ହୁଣ୍ଡିରେ ଖସିପଡିଲା ଶ୍ରଦ୍ଧାଳୁଙ୍କ ଆଇଫୋନ୍ :ମନ୍ତ୍ରୀ କହିଲେ ଏହା ଏବେ ଠାକୁରଙ୍କ ସମ୍ପତ୍ତି

 ଚେନ୍ନାଇ: ଦାନବାକ୍ସରେ ଟଙ୍କା ଦାନ କରୁଥିଲେ । ହେଲେ ଦୁର୍ଭାଗ୍ୟବସତଃ ସେହି ଦାନବାକ୍ସରେ ଗଳିପଡ଼ିଲା ଆଇଫୋନ୍ । ଏଥିରେ ହତବାକ ହୋଇ ଶ୍ରଦ୍ଧାଳୁ ଜଣକ ମନ୍ଦିର ପ୍ରଶାସନକୁ ଜଣାଇଥିଲେ ଏବଂ ତାଙ୍କ ଫୋନ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମନ୍ଦିର ପ୍ରଶାସନ ଦାନବାକ୍ସ ଖୋଲିବାକୁ ସଫା ସଫା ମନା କରି ଦେଇଥିଲେ । ଚେନ୍ନାଇ ଥିରୁପୋରୁର ନିକଟସ୍ଥ ଆରୁଲମିଗୁ କାନ୍ଦାସ୍ୱାମୀ ମନ୍ଦିରରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।

ଘଟଣା ଅନୁସାରେ ଦିନେଶ ନାମକ ଜଣେ ଶ୍ରଦ୍ଧାଳୁ ଆଜି କାନ୍ଦାସ୍ୱାମୀଙ୍କ ମନ୍ଦିର ବୁଲିବାକୁ ଆସିଥିବା ବେଳେ ସେ ଗୋଟିଏ ହାତରେ ଟଙ୍କା ଓ ନିଜ ଆଇଫୋନ୍ ଧରି ଟଙ୍କାକୁ ଦାନବାକ୍ସରେ ପକାଉଥିଲେ । କିନ୍ତୁ ଅସାବଧାନତାବସତଃ ଟଙ୍କା ସମେତ ଫୋନ୍ ବି ତାଙ୍କ ହାତରୁ ଖସି ପଡ଼ିଥିଲା । ଏଥିରେ ବ୍ୟସ୍ତବିବ୍ରତ ହୋଇ ଦିନେଶ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ମନ୍ଦିର କର୍ତ୍ତୃପକ୍ଷ ଏଥିରେ ଅକ୍ଷମତା ଦେଖାଇଥିଲେ । କର୍ତ୍ତୃପକ୍ଷ କହିଥିଲେ ଯେ, ଯଦି ତୁମେ ଚାହଁ ତେବେ ଡାଟା ରିକଭର୍ କରି ନେଇପାର; କିନ୍ତୁ ଫୋନ୍ ଦେଇ ହେବ ନାହିଁ ।

ତେବେ ଏ ଖବର ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକର ମନ୍ତ୍ରୀ ପିକେ ଶେଖର ବାବୁଙ୍କ ନିକଟରେ ପହଞ୍ଚô ଥିବା ବେଳେ ସେ ଏହା ଉପରେ ଅତି ରୋଚକପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଦାନବାକ୍ସରେ ଯାହା ପଡ଼ିଲା ତାହା ଭଗବାନଙ୍କର । ସେଥିରେ ଆଉ କାହାର ଅଧିକାର ନାହିଁ । ଏହାସହ ମନ୍ତ୍ରୀ କହିଛନ୍ତି ଯେ, ସମ୍ପୃକ୍ତ ଶ୍ରଦ୍ଧାଳୁଙ୍କୁ  ଆଇଫୋନ୍ର ମୂଲ୍ୟ ଅନୁଯାୟୀ ଅର୍ଥ ପ୍ରଦାନ କରାଯିବ । କିନ୍ତୁ ଦାନବାକ୍ସରୁ ଫୋନ୍ ପୁନଃ ଦିଆଯିବ ନାହିଁ । ଠିକ୍ ସେହିପରି କେରଳର ପଲାନୀ ସ୍ୱାମୀ ମନ୍ଦିରରେ ଜଣେ ମହିଳା ଶ୍ରଦ୍ଧାଳୁ ଦାନବାକ୍ସରେ ନିଜ ବେକରୁ ତୁଳସୀମାଳା କାଢ଼ି ଦେଉଥିବା ବେଳେ ଭୁଲ୍ବସତଃ ୧.୭୫ ମିଲିଗ୍ରାମ୍ର ଏକ ସୁନାଚେନ୍ ଗଳାଇ ଦେଇଛନ୍ତି । ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ମନ୍ଦିର କର୍ତ୍ତୃପକ୍ଷ ସେହି ଚେନ୍ର ମୂଲ୍ୟ ଅନୁସାରେ ଅର୍ଥ ପ୍ରଦାନ କରିଛନ୍ତି ।