କର୍ମକ୍ଷେତ୍ରରେ ହୃଦ୍‌ଘାତ ମୃତ୍ୟୁ ‘ଦୁର୍ଘଟଣା’

  • ଗଞ୍ଜାମ ଖାଉଟି ଆୟୋଗଙ୍କ ଐତିହାସିକ ରାୟ

  • ବିଧବା ପତ୍ନୀ ପାଇବେ ୧୦ ଲକ୍ଷର ବୀମା 

ବ୍ରହ୍ମପୁର : କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ଯଦି ଜଣେ ଶ୍ରମିକଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟେ, ତେବେ ତାହାକୁ ଏକ ‘ଦୁର୍ଘଟଣାଜନିତ ମୃତ୍ୟୁ’ ଭାବେ ଗଣନା କରାଯିବ । ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏଭଳି ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ଅନୁସାରେ, ଆୟୋଗ ବୀମା କମ୍ପାନୀର ସେବାରେ ଅବହେଳାକୁ ସ୍ପଷ୍ଟ କରିବା ସହ ମୃତ ଶ୍ରମିକଙ୍କ ବିଧବା ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ସହ ସୁଧ ଓ କ୍ଷତିପୂରଣ ପ୍ରଦାନ କରିବାକୁ ଇଫକୋ ଟୋକିଓ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।


 ଘଟଣାରୁ ପ୍ରକାଶଯେ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବି.ନୂଆଗାଁର ସନ୍ତୋଷ ଗୋଚ୍ଛାୟତ ଓମାନରେ ଏକ ନିର୍ମାଣ ସଂସ୍ଥାରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ଏବଂ ସେ ‘ପ୍ରବାସୀ ଭାରତୀୟ ବୀମା ଯୋଜନା’ ଅଧୀନରେ ବୀମାଭୁକ୍ତ ଥିଲେ । ୨୦୧୭ ଜାନୁଆରୀ ୪ରେ ଓମାନରେ କାମ କରୁଥିବା ସମୟରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ପତ୍ନୀ କୁମାରୀ ଗୋଛାୟତ ବୀମା ରାଶି ପାଇଁ ଆବେଦନ କରିଥିଲେ ମଧ୍ୟ କମ୍ପାନୀ ଏହାକୁ ଏକ ‘ପ୍ରାକୃତିକ ମୃତ୍ୟୁ’ ଦର୍ଶାଇ ଦାବି ପ୍ରତ୍ୟାଖ୍ୟାନ କରିଥିଲା । ଏହା ବିରୁଦ୍ଧରେ କୁମାରୀ ୨୦୧୮ରେ ଜିଲ୍ଲା ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ପୁଙ୍ଖାନୁପୁଙ୍ଖ ଶୁଣାଣି କରି ଆୟୋଗ ପର୍ଯ୍ୟବେକ୍ଷଣ କରିଛନ୍ତିଯେ, ଜଣେ ଶ୍ରମିକ ବିଦେଶର ପ୍ରତିକୂଳ ପରିବେଶ ଓ ପ୍ରଚଣ୍ଡ ଗ୍ରୀଷ୍ମରେ କଠିନ ପରିଶ୍ରମ କରୁଥିବା ବେଳେ ଯଦି ହୃଦ୍‌ଘାତର ଶିକାର ହୁଅନ୍ତି, ତେବେ ତାହାକୁ କେବଳ ପ୍ରାକୃତିକ ମୃତ୍ୟୁ କୁହାଯାଇପାରିବ ନାହିଁ ।  


  ଶାରୀରିକ ଚାପ ଓ କାର୍ଯ୍ୟ ପରିସ୍ଥିତି ହିଁ ଏହି ମୃତ୍ୟୁର ମୁଖ୍ୟ କାରଣ ହୋଇଥିବାରୁ ଏହାକୁ ‘ଦୁର୍ଘଟଣା’ ଶ୍ରେଣୀଭୁକ୍ତ କରାଯାଇଛି । ସୁପ୍ରିମ୍‌କୋର୍ଟଙ୍କ ବିଭିନ୍ନ ପୂର୍ବ ନିଷ୍ପତ୍ତିକୁ ଆଧାର କରି ଆୟୋଗ ୫ ଜାନୁଆରୀ ୨୦୨୬ରେ ଏହି ରାୟ ପ୍ରଦାନ କରିଛନ୍ତି । ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ବୀମା କମ୍ପାନୀ ଅଭିଯୋଗକାରୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ସହ ଅଭିଯୋଗ ଦାଖଲ ତାରିଖ (୨୫.୦୭.୨୦୧୮)ରୁ ବାର୍ଷିକ ୯% ହାରରେ ସୁଧ ଏବଂ ମୋକଦ୍ଦମା ଖର୍ଚ୍ଚ ବାବଦକୁ ଅତିରିକ୍ତ ୫ ହଜାର ଟଙ୍କା ପ୍ରଦାନ କରିବେ । ଆସନ୍ତା ୪୫ ଦିନ ମଧ୍ୟରେ ଏହି ଅର୍ଥ ପ୍ରଦାନ ନକଲେ ବୀମା କମ୍ପାନୀକୁ ୧୨% ହାରରେ ସୁଧ ଦେବାକୁ ପଡ଼ିବ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି । ଏହି ନିଷ୍ପତ୍ତି ବିଦେଶରେ କାମ କରୁଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ପାଇଁ ନ୍ୟାୟର ଏକ ନୂଆ ବାଟ ଫିଟାଇଛି।