ହୀରାକୁଦରେ ଖୋଲିଲା ୨୦ଟି ଗେଟ
କଟକ : ହୀରାକୁଦ ଡ୍ୟାମର ଆଜି ମୋଟ ୨୦ଟି ସ୍ଲୁଇସ ଗେଟ ଖୋଲାଯାଇଛି । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମରୁ ଛଡ଼ା ଯାଇଛି । ଆସନ୍ତା କାଲି ବିଳମ୍ବିତ ରାତି ସୁଦ୍ଧା କଟକର ମୁଣ୍ଡୁଳୀ ବ୍ୟାରେଜରେ ବନ୍ୟାଜଳ ପହଞ୍ଚିବ ବୋଲି ଆଶା କରାଯାଉଛି ବୋଲି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ହୀରାକୁଦ ଜଳ ଭଣ୍ଡାରରୁ ଋତୁର ପ୍ରଥମ ବନ୍ୟାଜଳ ଗ୍ରହଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି, ଯାହା ଆସନ୍ତା କାଲି ବିଳମ୍ବିତ ରାତିରେ ମୁଣ୍ଡୁଳି ବ୍ୟାରେଜରେ ପହଞ୍ଚିପାରେ । ଏହାକୁ ଦୃଷ୍ଟିରେ ରଖି ବୃଦ୍ଧି ପାଉଥିବା ଜଳସ୍ତର ଉପରେ କଡ଼ା ନଜର ରଖିବା ପାଇଁ ମୁଣ୍ଡୁଳି ଏବଂ ନରାଜ ବ୍ୟାରେଜରେ ଥିବା ନିୟନ୍ତ୍ରଣ କକ୍ଷଗୁଡ଼ିକୁ ସଜାଗ ରଖାଯାଇଛି ବୋଲି ସିନେ୍ଦ ସୂଚନା ଦେଇଛନ୍ତି । ସିନେ୍ଦ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଜିଲ୍ଲାରେ ଗୋଟିଏବି ନଦୀବନ୍ଧ ଦୁର୍ବଳ ଅବସ୍ଥାରେ ନାହିଁ । ସଂପୃକ୍ତ ଅଧିକାରୀଙ୍କ ସ୍ୱତନ୍ତ୍ର ଦଳ ନଦୀବନ୍ଧଗୁଡ଼ିକର ସର୍ଭେ କରିସାରିଛନ୍ତି । କିନ୍ତୁ ମହାନଦୀର ବନ୍ୟାଜଳ ଜିଲ୍ଲାର ବାଙ୍କୀ ଅଂଚଳର ଏକ ସ୍ଥାନରେ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ କରାଯାଇଛି । ଯଦି ନଦୀଜଳ ସ୍ଥାନୀୟ ଅଂଚଳରେ ପ୍ରବେଶ କରେ ତେବେ ପାଣି ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଅଞ୍ଚଳବାସୀଙ୍କୁ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ସିନେ୍ଦ କହିଛନ୍ତି । ଏହା ବ୍ୟତୀତ ଜିଲ୍ଲାର ସମସ୍ତ ବାତ୍ୟା/ବନ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ସତର୍କ କରାଯାଇଛି । ଆବଶ୍ୟକ ହେଲେ ଲୋକମାନଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
