ଜଳୁନି ଷ୍ଟ୍ରିଟ ଲାଇଟ : ଅନ୍ଧାରରେ ଗଳିକନ୍ଦି-ଛକବଜାର

ବ୍ରହ୍ମବରଦା : ଗାଁ ଗଣ୍ଡାର ଗଳିକନ୍ଦି, ଛକବଜାରକୁ ଆଲୋକିକରଣ କରିବାକୁ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଯଦି କହିବା ଗାଁ ଆଲୋକୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି । ହେଲେ ଯଦି ଦେଖିବା ଗାଁ ଗଣ୍ଡାରେ ଲାଗିଥିବା ଅଧିକାଂଶ ଷ୍ଟ୍ରିଟ ଲାଇଟ ଆଉ ଜଳୁନି । ଯାହା ଫଳରେ ଗାଁ ଗଣ୍ଡା, ଛକ ବଜାର ଏବଂ ଗଳିକନ୍ଦିକୁ ସଂଜ ହେଲେ ଅନ୍ଧାର ମାଡ଼ିଆସୁଛି ।
 ଅନ୍ଧାର ଯୋଗୁ ଗାଁ ଲୋକେ ନିରାପଦ ଯିବାଆସିବା କରିପାରୁ ନଥିବା ବେଳେ ଅନ୍ଧକାରର ସୁଯୋଗ ନେଇ ବିଭିନ୍ନ ଗ୍ରାମରେ ଏବେ ଚୋରି ଡକାୟତି ବଢିବଢି ଚାଲିଛି । ଏମିତି ଘଟଣା ରସୁଲପୁର ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତମାନଙ୍କରେ ଦେଖିବାକୁ ମିଳିଛି । ଏହି କ୍ରମରେ ୨୦୨୧-୨୨ରେ ବ୍ଲକ ଅଧିନ ବ୍ରହ୍ମବରଦା ପଞ୍ଚାୟତରେ ଶହେରୁ ଊର୍ଦ୍ଧ ଷ୍ଟ୍ରିଟ ଲାଇଟ ଲାଗିଥିଲା । ମାତ୍ର ସେଥି ମଧ୍ୟରୁ ଏବେ ମାତ୍ର ୪୦ରୁ ୫୦ଷ୍ଟ୍ରିଟ ଲାଇଟ ଜଳୁଥିବା ବେଳେ ବାକି ଗୁଡିକ ଜଳୁନାହିଁ । କିନ୍ତୁ ଉକ୍ତ ସ୍ଥାନରେ ନୂଆ ଲାଇଟ ଲାଗୁନି କି ଏହାର ମରାମତି କରାଯାଉନି । ଯାହାଦ୍ୱାରା ଲୋକେ ରାତିରେ ନାନା ହଇରାଣ ହରକତ ହେଉଛନ୍ତି । ତାଛଡା ଗୋଟେ ଗୋଟେ ସ୍ଥାନରେ ଷ୍ଟ୍ରିଟ ଲାଇଟ ଗୁଡିକ ଦିନରାତି ଜଳୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏନେଇ ବ୍ରହ୍ମବରଦା ପଞ୍ଚାୟତ ଅଧିକାରୀ ନିରଞ୍ଜନ ବଳ କୁହନ୍ତି କି ବ୍ରହ୍ମବରଦା ପଞ୍ଚାୟତରେ ଯେଉଁ ଷ୍ଟ୍ରିଟ ଲାଇଟ ସବୁ ଲାଗିଥିଲା ସମ୍ପୃକ୍ତ କମ୍ପାନୀ ତରଫରୁ ତାର ମରାମତି କରିବା ଅବଧି ଦୁଇବର୍ଷ ଥିଲା । ମାତ୍ର ଲାଇଟ ଲାଗିବାର ଅବଧି ଦୁଇ ବର୍ଷ ପୁରି ଯାଇଥିବାରୁ ତାହା ଆଉ ମରାମତି ହୋଇପାରୁନାହିଁ । ଏହା ବ୍ୟତୀତ ପଂଚାୟତର ଫଣ୍ଡ ଅଭାବରୁ ଲାଇଟ ଗୁଡିକ ମରାମତି ହୋଇ ପାରୁନି କି ନୂଆ ଲାଇଟ ଲାଗିପାରୁନି । କିନ୍ତୁ ଏବାବଦରେ ପଞ୍ଚାୟତ ପକ୍ଷରୁ କୌଣସି ଇଲେକ୍ଟ୍ରି ବିଲ ଦିଆଯାଉ ନଥିବା ସେ କହିଥିଲେ । ସେହିପରି ଷ୍ଟ୍ରିଟ ଲାଇଟକୁ ନେଇ ବନ୍ଧଢିଅ ପଞ୍ଚାୟତ ସରପଞ୍ଚ ବିକ୍ରମ ବେହେରା କୁହନ୍ତିକି ତାଙ୍କ ସମୟରେ ପଞ୍ଚାୟତରେ ୧୧୩ ଟି ଷ୍ଟ୍ରିଟ ଲାଇଟ ଲାଗିଥିଲା । କିନ୍ତୁ ସେଥି ମଧ୍ୟରୁ ଏବେ ମାତ୍ର ୪୪ ଟି ଜଳୁଥିବା ବେଳେ ବାକି ୬୯ ଟି ଷ୍ଟ୍ରିଟ ଲାଇଟ ଜଳୁନଥିବା ସେ କହିଛନ୍ତି । ତା ସହିତ ବହୁ ଷ୍ଟ୍ରିଟ ଲାଇଟ ଜଳୁନଥିବାକୁ ନେଇ ଏକ ଜଏଣ୍ଟ ଇନକ୍ୱାରି କରାଯାଇଛି । ଏବାବଦରେ ଟାଟା ବିଦୁ୍ୟତ ବିଭାଗର ସ୍ଥାନୀୟ ଯନ୍ତ୍ରୀ ଓ ଏସିଙ୍କୁ ମଧ୍ୟ ଅବଗତ କରାଯାଇଥିବା ସେ କହିଛନ୍ତି । କିନ୍ତୁ ଉକ୍ତ ପଞ୍ଚାୟତରେ ଦୀର୍ଘ ଦିନ ହେବ ଅନେକ ଷ୍ଟ୍ରିଟ ଲାଇଟ ଜଳୁ ନଥିଲେ ମଧ୍ୟ ଏବାବଦରେ ପଞ୍ଚାୟତ ଫଣ୍ଡରୁ ଇଲେକ୍ଟ୍ରି ବିଲ ଭରଣ କରାଯାଉଥିବା ସେ କହିଛନ୍ତି । ସେହିପରି ମହେଶ୍ୱରପୁର ପଞ୍ଚାୟତ ସରପଞ୍ଚ ଝରଣା ପାତ୍ରଙ୍କ ପ୍ରତିନିଧି ଅମୂଲ୍ୟ ପାତ୍ର କୁହନ୍ତି କି ତାଙ୍କ ପଞ୍ଚାୟତରେ ମଧ୍ୟ ୧୨୦ରୁ ଉର୍ଦ୍ଧ ଷ୍ଟ୍ରିଟ ଲାଇଟ ଲାଗିଥିଲା । ଏହା ମଧ୍ୟରୁ ୪୦ ରୁ ୫୦ଟି ଜଳୁଥିବା ବେଳେ ଅନ୍ୟଗୁଡିକ ଜଳୁନାହିଁ । ସେଗୁଡିକ ମରାମତି ନହୋଇ ପଡିରହିଛି । ଏବେ ରସୁଲପୁର ବ୍ଲକ ପଞ୍ଚାୟତ ସମିତି ବୈଠକ ଶେଷ ହୋଇଥିବାରୁ ଏବାବଦରେ ଆଗକୁ ଧ୍ୟାନ ଦିଆଯିବ ବୋଲି ଶ୍ରୀ ପାତ୍ର କହିଥିଲେ । ସେହିପରି ମଙ୍ଗରାଜପୁର ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁଙ୍କ ପ୍ରତିନିଧି ଅଶୋକ ସାହୁ କୁହନ୍ତି କି ତାଙ୍କ ପଂଚାୟତରେ ୧୨୫ରୁ ଉର୍ଦ୍ଧ ଷ୍ଟ୍ରିଟ ଲାଇଟ ଲାଗିଥିଲା କିନ୍ତୁ ତା ମଧ୍ୟରୁ ୩୦ ରୁ ୪୦ଟି ଲାଇଟ ଜଳୁଥିବା ବେଳେ ଅବଶିଷ୍ଟ ଜଳୁନଥିବା ସେ କହିଥିଲେ । ପଂଚାୟତର ଫଣ୍ଡ ଅଭାବରୁ ଏହାର କୌଣସି ପ୍ରତିକାର ହୋଇପାରୁନଥିବା ବେଳେ ଏବାବଦରେ କିନ୍ତୁ ପଞ୍ଚାୟତର ଇଲେକ୍ଟ୍ରି ବିଲ ଆସୁଥିବା ସେ କହିଥିଲେ । ସେହିପରି ବ୍ଲକ ଅଧିନ ରାଉତରାପୁର ପଂଚାୟତରେ ମଧ୍ୟ ସମାନ ଅବସ୍ତା ଦେଖିବାକୁ ମିଳିଛି । ଏନେଇ ସରପଂଚ ସ୍ୱର୍ଣ୍ଣଲତା ସାହୁଙ୍କ ପ୍ରତିନିଧି ପ୍ରତାପ କୁହନ୍ତି କି ତାଙ୍କ ପଞ୍ଚାୟତରେ ମଧ୍ୟ ୧୫୦ରୁ ଉର୍ଦ୍ଧ ଷ୍ଟ୍ରିଟ ଲାଇଟ ଲାଗିଥିଲା । କିନ୍ତୁ ତା ମଧ୍ୟରୁ ଏବେ ମାତ୍ର ୫୦ଟି ଜଳୁଥିବା ବେଳେ ଅନ୍ୟଗୁଡିକ ଖରାପ ହୋଇ ପଡିଥିବା ସେ କହିଥିଲେ । କିନ୍ତୁ ପଞ୍ଚାୟତରେ ଲାଗିଥିବା ସବୁ ଷ୍ଟ୍ରିଟ ଲାଇଟ ବାବଦରେ ଇଲେକ୍ଟ୍ରି ବିଲ ଆସୁଥିବା ସେ କହିଥିଲେ । କିନ୍ତୁ ଉକ୍ତ ସବୁ ଘଟଣାକୁ ନେଇ ପଞ୍ଚାୟତ ପ୍ରତିନିଧି ମାନଙ୍କ ମନ୍ତବ୍ୟକୁ ଅନୁଧ୍ୟାନ କଲେ ଜଣାପଡୁଛି କି ଏହି ସବୁ ଗ୍ରାମରେ ଅଧିକାଂଶ ଷ୍ଟ୍ରିଟ ଲାଇଟ ଜଳୁ ନଥିଲେ ମଧ୍ୟ ସେ ବାବଦରେ ଇଲେକ୍ଟ୍ରି ବିଲ ପଞ୍ଚାୟତ ଫଣ୍ଡରୁ ଦେବାକୁ ପଡୁଛି । କିନ୍ତୁ ଟାଟା ବିଦୁ୍ୟତ ବିଭାଗ ଏବାବଦରେ କିପରି ଓ କାହିଁକି ବିଲ ଆଦାୟ କରୁଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଥିବା ବେଳେଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଏନେଇ ରସୁଲପୁର ବିଡିଓ ସତ୍ୟାନନ୍ଦ ଦାସ କୁହନ୍ତି କି ଗ୍ରାମ ମାନଙ୍କରେ ଷ୍ଟ୍ରିଟଲାଇଟ ଲଗିଲା ପରେ ଏହାର ମରାମତି କରିବା ସରକାରଙ୍କ ଦାୟିତ୍ୱରେ ନାହିଁ । କିନ୍ତୁ ପଂଚାୟତ ଫଣ୍ଡରୁ ଏହାର ନବୀକରଣ କିମ୍ୱା ମରାମତି କାର୍ଯ୍ୟ କରାଯିବ ବୋଲି ଗାଇଡଲାଇନ ରହିଛି । ସେଥିପାଇଁ ଟାଟା ବିଦୁ୍ୟତ ବିଭାଗର ଅଧିକାରୀ ମାନେ ପଂଚାୟତ ପ୍ରତିନିଧିଙ୍କୁ ସହଯୋଗ କରିବେ ବୋଲି କହିଥିଲେ । କିନ୍ତୁ ଗୋଟିଏ ପଟେ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦାସ ଷ୍ଟ୍ରିଟ ଲାଇଟ ଗୁଡିକ ମରାମତି ପଞ୍ଚାୟତ ଫଣ୍ଡରୁ ହେବ ବୋଲି କହୁଥିବା ବେଳେ ପଞ୍ଚାୟତ ଅଧିକାରୀ ଓ ପ୍ରତିନିଧି ପଂଚାୟତରେ ଫଣ୍ଡ ନଥିବା କହୁଛନ୍ତି । ତା ଛଡା ଟାଟା  ବିଭାଗ ପଂଚାୟତ ପ୍ରତିନିଧି ମାନଙ୍କୁ ସହଯୋଗ କରିବା ଅପେକ୍ଷା ପଞ୍ଚାୟତ ଠାରୁ ଲୁଟ କରିବାରେ ଲାଗିଛି । 
ସେହିପରି ଭାବେ ରସୁଲପୁର ବ୍ଲକ ଅର୍ଥଙ୍ଗା, ସମାନ୍ତରାପୁର, ଅତଲାପୁର, ପ୍ରଥମାଖଣ୍ଡି ଓ ସାମନ୍ତରାପୁର ଆଦି ପଞ୍ଚାୟତ ମାନଙ୍କରେ ମଧ୍ୟ ଷ୍ଟ୍ରିଟ ଲାଇଟକୁ ନେଇ ଲୋକେ ଅଭିଯୋଗ ଆଣିଛନ୍ତି । ସେହିପରି ଯାଜପୁର ବ୍ଲକ ଅଧୀନ ଝାଲପଡା, ରୁଦ୍ରପୁର, ବାଗସାହି, ସିଠାଳୋଇ, ସୁଜନପୁର ଆଦି ଗ୍ରାମ ମାନଙ୍କରେ ଲୋକେ ଷ୍ଟ୍ରିଟ ଲାଇଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ କେବେ ଏହାର ମରାମତି କିମ୍ୱା ନବୀକରଣ କରାଯାଉଛି ତାହା କେବଳ ଦେଖିବାକୁ ବାକି ରହିଲା ।