ଅବାଧରେ ଚାଲିଛି ଚୋରା ଲଘୁ ଖଣିଜ ଲୁଟ୍

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ବ୍ୟାପକ ପରିମାଣର ବାଲି, ମୋରମ, ମାଙ୍କଡା ପଥର ଓ କଳାମୁଗୁନି ପଥର ସମେତ ଅନ୍ୟ ଲଘୁ ଖଣିଜ ଦ୍ରବ୍ୟ ଚୋରାରେ ଉତ୍ତୋଳନ କରାଯାଇ ଚାଲାଣ କରାଯାଉଛି । ମାଫିଆ, ରାଜନେତା ଏବଂ ଅସାଧୁ ପ୍ରଶାସନିକ ଅଧିକାରୀମାନଙ୍କ କୋଳାକୋଳିରେ ପ୍ରତିଦିନ ଶହଶହ ଟ୍ରକ ଲଘୁଖଣିଜ ଲୁଟ୍ ହେଉଛି । ସତେ ଯେପରିି ଲୁଟେରାଙ୍କ ଗନ୍ତାଘର ପାଲଟିଛି ଢେଙ୍କାନାଳ ଜିଲ୍ଲା । ଦିନ ଠାରୁ ରାତି ପର୍ଯ୍ୟନ୍ତ ବେଆଇନ ଭାବେ ଚାଲାଣ ହେଉଥିବାରୁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେଉଛି । ଏଭଳି ଚୋରା କାରବାରକୁ ରୋକିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଏସ୍ପି, ଡିଏଫ୍ଓ, ପୁଲିସ୍ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନେଇ ଟାକ୍ସଫୋର୍ସ ଗଠନ କରାଯାଇଥିଲେ ହେଁ ବାସ୍ତବରେ ତାହା କାର୍ଯ୍ୟ କରୁନାହିଁ ।
ଢେଙ୍କାନାଳ ଜିଲ୍ଲାରେ ବ୍ୟାପକ ଖଣିଜ ସଂପଦ ପୁରି ରହିଛି । ଜିଲ୍ଲାର ମଧ୍ୟଭାଗ ଦେଇ ଯାଇଥିବା ତଥା ଜିଲ୍ଲାବାସୀଙ୍କ ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀର ବାଲି ସହ ବିଭିନ୍ନ ବ୍ଲକରେ ମିଳୁଥିବା ଉନ୍ନତମାନର ମାଙ୍କଡା ପଥର ସହ କଳାମୁଗୁନି ପଥର ଓ କାମାକ୍ଷାନଗର ଅଚଂଳରେ ବ୍ୟାପକ ଭାବେ ଥିବା କ୍ରୋମାଇଟ୍ ଉପରେ ଏବେ ମାଫିଆମାନଙ୍କ ରାଜୁତି ଚାଲିଛି । ଜିଲ୍ଲା ପ୍ରଶାସନର କିଛି ଅସାଧୁ ଅଧିକାରୀଙ୍କ ସହ ସ୍ଥାନୀୟ ପୁଲିସ୍ ସହଯୋଗରେ ମାଫିଆମାନେ ଦନିରାତି ସବୁବେଳେ ସବୁବେଳେ ନିର୍ବିଘ୍ନରେ ଚଲାଇଛନ୍ତି ସେମାନଙ୍କ ବେପାର । ଫଳରେ ଜିଲ୍ଲାରେ ଚୋରା ଖଣି ଖାଦାନ ଓ ଏହାର ଚାଲାଣ ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି । ଅଭିଯୋଗ ହେଲେ କେତେବେଳେ କାଭାଁ ଲୋକଦେଖାଣିଆ ଭାବେ ଚଢାଉ କରି ନିଜର ଦାୟିତ୍ୱ ସାରି ଦେଉଛନ୍ତି । ଏହିଭଳି ଦୀର୍ଘବର୍ଷ ଧରି ଲଘୁଖଣିଜ ଦ୍ରବ୍ୟ ଉପରେ ମାଫିଆରାଜ୍ ଚାଲିଥିବା ବେଳେ ସତେଯେପରି ଏହାକୁ ବନ୍ଦ କରିବା ପ୍ରଶାସନର ଆନ୍ତରିକ ଉଦ୍ୟମ ନାହିଁ ।  