ୟୁଆରଏସରେ ସବୁ ଧାନ ସରକାର କିଣନ୍ତୁ
ବରଗଡ : ଚଳିତ ବର୍ଷ ଠିକ୍ ଡାଳୁଅ ଧାନ ଅମଳ ସମୟରେ ମେ' ମାସ ଶେଷ ସପ୍ତାହରେ ଆଗତୁରା ମୌସୁମୀ ସକ୍ରିୟ ଜନିତ ଅଦିନିଆଁ ବର୍ଷା କାରଣରୁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚାଷୀମାନେ ଅବର୍ଣ୍ଣନୀୟ ଦୁର୍ଦ୍ଧଶାର ଶୀକାର ହୋଇଛନ୍ତି । ଚାଷୀମାନଙ୍କ ଧାନ ଖେତ, ଖଳା ତଥା ଶୁଖା ଯାଇଥିବା ସ୍ଥାନରେ ପାଣି ମାଡ ଖାଇ ନଷ୍ଟ ହୋଇଯାଇଛି । ଏପରି ଏକ ଅଭାବନୀୟ ପରିସ୍ଥିତିରେ ଓଡିଶା ସରକାର ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ କୋହଳ ମାନ ଯୋଜନା ( ୟୁଆର୍ଏସ) ରେ ସବୁ ଧାନକୁ ସର୍ବନିମ୍ନ ସହାୟକ ଦରରେ କିଣିନେବା ଘୋଷଣା କରନ୍ତୁ ବୋଲି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ତରଫରୁ ଦାବି କରାଯାଇଛି । ଆଜି ବରଗଡ ସ୍ଥିତ ସମତା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମନ୍ୱୟ ସମିତିର ଆବାହକ ଦ୍ୱୟ ଅଶୋକ ପ୍ରଧାନ ଏବଂ ଲିଂଗରାଜ ଏହି ଦାବି ଉପସ୍ଥାପନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଆବାହକ ସରୋଜ, ଜୟ କିସାନ ଆନେ୍ଦାଳନର ସୁଶୀଲ କୁମାର ସାହୁ, ହର ବଣିଆଁ ଏବଂ ଅରୁଣ କୁମାର ସାହୁ ପ୍ରମୁଖ ନେତୃମଣ୍ଡଲି ଉପସ୍ଥିତ ଥିଲେ । ଧାନ ଚାଷରେ ଉତ୍ପାଦନ ଖର୍ଚ୍ଚ ବହୁଗୁଣ ବୃଦ୍ଧି ହୋଇଥିବା ବେଳେ ଏପରି ସମୟରେ ଚାଷୀମାନଙ୍କୁ ପୁରୁଣା ରିଲିଫ କୋର୍ଡ ଆଧାରରେ ଜଣେ ଚାଷୀକୁ ମାତ୍ର ୨ ହେକ୍ଟର ଜମି ବାବଦକୁ ମାତ୍ର ୨୭ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ଏକ ଉପହାସ ବୋଲି ଅଭିଯୋଗ କରି ରାଜ୍ୟ ସରକାର ରିଲିଫ କୋର୍ଡ ସଂଶୋଧନ ପୂର୍ବକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ହେକ୍ଟର ପ୍ରତି ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।