁଭୂତ ହୋଇଥିଲା  । ଆସନ୍ତାକାଲି ପାଇଁ ମଧ୍ୟ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି  । ବୌଦ୍ଧର ତାପମାତ୍ରା ୪୪.୩ ଡିଗ୍ରୀ ଛୁଇଁଥିବାବେଳେ ଅପ୍ରେଲରେ ୭ ଦିନ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି  ।
ଆଜି ରାଜ୍ୟର ମୟୂରଭଞ୍ଜ, ବୌଦ୍ଧ, କଟକ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନବରଙ୍ଗପୁର, ଗଞ୍ଜାମ, ଖୋର୍ଦ୍ଧା, ଦେବଗଡ଼ ଏବଂ ଢେଙ୍କାନାଳ ଜିଲ୍ଲାରେ ଗ୍ରୀଷ୍ମଲହରୀ ଅନୁଭୂତ ହୋଇଛି  । ଚଳିତ ଅପ୍ରେଲରେ ୭ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇସାରିଛି  । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ  । ତେବେ ୨୧ରୁ ୨୪ ପର୍ଯ୍ୟନ୍ତ କାଳବୈଶାଖୀ ହେବ  । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି  । ଯାହାଫଳରେ ସାମୟିକ ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଛି  ।  ତେବେ ୨୫ ଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ପାଇବ  । ଫଳରେ ତାପମାତ୍ରା ପୁଣି ବଢ଼ିବାର ସମ୍ଭାବନା ରହିଛି  । ଅପ୍ରେଲ ଶେଷ ଆଡକୁ ଗ୍ରୀଷ୍ମ ଲହରୀ ସହ କିଛି ଅଞ୍ଚଳରେ ଉଷ୍ମ ଆଦ୍ର ପାଣିପାଗ ପରିସ୍ଥିତି ସୃଷ୍ଟିହେବାର ସମ୍ଭାବନା ଅଛି  ।