ନୀଳଗିରି ଏନ୍ଏସିରେ ଜଳକଷ୍ଟ : ଯନ୍ତ୍ରୀଙ୍କ ଅପାରଗତାକୁ ନେଇ ତେଜୁଛି ଅସନ୍ତୋଷ

 ନୀଳଗିରି : ନୀଳଗିରି ଏକ ପାହାଡିଆ ଅଞ୍ଚଳ । ସ୍ୱର୍ଣ୍ଣଚୁଡ ପାହାଡ ପାଦଦେଶରେ ଅବସ୍ଥିତ ଏହି ସହରଟି ଦୀର୍ଘବର୍ଷ ପୂର୍ବରୁ ଏନ୍ଏସିର ମାନ୍ୟତା ପାଇଥିବା ବେଳେ, ଏଠାରେ ପାନୀୟଜଳ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି । ପ୍ରତିବର୍ଷ ଏନେଇ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଆସୁଥିଲା ମଧ୍ୟ ଏହାର କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ ।ଫଳରେ ଗ୍ରୀଷ୍ମଋତୁରେ ଅଧିକ ପାନୀୟଜଳ ସମସ୍ୟା ଦେଖାଯାଇଛି । ଚଳିତବର୍ଷ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଫଳରେ ଏନ୍ଏସି ଅନ୍ତର୍ଗତ ୨ନଂ ୱାର୍ଡ ଘାଟଘର ସାହି, ୧ନଂ ୱାର୍ଡ କଦମ୍ବସାହି ଏବଂ ୬ନଂୱାର୍ଡ ମୁଖ୍ୟବଜାରରେ ଉକ୍ରଟ ପାନୀୟଜଳ ସମସ୍ୟା ଦେଖାଯାଇଛି । ଏନେଇ ଜନସ୍ୱାସ୍ଥ୍ୟ ବିଭାଗରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଯନ୍ତ୍ରୀ ରତନ ମାଝୀଙ୍କ ଦେଖାମିଳିନଥିଲା ।ତେବେ ୩ ବର୍ଷ ଧରି ଉକ୍ତ ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀ ମହୋଦୟ ଅଧିକାଂଶ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ପାନୀୟଜଳ ସମସ୍ୟା ଲାଗିରହିଛି ।ଏନେଇ ଯନ୍ତ୍ରୀଙ୍କ ମତାମତ ଲୋଡିବାରୁ ସେ ବାଲେଶ୍ୱରରେ ଦାୟିତ୍ୱରେ ଥିବା ଦର୍ଶାଇ ଖସିଯିବାକୁ ଚେଷ୍ଟା କରିଛନ୍ତି । ତେବେ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ଅନ୍ତର କରି ଅନ୍ୟଜଣେ ଯନ୍ତ୍ରୀଙ୍କୁ ନିଯୁକ୍ତି କରିବାକୁ ସହରାଞ୍ଚଳ ବାସୀ ଦାବି କରିଛନ୍ତି ।