ଆଜି ବାରବାଟୀ ଟି-୨୦ ଲଢେଇ

ଆଜି ବାରବାଟୀ ଟି-୨୦ ଲଢେଇ
  • ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ: ସୂର୍ଯ୍ୟକୁମାର
  • ଭଲ ପ୍ରଦର୍ଶନ କରିବୁ: ମାକରମ
 
କଟକ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଏଥିପାଇଁ ବାରବାଟୀ ପଡ଼ିଆ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । କେବଳ ମୁକାବିଲାକୁ ଅପେକ୍ଷା । ୪୦ହଜାରରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋରଦାର ଲଢେ଼ଇ ହେବ । ଏହାପୂର୍ବରୁ ସୋମବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ବାରବାଟୀରେ ଅଭ୍ୟାସ କରିଛନ୍ତି । ମଂଗଳବାର ମହାମୁକାବିଲା ପାଇଁ ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଉପଅଧିନାୟକ ଶୁଭମନ ଗିଲ୍‌, ଓପନିଂ ବ୍ୟାଟ୍ସମ୍ୟାନ୍‌ ଅଭିଷେକ ଶର୍ମା, ତ୍ରିଲୋକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ସଂଜୁ ସାମସଙ୍ଗ, ଯଶପ୍ରୀତ ବୁମରା, କୁଳଦୀପ ଯାଦବ ଓ ଅନ୍ୟ ଖେଳାଳିମାନେ ଅଭ୍ୟାସ କରିଥିଲେ । ରନିଂ ଓ ବ୍ୟାୟାମ ସହିତ ଝାଳ ବୁହାଇ ଷ୍ଟାଡ଼ିୟମର ସ୍ଥିତିକୁ ଅତି ନିକଟରୁ ଖେଳାଳିମାନେ ପରଖି ଥିଲେ । ଅପରାହ୍ନ ସାଢେ଼ ୧ ଟାରୁ ୪.୩୦ ଯାଏ ଟିମ ଇଣ୍ଡିଆର ଖେଳାଳିମାନେ ବାରବାଟୀ ପଡ଼ିଆରେ ଯୋରଦାର ଅଭ୍ୟାସ କରିଥିଲେ । 
 
   ଅଭ୍ୟାସ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି । ଗିଲ୍‌ ଫିଟ ହୋଇ ଦଳକୁ ଫେରିଛନ୍ତି । ତେଣୁ ସେ ଦଳରେ ନିଜ ସ୍ଥାନ ପକ୍କା କରି ବାରବାଟୀରେ ଖେଳିବେ ବୋଲି ଅଧିନାୟକ ସୂର୍ଯ୍ୟକୁମାର ସୂଚନା ଦେଇଛନ୍ତି । ଟି-୨୦ ଫରମାଟରେ ଆସନ୍ତା ବିଶ୍ୱକପ ପ୍ରସ୍ତୁତିକୁ ନେଇ ଅଧିନାୟକ ସୂର୍ଯ୍ୟ କୁମାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢ଼ାଯାଏ ନାହିଁ ବୋଲି ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି । ତେଣୁ ଦଳ ୨୦୨୪ ଟି-୨୦ ବିଶ୍ୱକପ ପରଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଟିମ କମ୍ବିନେସନରେ ବେଶିକିଛି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଅଧିନାୟକ ସୂର୍ଯ୍ୟକୁମାର ସୂଚନା ଦେଇଛନ୍ତି । ଗତ ୫ ରୁ ୬ଟି ସିରିଜରେ ପରିବର୍ତ୍ତନ କରିନୁ, ଆଗକୁ ବି ଦଳରେ ବେଶୀ ଅଦଳବଦଳ କରିବୁ ନାହିଁ ବୋଲି ଅଧିନାୟକ କହିଛନ୍ତିା ସଂଜୁ ସାମସଙ୍ଗ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି । ପାଣ୍ଡ୍ୟା ଓ ଦୁବେ ଦୁହେଁ ଅଲରାଉଣ୍ଡର ତେଣୁ କାହାକୁ କାହା ସହିତ ତୁଳନା କରିବା ଠିକ ନୁହେଁ । ବାରବାଟୀରେ ଘରୋଇ ମ୍ୟାଚ ଖେଳିବାର ଅନୁଭୂତି ରହିଛି ବୋଲି ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି । 
   ସେହିପରି ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫ଟା ୩୦ ରୁ ୮ଟା ୩୦ ଯାଏ ବାରବାଟୀରେ ଅଭ୍ୟାସ କରିଥିଲେ । ଦକ୍ଷିଣ ଆଫ୍ରିକା କ୍ୟାପଟେନ ଏଡେନ ମାକରମ, ଟୋନୀ ଡି ଯୋରଜୀ, ରିଜା ହେଣ୍ଡ୍ରିକ୍ସ, ଡେଭିଡ଼ ମିଲର, ମାର୍କୋ ଯାନସେନ, କ୍ୱିଣ୍ଟନ ଡି କକ୍‌, କେଶବ ମହାରାଜ ଓ ଅନ୍ୟାନ୍ୟ ଖେଳାଳିମାନେ ବାରବାଟୀରେ ଜୋରଦାର ଅଭ୍ୟାସ କରିଥିଲେ । ଅଭ୍ୟାସ ପୂର୍ବରୁ ବାରବାଟୀରେ ଦକ୍ଷିଣ ଆଫ୍ରିକା ଅଧିନାୟକ ମାକରମ ପ୍ରେସ ମିଟ କରିଥିଲେ । ସେ କହିଛନ୍ତି, ଆମେ ଭଲ ପ୍ରଦର୍ଶନ କରିବୁ । ବିଗତ ମ୍ୟାଚ ଗୁଡ଼ିକ ଆମକୁ ଭଲ ଅନୁଭୂତି ଦେଇଛି । ଦିନିକିଆ ସିରିଜରେ ଆମେ ଭଲ ଖେଳିଛୁ । ଟି-୨୦ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି । 
   ସୂଚନାଯୋଗ୍ୟ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି-୨୦ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛିା ପ୍ରଥମ ମ୍ୟାଚ ଡିସେମ୍ବର ୯ ତାରିଖ ମଂଗଳବାର ସ୍ଥାନୀୟ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ । ସନ୍ଧ୍ୟା ୭ଟା ରେ ଏହି ମ୍ୟାଚ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଟସ୍‌ ଅଧଘଣ୍ଟା ପୂର୍ବରୁ ଅର୍ଥାତ ସନ୍ଧ୍ୟା ସାଢେ଼ ୬ଟାରେ ହେବ । ମ୍ୟାଚ ରାତି ପ୍ରାୟ ୧୧ଟା ରେ ଶେଷ ହେବ । ମ୍ୟାଚ ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ ଓ ୩୦୦ ଅଧିକାରୀ ମୃତୟନ ହେବେ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଷ୍ଟାଡ଼ିୟମ ପରିସରରେ ଏସଓଜି କମାଣ୍ଡ ମୁତୟନ ରହିବେ । ଏସଓଜି ଯବାନ ସମସ୍ତ ଗତିବିଧି ଉପରେ ନଜର ରଖିବେ । ପାଖାପାଖି ୨୦୦ଫୁଟ ଉଚ୍ଚରୁ ଏସଓଜି ଯବାନମାନେ ସମସ୍ତ ଗତିବିଧି ଉପରେ ନଜର ରଖିବେ । ବାରବାଟୀ ଟି-୨୦ ମ୍ୟାଚ ପାଇଁ ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛିା