ଇରାନ୍‌ ସହ ଭାରତ ମିଳାଇଲା ହାତ

ଇରାନ୍‌ ସହ  ଭାରତ ମିଳାଇଲା ହାତ

ଇରାନ୍‌ ସହ ହାତ ମିଳାଇଛି ଭାରତ। ଆସନ୍ତା ଦଶ ବର୍ଷ ପାଇଁ ଚାବାହାର ବନ୍ଦର ପରିଚାଳନା କରିବାକୁ ନେଇ ତେହରାନ୍‌ ସହ ଭାରତ ଚୁକ୍ତି କରିଛି । ଏହି ବନ୍ଦର ଚଳାଇବା ସହିତ ଭାରତ ମଧ୍ୟ ଏହାର ବିକାଶ କରିବ। ତେବେ ଏହି ଚୁକ୍ତିକୁ ନେଇ ରାଗି ଯାଇଛି ଆମେରିକା। ଏହି ଡିଲ୍‌କୁ ସେ ପସନ୍ଦ କରିନି। ଭାରତକୁ ସେ ପରୋକ୍ଷ ଭାବେ ଦେଖାଇଛି ନାଲି ଆଖି। ଯିଏବି ଇରାନ୍‌ ସହ ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି, ତାଙ୍କୁ ଆମ ପକ୍ଷରୁ ବ୍ୟାନ୍‌ର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଆମେରିକା ଚେତାବନୀ ଦେଇଛି।

ଆମେରିକାର ବୈଦେଶିକ ବିଭାଗର ପ୍ରଧାନ ଉପ-ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ ଇରାନ ଏବଂ ଭାରତ ମଧ୍ୟରେ ଚାବାହାର ବନ୍ଦରକୁ ନେଇ ଏକ ଚୁକ୍ତି ହୋଇଛି। ଭାରତ ସରକାରଙ୍କ ନିଜର ବୈଦେଶିକ ନୀତି ରହିଛି। ଚାବାହାର ବନ୍ଦର ଏବଂ ଇରାନ ସହିତ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଇରାନ ସହିତ ହୋଇଥିବା ଚୁକ୍ତି ସେ ଭଲ ଭାବରେ ବୁଝିଛନ୍ତି। କିନ୍ତୁ ଇରାନ ଉପରେ ଆମେରିକାର ପ୍ରତିବନ୍ଧକ ଜାରି ରହିବ ବୋଲି ସେ କହିଛନ୍ତି।


ସେ  କହିଛନ୍ତି, ଯଦି ଇରାନ ସହିତ କେହି ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି, ତେବେ ସେମାନେ ଏହାର ସମ୍ଭାବ୍ୟ ବିପଦ ଜାଣିବା ଉଚିତ୍। ସେମାନେ ଜାଣିବା ଉଚିତ୍ ଯେ ସେମାନେ ମଧ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଉକ୍ତ ଦେଶ ଉପରେ ମଧ୍ୟ ବ୍ୟାନ୍‌ ଲାଗିପାରେ ବୋଲି ସେ କହିଛନ୍ତି।