ସୁପ୍ରିମକୋର୍ଟରେ ଦାରାଙ୍କ ଆବେଦନ


ାା ଏଜେନ୍ସି ।ା ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ଦାରା ସିଂହ ମୁକ୍ତି ପାଇଁ ଆରମ୍ଭ କରିଛନ୍ତି ଶେଷ ପ୍ରୟାସ । ଜେଲରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଏକ ମର୍ସି ପିଟିସନ ଦାଖଲ କରିଛନ୍ତି ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଲ । ଏଥିସହ ରାଷ୍ଟ୍ରପତିଙ୍କ ନିକଟରେ ବି ଦୟା ଆବେଦନ କରାଯାଇଛି ।  ମର୍ସି ପିଟିସନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିଜେ ଦାରା ସିଂହ । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ  । ରାଜ୍ୟ ସରକାରଙ୍କୁ ନୋଟିସ୍ କରି ମାମଲାର ପରିବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରିଛନ୍ତି ଅଦାଲତ । 
୧୯୯୯ ମସିଂର ଜାନୁଆରି ୨୩ ତାରିଖରେ ହୋଇଥିବା ଏହି ହତ୍ୟାକାଣ୍ଡ ମାମଲାରେ ଦାରା ସିଂହଙ୍କୁ ସେତେବେଳେ ଗିରଫ କରିଥିଲେ ତକôାଳୀନ କେନ୍ଦୁଝର ଏସପି ତଥା ନୂଆ କରି ଡିଜିପି ଭାବେ ଦାୟିତ୍ୱ ନେଇଥିବା ୱାଇ ବି ଖୁରାନିଆ  । ଏହି ମାମଲାରେ ସୁପ୍ରିମକୋର୍ଟ ଯେତେବେଳେ ଓଡିଶା ସରକାରଙ୍କ ମତାମତ ଲୋଡିଛନ୍ତି ସେହି ସମୟରେ ଖୁରାନିଆ ଡିଜିପି ହୋଇଥିବାରୁ ସରକାରଙ୍କ ଜବାବ ଉପରେ ଏବେ ରହିଛି ସମସ୍ତଙ୍କ ନଜର । ସେହିପରି ଦାରା ସିଂହଙ୍କ ସମେତ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମଙ୍କ ପାଇଁ ଦାୟର ହୋଇଛି ଦୟା ଆବେଦନ ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦୟା ଆବେଦନ କରିଛନ୍ତି ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ । ଏହି ଦୁଇ ଅଭିଯୁକ୍ତ ଏବେ ଗ୍ରାହାମ ଷ୍ଟେସନ ପୋଡି ମାମଲାରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଛନ୍ତି । ଯେହେତୁ ଦୀର୍ଘ ବର୍ଷ ହେବ କାରାଦଣ୍ଡା ଭୋଗିସାରିଲେଣି ତେଣୁ ନିୟମ ଅନୁଯାୟୀ ମର୍ସି ପିଟିସନ ଏବଂ ଦୟା ଆବେଦନ ହୋଇଛି । ୨୦୨୩ରେ ସ୍ୱତନ୍ତ୍ର ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ଦାରାଙ୍କ ପାଇଁ ଏହା ଶେଷ ପ୍ରୟାସ ବୋଲି କୁହାଯାଉଛି । ସୁପ୍ରିମକୋର୍ଟରେ ନିଜେ ଦାରା ସିଂ କରିଥିବା ଆବେଦନରେ ଦର୍ଶାଇଛନ୍ତି କି, ଆଜୀବନ ସଜ୍ଜାର ଅବଧି ୧୪ ବର୍ଷ । କିନ୍ତୁ ସେ ଏହାଠୁ ଢେର ଅଧିକ ଅର୍ଥାତ ୨୪ ବର୍ଷରୁ ଅଧିକ ଜେଲରେ ରହିଲେଣି । ରାଜୀବ ଗାନ୍ଧି ହତ୍ୟାକାରୀଙ୍କୁ ମିଳିଥିବା ଆଶ୍ୱସ୍ତିକୁ ସେ ଉଦାହରଣ ଭାବେ ଦର୍ଶାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଜଷ୍ଟିସ୍ ହୃଷିକେଶ ରାୟ ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ବେଞ୍ଚ ମାମଲାର ଶୁଣାଣି କରୁଛନ୍ତି । ପୂର୍ବରୁ ଷ୍ଟେଟ୍ ସେଣ୍ଟେନ୍ସ ରିଭୁ୍ୟ ବୋର୍ଡ ୨୦୨୨ ଜାନୁଆରି ୧୨ ତାରିଖରେ ଦାରାଙ୍କ ଆବେଦନକୁ ନାକଚ କରିଥିଲେ । ୨୦୨୨ ଅପ୍ରେଲ ୧୯ ତାରିଖରେ ପ୍ରସ୍ତାବ ଅନୁଯାୟୀ ତାଙ୍କୁ ମୁକ୍ତି ଲାଗି ୨୦୨୨ ସେପ୍ଟେମ୍ବର ମାସରେ ସୁପାରିସ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଦର୍ଶାଯାଇଛି ।  ରାଷ୍ଟ୍ରପତିଙ୍କ ନିକଟରେ ହୋଇଥିବା ଆବେଦନରେ ଆବେଦନକାରୀ ରାଜାସିଂହ ଲୋଧ ଦର୍ଶାଇଛନ୍ତି, ଜଣେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ଯେତେ ସମୟ ଜେଲରେ ରହିବା କଥା ଦାରା ସିଂହ ତାହାଠାରୁ ଅଧିକ ସମୟ ଜେଲ୍ରେ ବିତାଇ ସାରିଲେଣି । ତାଙ୍କ ବ୍ୟବହାର ଓ ସ୍ୱଭାବରେ ପରିବର୍ତ୍ତନ ଆସିଛି । ଦାରାଙ୍କ ବୟସ ଅଧିକ ହୋଇସାରିଲାଣି । ତେଣୁ ସମସ୍ତ ପ୍ରସଙ୍ଗକୁ ବିଚାର କରାଯାଇ ଦାରାଙ୍କୁ ମୁକ୍ତ କରାଯାଉ ବୋଲି ସେ ଅପିଲ୍ କରିଛନ୍ତି । ୨୦୦ରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମୃତୁ୍ୟ ଦଣ୍ଡାଦେଶ ଶୁଣାଇଥିଲେ । ୨୦୦୫ରେ ଓଡିଶା ହାଇକୋର୍ଟ ମୃତୁ୍ୟ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ । ପରେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ ।