ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସହର
କାକଟପୁର : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମତିଥି ରାମ ନବମୀ ଅବସରରେ ରାମମୟ ହୋଇ ଉଠିଥିଲା କାକଟପୁର ବଜାର ସମେତ ଆଖପାଖ ଅଞ୍ଚଳ । ଜୟ ଶ୍ରୀରାମ ଧ୍ୱନିରେ କମ୍ପି ଉଠିଥିଲା ସମଗ୍ର ବଜାର । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ବିଶାଳ ଜାଗରଣ ଶୋଭାଯାତ୍ରାରେ ହଜାର ହଜାର ରାମଭକ୍ତଙ୍କ ସମ୍ପୃକ୍ତି ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଶଙ୍ଖଧ୍ୱନି, ମୃଦଙ୍ଗ, ଢୋଲ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଫାଟିପଡୁଥିଲା ବଜାରର ରାସ୍ତା ଘାଟ । ବଜାର ସମେତ ଉପକଣ୍ଠ ଗ୍ରାମାଞ୍ଚଳରୁ ହଜାର ହଜାର ରାମଭକ୍ତ ଏଥିରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ବ୍ଲକଛକ ଠାରୁ ବାହାରି ବଜାର ପରିକ୍ରମା କରିବା ପରେ ସ୍ୱମେଶ୍ୱର ମହାଦେବଙ୍କ ପୀଠରେ ପହଞ୍ଚିଥିଲା । ସମସ୍ତ ରାମଭକ୍ତଙ୍କ ପାଇଁ ମହାଦେବଙ୍କ ପୀଠରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଶୋଭାଯାତ୍ରା ଉସôବକୁ ବିଶ୍ୱ ହିନ୍ଦୁ ପରିଷଦ କାକଟପୁର ଅସ୍ତରଂଗ ପ୍ରଖଣ୍ଡ ପକ୍ଷରୁ ମହା ଧୁମ୍ଧାମରେ ପାଳନ କରାଯାଇଥିବାବେଳେ ପୁରୀ ଜିଲ୍ଲା ଗୋ ରକ୍ଷା ପ୍ରମୁଖ ମିହିର ରଞ୍ଜନ ଦୀକ୍ଷିତ, କାକଟପୁର ପ୍ରଖଣ୍ଡ ସଭାପତି କାବୁଲା ବିଶ୍ୱାଳ, ପ୍ରଖଣ୍ଡ ସଂପାଦକ ପଦ୍ମ ଲୋଚନ ସ୍ୱାଇଁ, ସହ ସଂପାଦକ ଅଲେଖ ଚନ୍ଦ୍ର ମହାନ୍ତି, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଂପାଦକ ରଘୁନାଥ ମହାପାତ୍ର, ଶ୍ରୀଧର ସ୍ୱାଇଁ, ସରୋଜ କୁମାର ସାମଲ, ଅଭିମନୁ୍ୟ ରାଉତ, ବିଜନ କୁମାର ପରିଡ଼ା, ଇଞ୍ଜିନିୟର ରଂଜିତ କୁମାର ସ୍ୱାଇଁ, ଜ୍ୟୋତି ରଞ୍ଜନ ଶତପଥି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ପୁରୀ: ଚୈତ୍ର ଶୁକ୍ଲ ନବମୀ ତିଥିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀକ୍ଷେତ୍ରରେ ପାଳିତ ହୋଇଛି ଶ୍ରୀରାମ ନବମୀ । ଏହି ଉପଲକ୍ଷେ ଶ୍ରୀମନ୍ଦିର ସମେତ ସହରରେ ଥିବା ବିଭିନ୍ନ ରାମ ମନ୍ଦିରରେ ଜମିଥିଲା ଭକ୍ତମାନଙ୍କ ଭିଡ଼ । ବିଭିନ୍ନ ସଂପ୍ରଦାୟର ଲୋକମାନେ ରାମମନ୍ଦିରକୁ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିଥିବା ବେଳେ ସହରର