ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ନଟାପଡା ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ୨୦ତମ ବାର୍ଷିକୋତ୍ସବ ଦିବସ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଆୟୋଜିତ ମାତୃସମ୍ମିଳନୀରେ ବୁଦ୍ଧିରାମ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଖଇରା ବ୍ଲକ ଶିକ୍ଷାଧିକାରୀ ଗଦାଧର ଦାସ ମୁଖ୍ୟଅତିଥି, ଅଧ୍ୟାପିକା ଡ.ହରପ୍ରିୟା ମହାନ୍ତି ମୁଖ୍ୟବକ୍ତା ଓ ସଂକୁଳ ସଂଯୋଜକ ଅଶୋକ ରଞ୍ଜନ ପଲାଇ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ପରେ ଶିଶୁ ବାଟିକାସ୍ତରରେ ଶଙ୍ଖଫୁଙ୍କା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ରାଧାକାନ୍ତ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ପୁରସ୍କାର ବିତରଣୀ ସଭାରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ବ୍ରଜସୁନ୍ଦର ସ୍ୱାଇଁ ମୁଖ୍ୟଅତିଥି, ଖଇରା ମହାବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା ମୁଖ୍ୟବକ୍ତା, ଅଧ୍ୟାପକ ବନମାଳୀ ବାରିକ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ସଂସ୍କାର ସଂସ୍କୃତି ସୁରକ୍ଷିତ ରହିଲେ ଦେଶ ଓ ଜାତି ଆଗକୁ ବଢିପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଧାନାଚାର୍ଯ୍ୟ ଶଶୀକାନ୍ତ ଦାସ ଓ ଗୁରୁଜୀ ଦେବେନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚୟ, ଅକ୍ଷୟ କୁମାର ବାରିକ ବିବରଣୀ ପାଠ, ଶୁକଦେବ ପରିଡା ଓ ସବିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମ୍ୟାଜିକ ଶୋ’ ଓ ପିଲାମାନଙ୍କ ଦ୍ୱାରା ନାଚଗୀତ ପରିବେଷଣ କରାଯାଇଥିଲା ।