ଦୁଃସ୍ଥିତିରେ କୁଆଖିଆ ପରିବା ମାର୍କେଟ୍  : ଶୁଳ୍କ ନେଉଛି କମିଟି; ଦୁଃଖ ଭୋଗୁଛି ଚାଷୀ 

 କୁଆଖିଆ  : ୧୬ ନଂ-ଜାତୀୟ ରାଜପଥ କୁଆଖିଆ ବଜାର ନିକଟରେ ଥିବା ଦୈନିକ ପରିବା ମାର୍କେଟ୍ଟି ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ଗତିକରୁଛି  । ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେଉଥିବା ଏହି ଚାଷୀ ମାର୍କେଟ୍ ଉପରେ ବ୍ଲକ ଅଞ୍ଚଳର ଚଣ୍ଡିପୁର, ରସୁଲପୁର, ଓରାଳି, ସାରଙ୍ଗପୁର, ମୁଗୁପାଳ, ବରାଂଶ, କୋଳଥଳ, ରାହାମ୍ବା, ମଧୁବନ, କୁରାଂଶ, ଘୋଳପୁର, କମାରପାଳ ପ୍ରଭୃତି ୧୫ରୁ ଉର୍ଦ୍ଧ୍ୱ ଗ୍ରାମର ଚାଷୀମାନେ ସେମାନଙ୍କ ପନିପରିବା ବିକ୍ରି କରି ପରିବାର ଚଳାଇଥାନ୍ତି  । କିନ୍ତୁ ବଜାର କମିଟିର ଅବହେଳା ଓ ମନମୁଖୀ ମନୋଭାବ ଯୋଗୁଁ ଶହଶହ ଚାଷୀଙ୍କୁ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି  । ଏସମ୍ପର୍କରେ ଚାଷୀମାନେ ଦାୟିତ୍ୱରେ ଥିବା କମିଟି ନିକଟରେ ଫେରାଦ ହେଲେ ମଧ୍ୟ ସେମାନଙ୍କ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି  । ଯାହାକୁ ନେଇ ଚାଷୀମାନେ ଜିଲାପାଳଙ୍କୁ ଅଭିଯୋଗ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  । 
ସୂଚନା ଅନୁଯାୟୀ, ଏହି ମାର୍କେଟ୍ଟି ଯାଜପୁର ବଜାର ନିୟନ୍ତ୍ରିତ କମିଟି ଅଧୀନରେ ଥିବା ବେଳେ ବଜାର କମିଟି ଲଗାଇଥିବା ଷ୍ଟ୍ରିଟ୍ ଲାଇଟ୍ଗୁଡିକ ଦୀର୍ଘ ବର୍ଷ ହେଲା ଜଳୁନାହିଁ  । ମାର୍କେଟ୍ଟି ସନ୍ଧ୍ୟା ହେଲେ ଅନ୍ଧାର । ଯାହାଫଳରେ ଚାଷୀମାନେ ଦୈନିକ ୨୦ ଟଙ୍କା ଦେଇ ଭଡ଼ାରେ ଲାଇଟ୍ କିଣି ପରିବା ବିକ୍ରି କରୁଥିବା ଦେଖାଯାଉଛି  । ଏଥିସହିତ ବେପାରୀମାନେ ମଧ୍ୟ ଭଡାରେ ଲାଇଟ୍ କିଣି ବେପାର କରୁଥିବା ଦେଖାଯାଉଛି  । ବଜାର ମଧ୍ୟରେ ଆବର୍ଜନା କୁଣ୍ଡ ନଥିବାରୁ କୁଢ କୁଢ ପଚା ପରିବା ପଡିରହି ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେଉଛି  । ବର୍ଷା ଦିନେ ମାର୍କେଟ୍ ମଧ୍ୟରେ ପାଣି ଜମି ରହୁଥିବାରୁ ଜାଗାର ଅଭାବ ଯୋଗୁଁ ଚାଷୀମାନେ ଉପାୟ ଶୂନ୍ୟ ହୋଇ ଉକ୍ତ ଆବର୍ଜନା ଉପରେ ବସି ପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି  । ଯେଉଁଥିରେକି ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି । 
ଏହି ମାର୍କେଟ୍ରୁ ବଜାର କମିଟି ମାର୍କେଟ୍ର ସ୍ୱଛତା ଏବଂ ଉନ୍ନୟନ ପାଇଁ ଚାଷୀମାନଙ୍କ ଠାରୁ ଦୈନିକ ଶୁଳ୍କ ନେଉଥିବାବେଳେ ଚାଷୀ ଓ ବେପାରୀମାନଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥାନ୍ତି  । ଏଥିସହିତ ସନ୍ଧ୍ୟା ହେଲେ ଏହି ମାର୍କେଟ୍ ଭିତରେ ବଡ଼ ବଡ଼ ଚାରି ଚକିଆ,ଦୁଇ ଚକିଆ ଯାନ ଯିବା ଆସିବା କରିବା ଫଳରେ ଚାଷୀମାନେ ବେପାର ବଣିଜ କରିବାରେ ସମସ୍ୟା ଭୋଗୁଥିବା ଦେଖାଦେଇଛି  । ଏହାକୁ ଆଧାର କରି ମାର୍କେଟ୍ ଉପରେ ନିର୍ଭରଶୀଳ ଚାଷୀ ଓ ବ୍ୟବସାୟୀ ମନୋଜ କୁମାର ସାହୁ, ରବି ମଲ୍ଲିକ, ଅୟସକାନ୍ତ ସ୍ୱାଇଁ, ଚନ୍ଦନ ପଣ୍ଡା, ମନୋରଞ୍ଜନ ରାଉତ, ଚନ୍ଦନ ସାହୁ, ରଶ୍ମିରଞ୍ଜନ ପଣ୍ଡା, ସୁଧାଂଶୁ ନାୟକ, ନରେନ୍ଦ୍ର ସାହୁ, ଅଭିମନୁ୍ୟ ବେହେରା, କାଳିଆ ମହାନ୍ତି, ଶ୍ରୀଧର ସାହୁ, ଟୁକୁନା ପରିଡା, କେଦାର ମଲିକ, ପୁରସ୍ତମ ସାହୁ, ଗଙ୍ଗାଧର ସାହୁ, ସୁଦର୍ଶନ ଦଳେଇ, ଜୟନ୍ତୀ ଦାଶ, ବିରେନ୍ଦ୍ର ମିଶ୍ର, ସତ୍ୟାନନ୍ଦ ମଲିକ, ମଦନ ସ୍ୱାଇଁ, ଅରୁଣ କୁମାର ପଣ୍ଡା ପ୍ରମୁଖ ଶତାଧିକ ଚାଷୀ ବିଭାଗୀୟ ମନ୍ତ୍ରୀ, ଯାଜପୁର ସାଂସଦ, ଧର୍ମଶାଳା ବିଧାୟକ ଓ ଯାଜପୁର ଏଡିଏମ୍ଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି  ।