ସରକାରୀ ଅର୍ଥ ହେରଫେର ମାମଲା, ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ ୩ ବର୍ଷ କାରାଦଣ୍ଡ
ବାଲେଶ୍ୱର: ସରକାରୀ ଅର୍ଥ ହେରଫେର ମାମଲାର ବିଚାର କରି ବାଲେଶ୍ୱର ଭିଜିଲାନ୍ସ ଜଜ ଲଳିତ କୁମାର ଦାସ ଆଜି ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ସେକ୍ରେଟାରୀ ରସାଳପୁର ସର୍ଭିସ କୋ-ଅପରେଟିଭ ସୋସାଇଟିର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ସୂଚନା ମୁତାବକ ଶ୍ରୀ ନାୟକ ରସାଳପୁର ସର୍ଭିସ କୋ-ଅପରେଟିଭ ସୋସାଇଟିର ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ୬ ଲକ୍ଷ ୧୫ ହାଜର ଟଙ୍କା ସରକାରୀ ଅର୍ଥ ହେରଫେର କରିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ବିଚାର କରି ଆଜି ଭିଜିଲାନ୍ସ ଜଜ ଶ୍ରୀ ଦାସ ଏହି ରାୟ ଶୁଣାଇଛନ୍ତି । ଶ୍ରୀ ନାୟକ ବର୍ତ୍ତମାନ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି ବୋଲି ଜଣାପଡିଛି ।