ହର ହର ମହାଦେବ ଧ୍ୱନିରେ କମ୍ପିଲା କପିଳାସ : ଦୀପ ଜାଳିଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ଢେଙ୍କାନାଳ : ପବିତ୍ର ମହାଶିବରାତ୍ରି ନିମନ୍ତେ ପ୍ରସିଦ୍ଧ ଶୈବପୀଠ କପିଳାସରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ପାଗ ଭଲ ଥିବାରୁ ପୀଠରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଲକ୍ଷକ୍ଷଧିକ ଭକ୍ତ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କୁ ଦର୍ଶନ କରିବା ସହ ଉଜାଗର ଜାଗର ଜାଳିଛନ୍ତି । ହର ହର ମହାଦେବ ଏବଂ ଓଁ ନମଃ ଶିବାୟ ଧ୍ୱନୀରେ କପିଳାସ ପୀଠ ପ୍ରକମ୍ପିତ ହୋଇଉଠିଛି । ସନ୍ଧ୍ୟାରୁ ସମଗ୍ର କପିଳାସ ପୀଠରେ ଶ୍ରଦ୍ଧାଳୁମାନେ ଦୀପ ଜାଳି ବସିଥିଲେ । ଆଜି ଶ୍ରଦ୍ଧାଳୁମାନେ ପ୍ରାତଃ ସମୟରୁ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ଲମ୍ବା ଧାଡି ଲଗାଇଥିଲେ । ପାରମ୍ପରିକ ରୀତିନୀତି ଅନୁଯାୟୀ ଠାକୁରଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ସ୍ନାନ ମାର୍ଜନା, ସୂର୍ଯ୍ୟପୁଜା ଓ ସକାଳଧୂପ କରାଯାଇଥିଲା । ସେବାୟତମାନେ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଯଥାରୀତିରେ କରିଥିଲେ । ଏହି ଅବସରରେ ପୀଠର ଅଧିଷ୍ଠିତ ଦେବୀ ମା ପାର୍ବତୀଙ୍କର ରାଜରାଜେଶ୍ୱରୀ ବେଶ ଓ ନାରାୟଣଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ଏସ୍ଡିପିଓ, ଦେବୋତ୍ତର ନିର୍ବାହୀ ଅଧିକାରୀ, ଥାନା ଅଧିକାରୀ ଶାନ୍ତନୁ କୁମାର ପଧାନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କର୍ମକର୍ତ୍ତା, ଦେବୋତ୍ତର ନୀରିକ୍ଷକ ପ୍ରଦୁ୍ୟମ୍ବ ତ୍ରିପାଠୀ, ବସନ୍ତ କୁମାର ରଥଙ୍କ ସମେତ ବିଭାଗର କର୍ମଚାରୀ ଉପସ୍ଥିତ ରହି ତଦାରଖ କରିଥିଲେ । ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମନ୍ଦିରର ପାଦ ଦେଶରେ ଓ ପୀଠ ପରିସରରେ ଦୁଇଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିଲା । କପିଳାସ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଭକ୍ତଙ୍କ ଧାଡି ଲମ୍ବିବାରେ ଲାଗିଥିବା ବେଳେ ରାତିରେ ଏହା ଆହୁରି ବୃଦ୍ଧି ପାଇଥିଲା ।