‘ଉନ୍ନତ ସମାଜ ଗଠନର ମାର୍ଗଦର୍ଶକ ବରିଷ୍ଠ ନାଗରିକ’

ଢେଙ୍କାନାଳ : ଉନ୍ନତ ସମାଜ ଗଠନର ମାର୍ଗଦର୍ଶକ ବରିଷ୍ଠ ନାଗରିକମାନେ ବୋଲି ଢ଼େଙ୍କାନାଳ ଜିଲ୍ଲା ନଗରପାଳ ଜୟନ୍ତୀ ପାତ୍ର ମତପ୍ରକାଶ କରିଛନ୍ତି । ଢ଼େଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଏକୋଇଶି ତମ ସମ୍ବତ୍ସରିକ ମହୋତ୍ସବ ସ୍ଥାନୀୟ ଅଭିନନ୍ଦନ ଗାର୍ଡେନ ଠାରେ ମଞ୍ଚର ସଭାପତି ପ୍ରହଲ୍ଲାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଦିବଂଗତ ସଦସ୍ୟ ସଦସ୍ୟାମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ନୂତନ ସଦସ୍ୟମାନଙ୍କ ପରିଚୟ ସହ କତିପୟ ସଦସ୍ୟମାନଙ୍କୁ ପୁଲିସ୍ ବିଭାଗରୁ ଫଟୋ ପରିଚୟ ପତ୍ର ମୁଖ୍ୟଅତିଥି ଶ୍ରୀମତୀ ପାତ୍ର ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ମହାସଚିବ ରାଜକିଶୋର ସାମନ୍ତରାୟ ଯୋଗଦାନ କରି ଏହା ବରିଷ୍ଠ ନାଗରିକ ସଂଘ ସହ ବୁଦ୍ଧିଜୀବୀ ସଂଗଠାନ କହିଲେ ଅତୁ୍ୟକ୍ତି ହେବନାହିଁ ବୋଲି ମତବ୍ୟକ୍ତ କରିଥିଲେ । ବୈକୁଣ୍ଠ ନାଥ ବେହେରା ଜଣେ ବରିଷ୍ଠ କର୍ତ୍ତବ୍ୟ ନିଷ୍ଠ କର୍ମକର୍ତ୍ତା, ଯେକି ପ୍ରତ୍ୟେହ ଦୁଇବେଳା ଚିତ୍ତ ବିନୋଦନ କେନ୍ଦ୍ରକୁ ଖୋଲା ରଖିବା, ବନ୍ଦ କରିବା ଦାୟିତ୍ୱ ସୁଚାରୁ ରୂପେ ସଂପାଦନ କରୁଥିବାରୁ ଦୃଢ଼ ସଂଗଠକ ହିସାବରେ ମୁଖ୍ୟ ଅତିଥି ଜୟନ୍ତୀ ପାତ୍ର ସମ୍ମାନିତ କରିଥିଲେ । ଭିକାରୀ ଚରଣ ରାଉତ, ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ବସନ୍ତ କୁମାର ପଟ୍ଟନାୟକ, ସଦାନନ୍ଦ ସେଠୀ, ହୃଦାନନ୍ଦ ଦ୍ୱିବେଦୀ, ଡ଼ଃ ବିଦୁଭୂଷଣ ନନ୍ଦ, ସାଗରମଲ ଅଗ୍ରୱାଲ ଉପସ୍ଥିତ ଥିଲେ । ମଞ୍ଚର ସମ୍ପାଦକ କୃଷ୍ଣ ମୋହନ ସାହୁ ଓ ପିତବାସ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।