ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ମୁହାଁମୁହିଁ : ବାବର ଆଜମ v/s ଶୁଭମନ୍ ଗିଲ୍

ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ମୁହାଁମୁହିଁ : ବାବର ଆଜମ v/s ଶୁଭମନ୍ ଗିଲ୍

ଆରମ୍ଭ ହୋଇ ସାରିଛି ଚାମ୍ପିୟନ୍ସ ଟ୍ରଫି । ଆଜି ପାକିସ୍ତାନ ତାର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ଭାରତ କାଲି ମୈଦାନକୁ ଓହ୍ଲାଇବ । ଆଉ ଫେବୃଆରୀ ୨୩ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଯେଉଁ ମ୍ୟାଚକୁ ଚାତକ ଭଳି ଚାହିଁ ରହିଛନ୍ତି ଫ୍ୟାନ । ହେଲେ ଏହି ମ୍ୟାଚ ପୂର୍ବରୁ ବଡ ଅପଡେଟ୍ ସାମ୍ନାକୁ ଆସିଛି ।  ଯାହା ଭାରତୀୟ ଫ୍ୟାନ୍ସଙ୍କୁ ଖୁସି କରିଦେଇଛି । କାରଣ ଆଇସିସି ରାଙ୍କିଙ୍ଗରେ ପାକିସ୍ତାନର ଟପ୍ ବ୍ୟାଟର ବାବର ଆଜମଙ୍କୁ ଚିତ୍ କରି ପ୍ରଥମ ସ୍ଥାନରେ ରହିଛନ୍ତି ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ।  ଦିନିକିଆ କ୍ରିକେଟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଗିଲଙ୍କ ଏହି ସଫଳତା ଭାରତ ପାଇଁ ବଡ ଉପଲବ୍ଧି । ବର୍ତ୍ତମାନ ଗିଲ୍ ସାରା ବିଶ୍ୱରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଗତ କିଛି ସମୟ ଧରି ଦମଦାର ଫର୍ମରେ ରହି ଆସିଥିଲେ । ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ଶତକୀୟ ପାଳି ଖେଳିଥିଲେ ଗିଲ, ଯାହା ତାଙ୍କୁ ଶୀର୍ଷରେ ପହଞ୍ଚାଇ ଥିଲା । ଏହା ଦ୍ବିତୀୟଥର ହୋଇଛି ଯେଉଁଠି ଯେଉଁଠି ଗିଲ୍ ଏକ ନମ୍ୱର ସ୍ଥାନ ହାସଲ କରିଛନ୍ତି । ଗିଲ୍ ୨୦୨୩ରେ ଆଇସିସି ବିଶ୍ୱକପ ଭିତରେ ଚିତ୍ କରି ଶୀର୍ଷ ସ୍ଥାନ ହାସଲ କରିଥିଲେ ।  ବାବର ଦ୍ୱିତୀୟ ସ୍ଥାନକୁ ଖସିବା ପରେ ଗିଲ ଉପରେ ରହିଛନ୍ତି । ତାଙ୍କ ଭିତରେ ୨୩ ଅଙ୍କର ବ୍ୟବଧାନ ରହିଛି । ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି । ଆଉ ସେ ଗିଲଙ୍କ ଠାରୁ ୪୫ ରେଟିଂ ପଛରେ ରହିଛନ୍ତି । ଯଦି ବୋଲିଂକୁ ନଜର ପକାଇବା ତେବେ ଶ୍ରୀଲଙ୍କାର ମହେଶ ଥିକ୍ଷସାନା ୧ ନମ୍ବର ସ୍ଥାନରେ ରହିଛନ୍ତି । ଆଉ ଭାରତର କୁଲଦୀପ ଯାଦବ ୪ ନମ୍ୱର ସ୍ଥାନରେ ରହିଛନ୍ତି । 

ଗିଲ ଖୁବ କମ ଦିନରେ ଏହି ସଫଳତା ପାଇଛନ୍ତି । ସେ ମାତ୍ର ୫୦ଟି ଦିନିକିଆ ମ୍ୟାଚ ଖେଳି ୨ ହଜାର ୫୮୭ ରନ କରିଛନ୍ତି । ଯେଉଁଥିରେ ୧୫ ଅର୍ଦ୍ଧଶତକ, ୭ ଶତକ ଓ ଗୋଟିଏ ଦ୍ବିଶତକ ସାମିଲ ଅଛି । ସେହିପରି ବାବର ଗିଲଙ୍କଠାରୁ ବହୁ ଆଗରେ ରହିଛନ୍ତି ସେ ୧୨୬ଟି ଦିନିକିଆ ଖେଳି ୬ ହଜାର ୧୯ ରନ କରିଛନ୍ତି । ଯେଉଁଥିରେ ୩୪ ଅର୍ଦ୍ଧଶତକ, ୧୯ ଶତକ ସାମିଲ ଅଛି ।  ଦିନିକିଆ ରାଙ୍କିଙ୍ଗରେ ଶୁଭମନ ଏକ ନମ୍ୱର ସ୍ଥାନରେ ରହିଛନ୍ତି ସତ । ହେଲେ ସବୁ ଫର୍ମ ଆଉ ପ୍ରଦର୍ଶନ ଉପରେ ନିର୍ଭର କରୁଛି । ପାକିସ୍ତାନ ବିପକ୍ଷରେ ଭାରତ ଗିଲଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରୁଛି । ତେବେ ଯାଇ ତାଙ୍କ ରାଙ୍କିଙ୍ଗର ମୂଲ୍ୟ ରହିବ । କେବଳ ଗିଲ ନୁହେଁ ରୋହିତ ବିରାଟ, ଆୟରଙ୍କ ଭଳ ଟପ ଅର୍ଡର ବ୍ୟାଟ୍ସମ୍ୟାନଙ୍କଠାରୁ ମଧ୍ୟ ବହୁତ କିଛି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଚଳିତ ବର୍ଷ ପାକିସ୍ତାନ ଆୟୋଜନ କରୁଛି ଚାମ୍ପିୟନ୍ସ ଟ୍ରଫି । ଭାରତ ପାକିସ୍ତାନ ଯିବାକୁ ମନା କରିବା ପରେ ହାଇବ୍ରିଡ ମଡେଲରେ ଖେଳାଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ତେଣୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ତେବେ ଦେଖିବା ବାକି ରହିଲା ଫେବୃଆରୀ ୨୩ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚରେ କିଏ ମାରିବ ବାଜି?