ମଧ୍ୟଭାଗରେ ଥିବା ସବୁ ଠାରୁ ବଡ଼ ମତ୍ସ୍ୟଜୀବୀ ବସ୍ତି ଅଞ୍ଚଳ ପେଣ୍ଠକଟାରେ ତେଲୁଗୁ ସଂପ୍ରଦାୟର ଲୋକମାନେ ମଧ୍ୟ ମହାଆଡ଼ମ୍ବରରେ ରାମନବମୀ ପାଳନ କରୁଛନ୍ତି । ପେଣ୍ଠକଟା ସ୍ଥିତ ରାମମନ୍ଦିରରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଏକ ଶୋଭାଯାତ୍ରା ଏହି ବସ୍ତି ମଧ୍ୟରେ ଥିବା ୩୨ଟି ବରଫ ପରିକ୍ରମା କରିଥିଲା । ପେଣ୍ଠକଟା ବସ୍ତିର ଆବାଳ ବୃଦ୍ଧବନିତା ଏଥିରେ ଭାଗ ନେଇଥିଲେ । ରାମ, ଲକ୍ଷ୍ମଣ, ସୀତାଙ୍କ ଚଳନ୍ତି ପ୍ରତିମାକୁ ଏକ ଚଉଦୋଳରେ କାନେ୍ଦଇ ଲୋକମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ହଜାର ହଜାର ଲୋକ ଚଉଦଳ ସମ୍ମୁଖରେ ରାସ୍ତା ଉପରେ ପାଣି ଢାଳି ଠାକୁରଙ୍କୁ ସ୍ୱାଗତ କରୁଥିବା ବେଳେ ବିଭିନ୍ନ ପ୍ରକାରର ଫଳମୂଳ ମୁଣ୍ଡାଇ ଶୋଭାଯାତ୍ରାର ଆଗେ ଆଗେ ଚାଲିଥିଲେ ବସ୍ତିର ମହିଳାମାନେ । ଶୋଭାଯାତ୍ରାର ଗାରିମା ବଢାଇଥିଲେ ସାଂସଦ ଡ଼ାକ୍ତର ସମ୍ବିତ ପାତ୍ରଙ୍କ ଉପସ୍ଥିତି । ସାଂସଦ ଗେରୁଆ ରଂଗର ବାନା ଧରି ଶୋଭାଯାତ୍ରାରେ ସ୍ଥାନୀୟ ନେତା ବାବୁଲା ପ୍ରସାଦ ଓ ପୂର୍ବତନ କାଉନସିଲର ବଳରାମ ରେଡ୍ଡୀଙ୍କ ଗହଣରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ମଧ୍ୟରେ ଥାଇ ପ୍ରତ୍ୟେକ ଘରର ମହିଳାମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।
ଚମ୍ପୁଆ: ଚମ୍ପୁଆ ସଦର ମହକୁମାରେ ମହାଆଡମ୍ବର ସହକାରେ ପବିତ୍ର ରାମ ନବମୀ ପାଳିତ ହୋଇଯାଇଛି । ଭକ୍ତି ଓ ଶ୍ରଦ୍ଧାର ସହିତ ଏହା ପାଳନ କରାଯାଇଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଚମ୍ପୁଆ ମୁଖ୍ୟ ବଜାରରେ ଅବସ୍ଥିତ ରାମ ମନ୍ଦିର ଠାରେ ପ୍ରତୁ୍ୟଷରୁ ପୂଜାର୍ଚ୍ଚନା କରାଯାଇ ସକାଳ ୭ ଘଟିକାରେ ବୈତରଣୀ ନଦୀରୁ ପ୍ରାୟ ୨ଶହରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ ପବିତ୍ର ଜଳ ଧାରଣ କରି କଳସ ଯାତ୍ରା କରିବା ସହିତ ଶ୍ରୀରାମ ମନ୍ଦିରଠାରେ ପହଂଚିବା ପରେ ବିଧି ଅନୁସାରେ ପୂଜକମାନେ ପୂଜାର୍ଚ୍ଚନା କାମ କରିଥିଲେ । ଏଥି ସହିତ ପ୍ରାୟ ଦିନ ୧ ଘଟିକା ସମୟରେ ଶ୍ରୀରାମଙ୍କର ପବିତ୍ର ପତାକା ମହାବୀର ଛକ ଠାରେ ସ୍ଥାପନା କରାଯାଇଥିଲା । ଏହାପରେ ପ୍ରାୟ ଦିନ ୪ ଘଟିକା ସମୟରେ ବିଭିନ୍ନ ବାଦ୍ୟଯନ୍ତ୍ର ଭକ୍ତିମୟ ପରିବେଶରେ ରାମ ମନ୍ଦିରଠାରୁ ଆଖଡା ବାହାରି ସହର ପରିକ୍ରମା କରିଥିଲେ । ଚଳିତ ବର୍ଷ ଏହି ଆଖଡାରେ ଖର୍ଦ୍ଧାର ପାଇକ ଆଖଡା ସ୍ଥାନ ପାଇଥିବା ବେଳେ ନୟାଗଡର ପ୍ରଶିଦ୍ଧ ବାଦ୍ୟ କଳାକାରମାନେ ନିଜ କଳା ନିପୂଣତା ପ୍ରଦର୍ଶନ କରିଥିଲେ । ଏପରିକି ଏକ ସୁସଜ୍ଜିତ ରଥରେ ରାମ, ଲକ୍ଷ୍ମଣ ଓ ସୀତା ବେଶରେ କୁନି କୁନି ପିଲାମାନେ ସୁସଜ୍ଜିତ ହୋଇ ସହର ପରିକ୍ରମାରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସଭାପତି ଧିରଜ ଲାଲ ଚାଉଡା, ସମ୍ପାଦକ ଦିପକ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଧରଣୀଧର ଦାସ, ବସନ୍ତ କୁମାର ମହାନ୍ତ, ସୁବାସ ରାମ, ହବି ଦାସ, ବବି ଦାସ, ପ୍ରେମଚାନ୍ଦ ପୋଦାର, ଅଶୋକ ଦାସ, ସଂଜୟ ସାହୁ, ମନୋଜ ସାହୁ, ରାଜେଶ ରାମ ପ୍ରମୁଖ ସହଯୋଗ କରିଥିଲେ । ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ଏସଡିପିଓ ରଶ୍ମି ରଂଜନ ସାହୁ, ଥାନା ଅଧିକାରୀଣୀ ଦେବକୀ ନାଏକଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା ।
ବୈଶିଙ୍ଗା: ବୈଶିଙ୍ଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରାମନବମୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟା କଳ୍ପଲତା ହାଜରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପବିତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ସରିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ରାଲି ଯୋଗେ ବଜାର ପରିକ୍ରମା କରି ବଜାର ସ୍ଥିତ ହନୁମାନ ବାଟିକା ଠାରେ ସାମୂହିକ ହନୁମାନ ଚାଳିଶା ପଠନରେ ଅଂଶଗ୍ରହଣ କରିଥିଲେ । ଏହା ସହ ବୈଶିଙ୍ଗା ଲ୍ୟାମ୍ପସ୍ ଠାରେ ଏକ ସରବତ ବଣ୍ଟନର ଏକ ଷ୍ଟଲ କରାଯାଇ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ସରବତ ବଣ୍ଟନ କରାଯାଇଥିଲା । ଏଥିରେ ସଭାପତି ଦେବେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ସତ୍ୟପ୍ରକାଶ ପ୍ରଧାନ, କୋଷାଧ୍ୟକ୍ଷ ସରୋଜ କୁମାର ପତି, ସହ ସମ୍ପାଦକ ଅଜିତ କୁମାର ସେନାପତି, ଉପଦେଷ୍ଟା ଶୈଳେନ୍ଦ୍ର କୁମାର ପଣ୍ଡା, ପୂର୍ବତନ ସଭାପତି ପୁରୁଷୋତ୍ତମ ପଣ୍ଡା, ବରିଷ୍ଠ ସମାଜସେବୀ ତଥା ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା, ବ୍ୟବସାୟୀ ମାନସ ଗୁରୁଜୀ, ନୟନ ଗୁରୁଜୀ, ଅକ୍ଷୟ ଗୁରୁଜୀ, ରବି ଗୁରୁଜୀ, ଚିନ୍ତାମଣି ଭାଇ, ଶୁକଦେବ ଗୁରୁଜୀ, ପୁଷ୍ପ ଗୁରୁମା, ସ୍ୱର୍ଣ୍ଣ ଗୁରୁମା, ବିଷ୍ଣୁ ଗୁରୁମା, ପଙ୍କଜିନୀ ଗୁରୁମା, କ୍ଷଣପ୍ରଭା ଗୁରୁମା ଏବଂ ଅନ୍ୟ ଗୁରୁଜୀ ଗୁରୁମା ପ୍ରମୁଖ ଭାବେ ସହଯୋଗ କରିଥିଲେ ।
ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେଣ୍ଟାଳ ଗ୍ରାମ ପଂଚାୟତ ମଲୀପୁର ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ବିଜେସ୍ଥଳୀ ଠାରେ ଶ୍ରୀରାମ ନବମୀ ଯାତ୍ରା ଶାନ୍ତିଶୃଙ୍ଖଳା ସହିତ ସମାପନ ହୋଇଛି । ପରମ୍ପରା ଅନୁଯାୟୀ ବ୍ରହ୍ମମୁହୂର୍ତ୍ତରୁ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମ ଉତ୍ସବ ନୀତିକାନ୍ତି ସହକାରେ ପାଳିତ ହୋଇଛି । ଜନ୍ମଉତ୍ସବ ନୀତି, ହୋମଯଜ୍ଞ, ନାଭିଛେଦନ, ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଶ୍ରୀରାମଚନ୍ଦ୍ରଙ୍କୁ ବାଲ୍ୟଧୂପ, ଅଲୋଳି ଧୂପ, ମହାଆଳତୀ କରାଯାଇଥିଲା । ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାର ନୈବେଦ୍ୟ ଅର୍ପଣ କରାଯାଇ ଏହାପରେ ଦର୍ଶନ ଭକ୍ତମାନଙ୍କ ଦର୍ଶନ ପାଇଁ ମୁଖ୍ୟ ଦ୍ୱାର ଖୋଲାଯାଇଥିଲା । ଭୋର ୬ଟାରେ ଦିବ୍ୟ ଦର୍ଶନ ହୋଇଥିବାବେଳେ ଓଡିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ କରିଥିଲେ । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଭକ୍ତମାନଙ୍କର ମାନସିକ ବାଣ ଦ୍ୱାରା ବିଭିନ୍ନ ଜାଗାମାନଙ୍କରେ ଲାଇସେନ୍ସ ପ୍ରାପ୍ତ ବାଣୁଆମାନଙ୍କୁ ମାନସିକ ବାଣ ମାରିବାକୁ ଅନୁମତି ମିଳିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ଟ୍ରଷ୍ଟ, ଯାତ୍ରା କମିଟି, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟବିଭାଗ, ଯୁବକସଂଘ, ବିଭିନ୍ନ ପଂଚାୟତର ପ୍ରତିନିଧିମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ପ୍ରଭୁ ଶ୍ରୀରାମଙ୍କର ଦର୍ଶନ କରିବାକୁ ଆସିଥିବା ଭକ୍ତମାନଙ୍କୁ ସହଯୋଗ କରିଥିଲେ । ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନାରେ ସମସ୍ତ ଯାତ୍ରା କମିଟି ସଭ୍ୟ, ବୋର୍ଡର ସଭ୍ୟମାନେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଭୁଙ୍କ ଦର୍ଶନ କରିବା ସହ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ବହୁମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ବିଭୁକୃପା ଲାଭ କରିଥିଲେ ।