କୁକର୍ମକାରୀକୁ ୨୦ ବର୍ଷ ଜେଲ
କେନ୍ଦୁଝର : କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା କୁକର୍ମ ମାମଲାର ବିଚାର କରି ଘଟଗାଁ ଥାନା ଅନ୍ତର୍ଗତ କୋଳିପଶି ଗ୍ରାମର ଅଭିଯୁକ୍ତ ରୟା ମୁଣ୍ଡା (୨୮)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏଥିସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ୧୭ା୬ା୨୦୨୪ ତାରିଖ ରାତି ୧୧ଟା ସମୟରେ ୧୫ ବର୍ଷର ନାବାଳିକା ପୀଡିତାଙ୍କ ପରିବାର ଲୋକ ରାତି ଖିଆପିଆ ସାରି ଏକ ଘରେ ଶୋଇଥିବା ସମୟରେ ପୀଡିତା ଅନ୍ୟ ଏକ ଘରେ ଶୋଇଥିଲେ । ଏହି ସମୟରେ ଅଭିଯୁକ୍ତ ଘରେ ପଶି ପୀଡିତାଙ୍କୁ ଅପହରଣ କରି ନେଇ ଯାଇଥିଲା । ସକାଳୁ ପୀଡିତାକୁ ନପାଇ ଘର ଲୋକେ ଖୋଜାଖୋଜି କରିବାରେ ଜାଣିବାକୁ ପାଇଲେ ଅଭିଯୁକ୍ତ ରୟା ମୁଣ୍ଡା ପୀଡିତାକୁ ଜୋର ଜବରଦସ୍ତ ଅପହରଣ କରି ନେଇ ଡୁବୁରୀ ଅଞ୍ଚଳରେ ଏକ ଭଡାଘରେ ରଖିଛି । ଉକ୍ତ ବିଷୟକୁ ନେଇ ପୀଡିତାର ବାପା ଘଟଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତକୁ ଡୁବୁରୀ ଅଞ୍ଚଳରୁ ଗିରଫ କରିବା ସହ ପୀଡିତାକୁ ଉଦ୍ଧାର କରି ପୀଡିତାକୁ ପଚାରିବାରୁ ତା’ସହ ଜୋର ଜବରଦସ୍ତ କୁକର୍ମ କରିଥିବା ବୟାନ ଦେଇଥିଲା । ପୀଡିତାର ବୟାନକୁ ଆଧାର କରି ଅଭିଯୁକ୍ତକୁ ପିଙ୍ଗଳ କୋଡ ଧାରା ୩୬୩/୩୬୬/୩୭୬(୩)/୩୭୬(୨)(ଏନ୍) ଓ ପକ୍ସୋ ଧାରା ୬ ଅନୁସାରେ କୋର୍ଟ ଚାଲାଣ କରିଥିଲା । ଗୁରୁବାର ଦିନ ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ସରକାରଙ୍କ ତରଫରୁ ୧୨ ଜଣ ଓ ଆସାମୀଙ୍କ ତରଫରୁ ଜଣେ ସାକ୍ଷ୍ୟଙ୍କ ବୟାନ ଓ ପୁଲିସର ଅନୁସନ୍ଧାନ ରିପୋର୍ଟକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ପାଇଥିଲେ ଓ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିଲେ । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେଶ ପରିଚାଳନା କରୁଥିଲେ ।