ଅଭିଭାବକଙ୍କ ଘରୁ କଳାକନା ବୁଲାଇଲା ଡ୍ରାଇଭର

ଢେଙ୍କାନାଳ  : ପେଶାରେ ସ୍କୁଲ ଭ୍ୟାନ ଚାଳକ ଥିଲା । ଅଭିଭାବକମାନଙ୍କ ସହ ଯୋଗାଯୋଗ କରି ବିଭିନ୍ନ ବିଦ୍ୟାଳୟରେ ପିଲାଙ୍କୁ ଗାଡିରେ ନେଇ ଛାଡୁଥିଲେ ଏବଂ ଆଣୁଥିଲା । ଯେଉଁଦିନ ଯେଉଁ ପିଲା ସ୍କୁଲକୁ ଯାଉନଥିଲା ଅଭିଭାବକଙ୍କୁ ସେ ସଂପର୍କରେ ପଚାରି ଖବର ନେଇଯାଉଥିଲା । ଘରେ କେହି ନଥିବା ଜାଣିବା ପରେ କଳାକନା ବୁଲାଇ ଦେଉଥିଲା । ଏଭଳି ଏକ ଚୋରକୁ ଟାଉନ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ରଗଡିସାହି ଅଂଚଳର କହ୍ନେଇ ବାରିକ ଓରଫ କାହ୍ନା(୩୩) । ସେ ଚୋରି କରିଥିବା ୧୧୦ ଗ୍ରାମ ସୁନା, ୨୦୦ଗ୍ରାମ ରୁପା, ସ୍ମାର୍ଟୱାଚ ୩ଟା, ରିଷ୍ଟ ୱାଚ୨ଟା, ଲ୍ୟାପଟପ ୩ଟା ସହିତ ଇଣ୍ଡକସନ ଚୁଲାକୁ ମଧ୍ୟ ପୁଲିସ ଜବତ କରିଛି ।
ପୁଲିସ ସୂଚନା ଅନୁଯାୟୀ, ସହରର କାରିଗର ସାହିର ପ୍ରଶାନ୍ତ କୁମାର ପାଣିଙ୍କ ପରିବାର ଗତ ୨୫ ତାରିଖରେ ବାହାରକୁ ଯାଇଥିଲେ । ଘରେ କେହି ନଥିବା ସୁଯୋଗରେ ତାଙ୍କ ଘରୁ ଏକ ଆପୋଲ ଲାପଟପ, ରୁପା କଏନ୬ଟା, ମୋବାଇଲ ଗୋଟେ , ରିଷ୍ଟ ୱାଚ ଆଦି ଚୋରି ହୋଇଥିବା ସଂର୍ପକରେ ଗତ ୨୬ ତାରିଖରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ୩୩୮/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସିସିଟିଭିରେ ଅଭିଯୁକ୍ତ ଏକ ଜୁପିଟର ସ୍କୁଟିରେ  ଯାଉଥିବା ଦେଖାଯାଉଥିଲା । ସେହି ସ୍କୁଟିଟି ଯେଉଁ ମାଲିକଙ୍କର ତାଙ୍କର ଚାରିଚକିଆ ଗାଡିକୁ ଅଭିଯୁକ୍ତ ଚଲାଉଥିବା ଜଣାପଡିଥିଲା । ପୁଲିସ ତାକୁ ସନେ୍ଦହ କରି ଉଠାଇ ଆଣି ପଚରାଉଚରା କରିଥିଲେ । ସେ ଏହି ଚୋରି କରିଥିବା ସ୍ୱୀକାର କରିବା ସହ ଅନ୍ୟ ୩ଟି କେସରେ ସଂପୃକ୍ତ ରହିଥିବା ମାନିଥିଲା । ସେହିପରି ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ରୀତା ବେଉରାଙ୍କ ଅମଲାପଡା ସ୍ଥିତ କ୍ୱାର୍ଟରରୁ ଲାପ୍ଟପ, ସୁନାଚେନ, ରୂପା ଜିନିଷ, ଇଣ୍ଡକସନ ଆଦି ଚୋରି କରିଥିଲା । ସହର ଟାଉନ ପ୍ଲାନିଂ ଅଂଚରେ ଗତ ମାର୍ଚ୍ଚ ମାସରେ ରଶ୍ମିତା ଦାସଙ୍କ ଘରୁ ଲାପଟପ, ସୁନାରୂପା, ଘଂଟା ଆଦି ଚୋରି ହୋଇଥିବା ଅଭିଯୋଗ ହୋାଇଥିଲା । ଗତ ୨୦୨୪ ମସିହା ଜୁଲାଇ ମାସରେ ଗାୟତ୍ରୀ ନଗରର ମାନସ ରଞ୍ଜନ ଆଚାର୍ଯ୍ୟଙ୍କ ଘରୁ ରୁପା ଅଳଙ୍କାର, ସୁନା କୋଟେଡ ଚୁଡି ଆଦି ଚୋରୀ ହୋଇଥିବା ପୁଲିସରେ ଅଭିଯୋଗ ହୋଇଥିଲା । ଏହି ସମସ୍ତ ଘରମାଲିକମାନଙ୍କ ମଧ୍ୟରୁ ଅଧିକଂଶଙ୍କ ପିଲାଙ୍କୁ ସେ ଭଡାଗାଡିରେ ସ୍କୁଲ ନେବା ଆଣିବା କରୁଥିଲା । ସେମାନେ ଘରେ ନଥିବାର ସୁଯୋଗ ନେଇ  ଅଭିଯୁକ୍ତ ଚୋରି କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା । ତେବେ   ପୁଲିସ ତାକୁ ଗିରଫ କରିବା ପରେ ଉପରୋକ୍ତ ସୁନାରୁପା ଅଳଙ୍କାର ଏବଂ ସାମଗ୍ରୀକୁ  ସେ ଦେଇଥିବା ଗୋଲ୍ଡ ଋଣ ସଂସ୍ଥାରୁ ଏବଂ ଆଉକିଛି ଅନ୍ୟସ୍ଥାନରୁ ଉଦ୍ଧାର କରିଥିବା ଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି ।