ପଦ୍ମ ଧରିଲେ ସୀମାରାଣୀ

ପଦ୍ମ ଧରିଲେ ସୀମାରାଣୀ

ଭୁବନେଶ୍ୱର: ପଦ୍ମ ଧରିଲେ ସୀମାରାଣୀ । ବିଜେଡିରୁ ଇସ୍ତଫା ଦେବା ପରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ ବିଜେପି ସଭାପତି ସମୀର ନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ସେ ଦଳରେ ମିଶିଛନ୍ତି । ସୀମାରାଣୀଙ୍କ ସହ ତାଙ୍କର ବହୁସଂଖ୍ୟାରେ ସମର୍ଥକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେପିରେ ମିଶିବା ପରେ ହିନ୍ଦୋଳ ବିଧାୟିକା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି । ୧୦ ବର୍ଷ ହିନ୍ଦୋଳରେ ବିଧାୟିକା ଭାବେ ଅନେକ କାର୍ୟ୍ୟ କରିଛି ମାତ୍ର ବିଜେଡି ମୋ ସହ ପ୍ରତାରଣା କରିଛି । ହିନ୍ଦୋଳ ଅଞ୍ଚଳର କାହାକୁ ଟିକଟ ଦେଇଥିଲେ ମୋର ଆପତ୍ତି ନଥିଲା ମାତ୍ର ତାଳଚେରରୁ ଜଣକୁ ଆଣି ଟିକଟ ଦେବା ମୋତେ ବ୍ୟଥିତ କରିଛି । ବିଜେପି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ଜିତାଇବାରେ ସାହାଯ୍ୟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବୁ ବୋଲି କହିଛନ୍ତି । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୋମବାର ବିଜେଡିର ସପ୍ତମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ହିନ୍ଦୋଳ ବିଧାନସଭା ଆସନରୁ ଚଳିତ ଥର ବିଧାୟିକା ସୀମାରାଣୀ ନାୟକଙ୍କ ବଦଳରେ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୀମାରାଣୀ । ଟିକଟ୍ କଟିଲା ପରେ ବିଳମ୍ବିତ ରାତିରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।