ରାଜରାଜେଶ୍ୱର ବେଶରେ ଦର୍ଶନଦେଲେ ମହାପ୍ରଭୁ

 ସମ୍ବଲପୁର: ଜିଲ୍ଲାର ପୁରପଲ୍ଲୀରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଇଛି । ଏହାକୁ ରାସ ପୂର୍ଣ୍ଣିମା ଭାବରେ ମଧ୍ୟ ପାଳନ କରାଯାଉଛି । ପର୍ବ ଯୋଗୁ ବଡ଼ଭୋର ସମୟରୁ ସମ୍ବଲପୁର ସହର ଉତ୍ସବ ମୁଖର ହୋଇଉଠିଥିଲା । ଅସଂଖ୍ୟ ଲୋକ ସପରିିିିିିିିିିିିିିିିିିିିିବାର ମହାନଦୀ ଏବଂ ଅନ୍ୟ ନଦୀ ଓ ପୁଷ୍କରିଣୀମାନଙ୍କରେ ବୁଡ଼ ପକାଇ ମନ୍ଦିରରେ ଦେବ ଦର୍ଶନ କରିଥିଲେ । ସେହିଭଳି ପୂର୍ବ କାଳର ନୌବାଣିଜ୍ୟକୁ ମନେ ପକାଇ ନଦୀରେ ପ୍ରଦୀପ ପ୍ରଜଳ୍ୱନ କରି ସୁସଜ୍ଜିତ ବୋଇତ ଭସାଣ କରାଯାଇଥିଲା । ବ୍ରହ୍ମପୁରା, ହୋତାପଡ଼ା, ସତ୍ୟବାଦୀ, ମଦନମୋହନ, ଯଜ୍ଞବରାହ ପ୍ରଭୃତି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ପରମ୍ପରା ଅନୁଯାୟୀ ସହର ପୁରାତନ ମନ୍ଦିରମାନଙ୍କରେ ନୂତନ ଧ୍ୱଜା ଆରୋହଣ କରାଯାଇଥିଲା । ସହରର ବ୍ରହ୍ମପୁରା ମନ୍ଦିର ବଡ଼ଦୁଆର ଗୌରାଙ୍ଗ ବିଷ୍ଣୁପ୍ରିୟା ମନ୍ଦିର, ଭଜନାଶ୍ରମ, କମିଶନର୍ସ କଲୋନୀ, ତଅଁଲାପଡ଼ା, ବଡ଼ବଜାର, ଦଲାଇପଡ଼ାର ମଦନ ମୋହନ ମନ୍ଦିର ଆଦି ସ୍ଥାନରେ ଆୟୋଜିତ ନାମଯଜ୍ଞ ନଗର ପରିକ୍ରମା ସହିତ ଉଦଯାପିତ ହୋଇଛି । ଭାଗବତ ଟୁଙ୍ଗି ମାନଙ୍କରେ ଚାଲିଥିବା ମାସବ୍ୟାପୀ କୀର୍ତ୍ତନ ମାଧ୍ୟ ଉଦଯାପିତ ହୋଇଥିଲା । ପବିତ୍ର ପୂର୍ଣ୍ଣିମା ପାଇଁ ସମସ୍ତ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ପୂଜା ଅର୍ଚ୍ଚନା କରିଥିଲେ । ବହୁ ଭକ୍ତ ଦଳ ଦଳ ହୋଇ କୀର୍ତ୍ତନ ସହିତ ନଗର ପରିକ୍ରମା କରି ମନ୍ଦିର ମାନଙ୍କରେ ଦେବ ଦର୍ଶନ କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମନ୍ଦିର ଓ ମଠମାନଙ୍କୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା । ଏଥିସହିତ ଜିଲ୍ଲାର କୁଚିଣ୍ଡାର ଶଗଡ଼ା, ଜୁଜୁମୁରାର ଡ଼ଙ୍ଗାପାଲ ଆଦି ଗ୍ରାମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଡଙ୍ଗାପାଲରେ ଆୟୋଜିତ ସାଂସ୍କୃତିକ ଉତ୍ସବରେ ଜିଲ୍ଲା ଏବଂ ଜିଲ୍ଲା ବାହାରର କଳାକାର ମାନେ ଭାଗ ନେଇଥିଲେ । ବଡ଼ି ଭୋର୍ ସମୟରୁ ବହୁ ଭକ୍ତ ନାମସଂକୀର୍ତ୍ତନରେ ପରିକ୍ରମା କରିବା ସମୟରେ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।