ଯାହାଫଳରେ ହଜାର ହଜାର ଏକର ଜମି ଖଣି ଖାଦାନ ଯୋଗୁଁ ଖାଲଖମାଣରେ ପରିଣତ ହୋଇଛି । ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଓଡାପଡା, ଢେଙ୍କାନାଳ ସଦର ଓ ହିନେ୍ଦାଳ ଅଞ୍ଚଳରେ ବ୍ୟାପକ ପରିମାଣରେ ମାଙ୍କଡା ଓ କଳା ପଥର ସହ ଭୁବନ ଓ କାମାକ୍ଷାନଗରରେ ରହିଥିବା କ୍ରୋମାଇଟ୍, ନଦୀ ବାଲି ପ୍ରଭୃତି ଚୋରାରେ ଉତ୍ତୋଳନ କରାଯାଇ ଜିଲ୍ଲା ଓ ଜିଲ୍ଲା ବାହାରକୁ ଚାଲାଣ ହେଉଛି । ତାହାର ଚାହିଦା ରହିଥିବାରୁ ପଥର ମାଫିଆମାନେ ପ୍ରୋକଲିନ୍, ଜେସିବି, ଟ୍ରାକ୍ଟର ଓ ବିଭିନ୍ନ ବଡ ବଡ ମେସିନ୍ ଆଦି ବ୍ୟବହାର କରିବା ସହିତ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ କରିବା ସହ କୋଟି କୋଟି ଟଙ୍କା ମୁନାଫା କରୁଛନ୍ତି ।
କେତେକ ଜାଗାରେ ପ୍ରଶାସନ ପକ୍ଷରୁ ନିଲାମ ହେଉଥିବା ଖଣିଖାଦାନଗୁଡିକୁ ମାଫିଆମାନେ ନିଲାମରେ ନେଉଛନ୍ତି । ଅନେକ ଖଣି ଖାଦାନରେ ପଥର ସରି ଯାଇଥିବାବେଳେ ସେମାନେ ଏହାର କାଗଜ ପତ୍ର ଜରିଆରେ ଆଖପାଖ ଅଞ୍ଚଳରୁ ଚୋରା ଖଣିମାନ କରି ପଥର ଉତ୍ତୋଳନ କରି ଆସୁଛନ୍ତି । କେତେକ ଘରୋଇ ଓ ଜଙ୍ଗଲ ଜମିରୁ ଜୋର୍ ଜବରଦସ୍ତ ଓ ସ୍ଥାନୀୟ ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ଚୋରା ଖାଦାନ ମାନ କରି ମଧ୍ୟ ପଥର ଉତ୍ତୋଳନ କରୁଛନ୍ତି । ଏଥିରୁ ଠାକୁରଙ୍କ ଜମି ମଧ୍ୟ ବାଦ୍ ପଡୁନି । ଏହି ଖଣି ଖନନ କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ଓ ବାହାରର ମାଫିଆମାନେ ସମ୍ପୃକ୍ତ ରହୁଛନ୍ତି । ମାଙ୍କଡ଼ା ପଥର ଖଦାନ ଗୁଡ଼ିକରେ ଦିନ ଓ ରାତିରେ କଟର ମେସିନ୍ରେ ପଥର କାଟି ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଛି । ଚୋରି ରୋକିବା ପାଇଁ ବିଭିନ୍ନ ଚେକ୍ପୋଷ୍ଟରେ ସିସି କ୍ୟାମେରା ଲଗାଯାଇ ବେଆଇନ୍ ପଥର ଓ ବାଲି ଚୋରାଚାଲାଣକାରୀଙ୍କ ଉପରେ ନଜର ରଖାଯିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଏସ୍ପି, ଡିଏଫ୍ଓ, ପୁଲିସ୍ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନେଇ ଟାକ୍ସଫୋର୍ସ ଗଠନ କରାଯାଇଥିଲେ ହେଁ ବାସ୍ତବରେ ତାହା କାର୍ଯ୍ୟ କରୁନାହିଁ ।  ଯାହାଫଳରେ ମାଫିଆମାନଙ୍କ ରାଜୁତି ଦିନକୁ ଦିନ ବଢି ଚାଲୁଛି ।