ମହିଳାଙ୍କୁ ଜମି ଦେବା ନାଁରେ ଠକେଇ

ରାଜନଗର:  ମହିଳାଙ୍କୁ ଜମିଦେବା ନାଁରେ ଠକେଇ ଓ ଦୁଷ୍କର୍ମ କରିବା ଘଟଣାରେ ରାଜନଗର ଥାନା ପୁଲିସ ଦୁଇଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗକାରିଣୀ ଓ ଦୁଷ୍କର୍ମ ଅଭିଯୁକ୍ତକୁ ଡାକ୍ତରୀ ମାଇନା କରିବା ପରେ କୋର୍ଟରେ ହାଜର କରାଯାଇଥିଲା । ରାଜନଗର ବ୍ଲକ ସାନବଡଗୋପାଳପୁରଠାରେ ଭଡାରେ ରହି ଟେଲରିଂ ଦୋକାନ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଗ୍ରାମର ସ୍ୱର୍ଗତ ପର୍ଶୁରାମ ସାହୁଙ୍କ ସ୍ତ୍ରୀ କବିତା ସାହୁ(୪୫)ଙ୍କୁ ଜମି ଦେବା ନାଁରେ ଠକିବା ସହ ଦୁଷ୍କର୍ମ କରିଥିବା ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ଜମି କିଣିବା ପାଇଁ ଦୁଇବର୍ଷ ତଳେ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଶାସନ ଗ୍ରାମର ସୂର୍ଯ୍ୟନାରାୟଣ ଦାଶଙ୍କ ସହିତ ସେହି ବ୍ଲକ ବେଲତଳ ଗ୍ରାମର ସଂଜୟ ପଣ୍ଡା ଓ ଶିଶିର ସେଣ(ପିଟୁଂ) ଗୋପାଳପୁରଠାରେ ରହୁଥିବା ତାଙ୍କ ଭଡା ଘରକୁ ଆସିଥିଲେ । ସଂଜୟ ତାଙ୍କଠାରୁ ଜମି ଦେବାକୁ କହି ୨୦୨୨ ମାର୍ଚ୍ଚରେ ୧ଲକ୍ଷ ୫୦ହଜାର ଟଙ୍କା ନେଇଥିଲେ । ଏହାର ମାସକ ପରେ ସଂଜୟ ତାଙ୍କ ସାଙ୍ଗ ଶିଶିରକୁ ପଠାଇ ୨୦ହଜାର ଟଙ୍କା ନେଇଥିଲେ । କବିତାଙ୍କୁ ଦେଇଥିବା ଯବାବ ଅନୁଯାୟୀ ସଂଜୟ ଜମି ନଦେବାରୁ ସେ ତାଙ୍କୁ ଟଙ୍କା ମାଗିଥିଲେ । ୨୦୨୪ ଡିସେମ୍ବର ମାସରେ କବିତା ରହୁଥିବା ଭଡାଘରେ ସଂଜୟ ଶିଶିରଙ୍କୁ ଧରି ପହଞ୍ଚôଥିଲେ । ସଂଜୟ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଚୁଟି ଧରି ଟାଣି ଘୋଷାଡି ଜୋରଜବରଦସ୍ତ ଘରେ ପୁରାଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ । ତାଙ୍କ ସାଙ୍ଗରେ ଥିବା ଶିଶିର ଭିଡିଓ ଉତୋଳନ କରିଥିଲେ । ଏକଥା ପ୍ରଘଟ କଲେ ତାଙ୍କୁ ଓ ତାଙ୍କ ପୁଅକୁ ମାରିଦେବାକୁ ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗରେ ଦର୍ଶାଇଥିଲେ । ପୋଲିସ ଏହି ଘଟଣାରେ ସଂଜୟ ଓ ଶିଶିରଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଥାନା ମକଦ୍ଦମା ନଂ- ୧୨୬/୨୫ ରେ ଭାରତୀୟ ନ୍ୟାୟ ସଂହିତା ଦଫା ୩୩୨(ବି)/ ୩୧୮(୪)/ ୬୪(୧)/ ୩୫୧(୩)ରେ ମାମଲା ରୁଜୁ କରିଥିଲେ । ବୁଧବାର ଅପରାହ୍ନରେ ରାଜନଗର ଜେଏମଏଫସିଙ୍କ କୋର୍ଟରେ ହାଜର କରିବା ପରେ ମାନ୍ୟବର ନ୍ୟାୟାଧିଶ ଉଭୟଙ୍କ ଜାମିନୀ ନାମଂଜୁର କରିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରଭାତକୁମାର ଜେନା ଓ ନଳିନୀକାନ୍ତ ମଙ୍ଗରାଜ ମାମଲା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତଦ୍ୱୟଙ୍କ ପକ୍ଷରୁ ଆଇନଜୀବୀ ସୌମ୍ୟରଞ୍ଜନ ଧଳ ମାମଲା ପରିଚାଳନା କରୁଥିଲେ ।