ଭୁବନେଶ୍ୱର : ଭୁବନେଶ୍ୱରର ଟାଣୁଆ ବିଜେପି ନେତା ଜଗନ୍ନାଥ ପ୍ରଧାନ ପୁଲିସ ପାଖରେ ଆତ୍ମ ସମର୍ପଣ କରିବେ । ରାଜ୍ୟ କାର୍ଯ୍ୟାଳୟରେ ଜଗନ୍ନାଥ ôଥିବାବେଳେ ସେଠାରୁ ସମର୍ଥକମାନଙ୍କ ସହ ସେ ଖାରବେଳନଗର ଥାନାରେ ଆତ୍ମସମର୍ପଣ କରିବେ ବୋଲି ଚର୍ଚ୍ଚା ହେଉଛି । ବିଶେଷକରି ‘ଆଇନ୍କୁ ସମ୍ମାନ ଦେବି’ ବୋଲି ଜଗାଙ୍କ ପୋଷ୍ଟ ଏବେ ବେଶ୍ ଚର୍ଚ୍ଚା ସୃଷ୍ଟିକରିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତାଙ୍କ ସହ ଜଗନ୍ନାଥ ଏବେ ଆଲୋଚନା କରୁଥିବା ଜାଣିବାକୁ ମିଳିଛି ।
ଫେସବୁକ୍ରେ ଜଗା ପୋଷ୍ଟ କରିଛନ୍ତିଯେ, ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି । ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ । ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି ।
ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡକୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି । ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି ।
ସୂଚନାଯୋଗ୍ୟଯେ, ବିଏମସିର ଆସିଷ୍ଟାଣ୍ଟ କମିଶନର ରତ୍ନାକର ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଜଗନ୍ନାଥଙ୍କ କେତେକ ସହଯୋଗୀ ଆକ୍ରମଣ କରିଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଯାଇଥିବାବେଳେ ଓଏଏସ ସଂଘ ବି ଜଗାଙ୍କ ଗିରଫ ଦାବିରେ ଅଡ଼ି ବସିଥିବା କୁହାଯାଉଛି ।
ଭୁବନେଶ୍ୱର ମହାନଗର ନିଗମ ହିଂସାକାଣ୍ଡରେ ସଂପୃକ୍ତ ଅଭିଯୋଗ ଆଧାରରେ ୫ ଜଣଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବିତ କରିଛନ୍ତି । କର୍ପୋରେଟର ଅପରୂପ ନାରାୟଣ ରାଉତ, ବିଜେପି ନେତା ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚ୍ଚିକାନ୍ତ ସ୍ୱାଇଁ ଓ ସଂଜୀବ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି । ଅପରପକ୍ଷରେ ଗତକାଲି ଅପରୂପ ନାରାୟଣ ରାଉତ, ରଶ୍ମୀ ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନ ଗିରଫ ହୋଇଥିବାବେଳେ ଆଜି କମିଶନରେଟ ପୁଲିସ ସଂଜୀବ ମିଶ୍ର ଓ ସଚ୍ଚିକାନ୍ତ ସ୍ୱାଇଁଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟଯେ, ବିଏମସି ଅଫିସ ଭିତରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ବିଜେପି କର୍ପୋରେଟର ଓ ତାଙ୍କର ସହଯୋଗୀମାନେ ଅଫିସ ଭିତରେ ପଶି ରତ୍ନାକରଙ୍କୁ ଘୋଷାଡ଼ି ଘୋଷାଡ଼ି ଆଣିବା ସହ ଲହୁଲୁହାଣ କରିଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଓଏଏସ ଓ ଆଇଇଏସ ସଂଘ ବି ଘଟଣାର ତୀବ୍ର ନିନ୍ଦା କରିଥିଲେ । ଅପରପକ୍ଷରେ ଅନେକ ବିଜେପି ନେତା, ବିଧାୟକ ଓ ସାଂସଦ ବି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ସବୁକିଛି ଅନୁଶୀଳନ କରିବା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ ସେମାନଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି ।