ଉତ୍ତର ଓଡ଼ିଶାରେ ଉଛୁଳୁଛି ନଦୀ
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଉଛୁଳୁଛି ନଦୀ । ଗତକାଲି ବୈତରଣୀ ବିପଦ ସଂକେତ ଟପିଥିବାବେଳେ ଆଜି ସୁବର୍ଣ୍ଣରେଖା ବି ବିପଦସଂକେତ ଡେଇଁଛି । ଜାମଶୋଳଘାଟ ଓ ରାଜଘାଟ ଠାରେ ସୁବର୍ଣ୍ଣରେଖା ବିପଦସଂକେତ ଟପିଥିବାବେଳେ ଆଖୁଆପଦା ଠାରେ ବୈତରଣୀ ବିପଦସଂକେତ ଉପରେ ରହିଥିଲା । ଫଳରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟିହୋଇଛି ।
ଜଳସମ୍ପଦ ବିଭାଗ ତଥ୍ୟକୁ ଅନୁଶୀଳନ କଲେ, ଖଇରମାଳ ଓ ଟିକରପଡ଼ା ଠାରେ ମହାନଦୀ ବଢୁଛି । ନରାଜ ଠାରେ ଜଳସ୍ତର ସ୍ଥିର ରହିଛି । ତେବେ ହୀରାକୁଦର ୧୨ଟି ଗେଟ୍ ଖୋଲିଥିବାବେଳେ ଆଗକୁ ବଡ଼ ବର୍ଷା ନେଇ ଆଇଏମଡ଼ି ପକ୍ଷରୁ କୁହାଯାଇଛି । ତେଣୁ ନରାଜରେ ବି ଜଳସ୍ତର ବଢ଼ିବାର ସମ୍ଭାବନା ଅଛି । ଜେନାପୁର ଠାରେ ବ୍ରାହ୍ମଣୀ ବଢୁଥିବାବେଳେ ବୈତରଣୀ ଆଖୁଆପଦା ଠାରେ ବିପଦସଂକେତ ଟପିଯାଇଛି । ତେବେ ଜଳସ୍ତର ଏବେ ସ୍ଥିର ରହିଛି । ଅପରପକ୍ଷରେ ଚମ୍ପୁଆ, ସ୍ୱମପାଟଣା, ଆନନ୍ଦପୁରରେ ବୈତରଣୀର ଜଳସ୍ତର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି ।
ଚନ୍ଦନପୁର, ବାଲିମୁଣ୍ଡଳୀ ଓ ଏନଏଚ-୫ ଗୋବିନ୍ଦପୁର ଠାରେ ବୁଢ଼ାବଳଙ୍ଗର ଜଳସ୍ତର ବଢୁଥିଲେବି ତାହା ବିପଦ ସଂକେତର ବହୁ ତଳେ ରହିଛି । ଜାମଶୋଳାଘାଟ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଟପିଥିବାବେଳେ ଜାମଶୋଳାଘାଟରେ ପାଣିସ୍ତର କମିବାରେ ଲାଗିଛି । ମଥାନୀ ରୋଡ଼ ବ୍ରିଜ୍ ନିକଟରେ ଜଳକା ବଢୁଛି । ନଦୀର ଜଳସ୍ତର ବଢୁଥିବାରୁ ନଦୀକୂଳିଆ ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ତେବେ ବଡ଼ ବନ୍ୟାର ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷକରି ବାଲେଶ୍ୱର ଓ ଯାଜପୁରର କିଛି ବ୍ଳକରେ ବନ୍ୟା ସ୍ଥିତି ସୃଷ୍ଟିହୋଇଛି । ଲଘୁଚାପ ପ୍ରଭାବରେ ଉପରମୁଣ୍ଡ ଝାଡଖଣ୍ଡରେ ପ୍ରବଳ ବର୍ଷା ହେବାରୁ କୋଏଲ ସହ ଶଙ୍ଖ ନଦୀ ଫୁଲୁଛି । ଫଳରେ ବ୍ରାହ୍ମଣୀ ପଠାରେ ଥିବା ବାଲୁଘାଟ ବସ୍ତିରେ ପାଣି ପଶିଯାଇଛି । ବାଲୁଘାଟର ୧୦ ଘର ପାଣି ଘେରରେ ଥିବା ବେଳେ ପାଣି ବଢୁଥିବାରୁ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି ।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି ଦୀଘାର ଦକ୍ଷିଣ ପୂର୍ବ ଦିଗରେ ଉତ୍ତର ପୂର୍ବ ବଙ୍ଗୋପସାଗରକୁ ଅତିକ୍ରମ କରୁଛି । ଏସବୁ ସ୍ଥିତିରେ ଆସନ୍ତା ୨୯ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆସନ୍ତାକାଲି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଥିବାରୁ ସେହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକରେ ପ୍ରବଳ ବର୍ଷା ହେବାର ଥିବାବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନାଗିରିରେ ଝଡ଼ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିସବୁ ଜିଳ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ଅଗଷ୍ଟ ୨୬ରେ ଗଜପତି ଓ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରିହୋଇଛି ।