ଏବେ ବିଜେପି ପ୍ରାର୍ଥୀଙ୍କଠାରୁ ୬ ଶହ ଭୋଟ୍ ପଛରେ କେଜ୍ରିଓ୍ୱାଲ!

ଏବେ ବିଜେପି ପ୍ରାର୍ଥୀଙ୍କଠାରୁ ୬ ଶହ ଭୋଟ୍ ପଛରେ କେଜ୍ରିଓ୍ୱାଲ!

ଦିଲ୍ଲୀରେ ଆପ୍ ବିଜୟଠୁ ଏବେ ବଡ଼ ଦୂରରେ । ଦୀର୍ଘ ବର୍ଷ ପରେ ଏଠାରେ ବିଜେପି ପୁଣିଥରେ ସରକାର ଗଢୁଥିବା ଦେଖିବାକୁ ମିଳୁଥିବାବେଳେ, ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ହାରିବା ସ୍ଥିତିରେ । ଖବର ଲେଖାଯିବା ବେଳକୁ, ନୂଆଦିଲ୍ଲୀ ଆସନର ୯ଟି ରାଉଣ୍ଡ ଗଣତି ଶେଷ ହୋଇସାରିଛି । ଆଉ ୯ମ ରାଉଣ୍ଡ ସୁଦ୍ଧା ପଛରେ ଅଛନ୍ତି ଆପ୍ ନେତା ଅରବିନ୍ଦ କେଜ୍ରିଓ୍ୱାଲ । ମିଳିଥିବା ସୂଚନା ମୁତାବକ, ଅରବିନ୍ଦ କେଜ୍ରିଓ୍ୱାଲ ବର୍ତ୍ତମାନ ସୁଦ୍ଧା ୬ ଶହ ଭୋଟ୍ ପଛରେ ଅଛନ୍ତି । ଏହି ଆସନରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ରମେଶ ବିଧୁଡି ।

ତେବେ ଟ୍ରେଣ୍ଡରେ ନୂଆଦିଲ୍ଲୀ ଆସନରେ କଡା ଟକ୍କର ଦେଖିବାକୁ ମିଳୁଛି । କେତେବେଳେ କେଜ୍ରିଓ୍ୱାଲ ଆଗରେ ରହୁଥିବାବେଳେ, କେତେବେଳେ ରମେଶ ଆଗରେ ରହୁଛନ୍ତି । ତେବେ ରୋଚକ କଥା ହେଲା, ଦୀର୍ଘ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଠନ କରୁଥିବା ଦେଖିବାକୁ ମିଳୁଛି । ତେବେ ଏଥର ନିର୍ବାଚନରେ ବିଜେପିକୁ ମୁସଲିମ ବହୁଳ ଅଞ୍ଚଳରେ ମଧ୍ୟ ଅଧିକ ଭୋଟ୍ ମିଳିଛି । ଅଧିକାଂଶ ମୁସଲିମ୍ ବହୁଳ ନିର୍ବାଚନ ମଣ୍ଡଳୀରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ଯାହାକି ବିଜେପି ବିଜୟ ପଛର ବଡ଼ କାରଣ ବୋଲି କୁହାଯାଉଛି ।

ଦିଲ୍ଲୀର ମୋଟ ୭୦ଟି ଆସନ ମଧ୍ୟରୁ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ୪୫ ସିଟରେ ଆଗୁଆ ଅଛି । ସେହିପରି ଆପ୍ ୨୫ ସିଟରେ ଆଗୁଆ ଥିବାବେଳେ, ଅନ୍ୟ ସମସ୍ତଙ୍କର ହାତ ଖାଲି ପଡିଛି । ତେବେ ୨୦୧୩ରୁ ଏଠାରେ ସତ୍ତାରେ ଥିବା ଆପ୍, ଏଥର ସତ୍ତାରୁ ବେଦଖଲ ହେବା ଏକପ୍ରକାର ପକ୍କା ବୋଲି କୁହାଯାଉଛି । ଆଉ ଦୀର୍ଘ ବର୍ଷର ବନବାସକୁ ଶେଷ କରି, ପୁଣିଥରେ ସତ୍ତାକୁ ଫେରିପାରେ ବିଜେପି ।