ଲୁଚାଇଥିଲେ ‘ଯଶୋଦା’ର ମୃତ୍ୟୁ ଖବର !

jasoda elephant

ଲୁଚାଇଥିଲେ ‘ଯଶୋଦା’ର ମୃତ୍ୟୁ ଖବର !

ସ୍ୱତନ୍ତ୍ର ପ୍ରତିନିଧି (ପ୍ରୟାଗରାଜ କର) : ମାହୁନ୍ତ ସୁଦୂର ପ୍ରଧାନଙ୍କୁ କଚାଡ଼ି ମାରିଦେଲା ବୋଲି ହାତୀ ‘ଯଶୋଦା’କୁ ଦିଆଯାଇଥିଲା ଶାସ୍ତି  । ପାଞ୍ଚ ମାସ ତଳେ ଚନ୍ଦକାରୁ ତାକୁ ଶିମିଳିପାଳ ପଠା ଯାଇଥିଲା  । ହେଲେ ତିନି ମାସ ଧରି ହିପ୍‌ ଜଏଣ୍ଟରେ ସମସ୍ୟା ଯୋଗୁଁ ଚିକିତ୍ସିତ ହେଉଥିଲା  । ଗତ ୩୦ରେ ତାର ମୃତ୍ୟୁ ହୋଇଥିବାବେଳେ ୩୧ରେ ଶବ ବ୍ୟବଚ୍ଛେଦ ବି କରାଯାଇଥିଲା  । କିନ୍ତୁ ଏହାର ୫ ଦିନ ପରେ ଯଶୋଦାର ମୃତ୍ୟୁ ନେଇ ସୂଚନା ଦିଆଯାଇଛି  । ତେବେ ଏତେ ଦିନ କାହିଁକି ଲୁଚାଇ ରଖାଯାଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  ।

ସବୁଦିନ ପାଇଁ ଆଖି ବୁଝିଲା ବନ ବିଭାଗର ପୋଷା ହାତୀ ଯଶୋଦା  । ମହନ୍ତ ସୁଦୂର ପ୍ରଧାନଙ୍କୁ କଚାଡି ମାରିବା ଘଟଣାରେ ଶାସ୍ତି ପାଇଁ ୫ମାସ ତଳେ ଚନ୍ଦକାରୁ ଯଶୋଦାକୁ ଭଙ୍ଗା ଗୋଡ଼ରେ ଶିମିଳିପାଳ ଅଣାଯାଇଥିଲା  । ହେଲେ ୩ ମାସ ପୂର୍ବରୁ ହିପ ଜଏଣ୍ଟରେ ପୂର୍ବରୁ ସମସ୍ୟା ଥିବାରୁ ଓୟୁଏଟିର ବିଶେଷଜ୍ଞ ଏବଂ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଧିକାରୀମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା  । କିନ୍ତୁ ଯଶୋଦାକୁ ସୁସ୍ଥ କରିପାରିନଥିଲେ ବିଶେଷଜ୍ଞ ଟିମ  । ଫଳରେ ଗତ ମାସ ୩୦ରେ ଯଶୋଦାର ମୃତ୍ୟୁ ଘଟିଥିଲା  । ଆଜି ଏନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗଗିନାନି ସୂଚନା ଦେଇଛନ୍ତି  । ସେପଟେ ପୂର୍ବରୁ ଦେଢ଼ ବର୍ଷ ଧରି ଯଶୋଦା ଶିମିଳିପାଳ ଅଭୟରଣ୍ୟର ବିଭିନ୍ନ ରେଞ୍ଜରେ ରହିବା ସହିତ ଜଙ୍ଘଲର ସୁରକ୍ଷା ଦିଗରେ କାର୍ଯ୍ୟ କରିଛି  । ଯଶୋଦା ରହିବା ଫଳରେ ଶିକାରୀ ଏବଂ ଝାଡ଼ଖଣ୍ଡି ହାତୀ ପଶିବାକୁ ଶିମିଳିପାଳ ଭିତରେ ଭୟ କରୁଥିଲେ  । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଯଶୋଦାର ମୃତ୍ୟୁ ଘଟିଥିବାରୁ ଶିମିଳିପାଳ ଅଭୟାରଣ୍ୟର କର୍ମଚାରୀଙ୍କୁ ଶକ୍ତ ଧକ୍କା ଲାଗିଛି  ।

ଅନ୍ୟପଟେ ଗତ ମାସ ୩୦ତାରିଖରେ ମୃତ୍ୟୁ ଓ ୩୧ତାରିଖ ଦିନ ଶବ ବ୍ୟବଛେଦ ହେଇଥିବା ବେଳେ ୫ଦିନ ପରେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଯଶୋଦାର ମୃତ୍ୟୁ ଖବର ଲୋକଲୋଚନକୁ ଆଣିବା ଘଟଣା ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି  । କାହିଁକି ଓଁ କେଉଁ ପରିସ୍ଥିତିରେ ହାତୀକୁ ଶିମିଳିପାଳର ଜେନାବିଲ ରେଞ୍ଜକୁ ଅଣାଗଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି  । ଭଙ୍ଗା ଗୋଡରେ ଶିମିଳିପାଳ ଆସି ସେ କଣ କରିଥାନ୍ତା, ତାହାକୁ ନେଇ ଶିକାରୀକୁ ଧରାଯାଇଥା’ନ୍ତା କି ବୋଲି ପ୍ରଶ୍ନ ଉଠିଛି  । ଯଶୋଦାର ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି  ।