ନଳକୂପ ଖନନକୁ ନେଇ ଉତ୍ତେଜନା

ନୀଳଗିରି : ଔପଦା ବ୍ଲକ ଅଧୀନ ଈଶ୍ୱରପୁର ପଞ୍ଚାୟତ ମର୍ଦ୍ଦରାଜପୁର ଗ୍ରାମ ଶିବମନ୍ଦିର ହତା ପରିସରରେ ନଳକୂପ ଖନନକୁ ନେଇ ଶାସକଦଳ ଗୋଷ୍ଠୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି ।  ଘଟଣାରୁ ପ୍ରକାଶ, ମନ୍ଦିର ପରିସରରେ ଏକ ନଳକୂପ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚଙ୍କୁ ୨ବର୍ଷ ଧରି ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସରପଞ୍ଚ ସେମିତି କିଛି ଯୋଜନା ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେବା ପରେ ଗ୍ରାମବାସୀ ଏବଂ ମନ୍ଦିର କମିଟି ବୈଠକ ବସି ବ୍ୟକ୍ତିଗତ ଅନୁଦାନରେ ନଳକୂପ ବସାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ଫଳରେ ଠିକାଦାରଙ୍କୁ ଡାକି ନଳକୂପ ଖୋଳିବା କାମ ଆରମ୍ଭ ହେଉଥିବା ସୂଚନା ପାଇ ଶାସକଦଳର କିଛି ଅସାମାଜିକ ଯୁବକ ଆସି କାର୍ଯ୍ୟକୁ ବାରଣ କରିବା ସହିତ ଏ ନେଇ ପୁଲିସରେ ଅଭିଯୋଗ ହୋଇଥିବା ଧମକ ଦେବା ପରେ ଗ୍ରାମର ମହିଳାମାନେ ଆସି ବିରୋଧ କରିଥିଲେ । ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ବୃଦ୍ଧି ପାଇବାରୁ ପ୍ରଥମେ ଈଶ୍ୱରପୁର ଫାଣ୍ଡି ଅଧିକାରୀ ଖଗେନ ମହାଳିକ ଏବଂ ପରେ ନୀଳଗିରିଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚ ଉଭୟ ପକ୍ଷଙ୍କୁ ଶାନ୍ତ କରିଥିଲେ । ଆପୋଷ ବୁଝାମଣା ପରେ ଉକ୍ତ ମନ୍ଦିର ଅଗଣାର ଦୁଇପାର୍ଶ୍ୱରେ ୨ଟି ନଳକୂପ ଖନନ ହେବା ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ଏପରି ନିଷ୍ପତ୍ତିକୁ ଅନ୍ୟ ସାହିବାସିନ୍ଦା ଘୋର ନିନ୍ଦା କରିଛନ୍ତି  । 
ଉଲ୍ଲେଖ ଯେ, ଗ୍ରାମରେ ୬ଟି ସାହି ଥିବାବେଳେ ୫ଶହରୁ ଊର୍ଦ୍ଧ୍ୱ ବାସିନ୍ଦାଙ୍କ ପାଇଁ ୪ଟି ନଳକୂପ ରହିଛି । ସେଥିମଧ୍ୟରୁ ୨ଟି ନଳକୂପ ସଠିକ୍‌ ଭାବରେ କାମ କରୁଥିବା ବେଳେ ୨ଟି ନଳକୂପରୁ ଗୋଳିଆ ଏବଂ ପଚାପାଣି ବାହାରୁଛି । ଗ୍ରାମ ମୁଣ୍ଡରେ ବସୁଧା ଯୋଜନା ଥିଲେ ମଧ୍ୟ ଗ୍ରାମକୁ ପାଣି ମିଳିପାରୁନି । ଅଥଚ ୫ଶହ ମିଟର ଦୂରତାରେ ଥିବା ପଞ୍ଝାବଣିଆ ଗ୍ରାମର ଲୋକମାନେ ବସୁଧାଯୋଜନାର ପାଣି ପାଇପାରୁଛନ୍ତି । ଏମିତିରେ ଗ୍ରାମରେ ପାନୀୟ ଜଳର ଘୋର ସଂକଟ ଥିବାବେଳେ ଗୋଟିଏ ଜାଗାରେ ୨ଟି ନଳକୂପ ଖନନକୁ ଗ୍ରାମବାସୀ ଗ୍ରହଣ କରିପାରୁ ନାହାନ୍ତି । ବ୍ୟକ୍ତିଗତ ଅନୁଦାନରେ ନଳକୂପଟିକୁ ଶିବମନ୍ଦିର ହତା ମଧ୍ୟରେ ବସାଇ ସରକାରୀ ଅନୁଦାନ ଅର୍ଥରେ ବସାଇବାକୁ ଥିବା ନଳକୂପଟିକୁ ଅନ୍ୟସାହିରେ ବସାଇବା ପାଇଁ ସାଧାରଣରେ ଦାବି ହେଉଛି ।