ପର୍ଯ୍ୟଟକଙ୍କୁ ମାଡ ମାରି ଲୁଟ ଘଟଣା, ୫ ଗିରଫ

 ଫୁଲବାଣୀ:  କେରଳ ପର୍ଯ୍ୟଟକଙ୍କୁ ମାଡ଼ମାରି ଲୁଟ୍ ଘଟଣାରେ ପାଞ୍ଚ ଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଫୁଲବାଣୀ ସଦର ଥାନା ପୁଲିସ୍ । କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଥିବାବେଳେ କିଛିଦିନ ହେଲା ଅପରାଧୀମାନେ ରାଜ୍ୟ ତଥା ଜିଲ୍ଲା ବାହାରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀମାନଙ୍କୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । 
ପ୍ରକାଶ ଯେ, ଗତ ୮ତାରିଖ ଦିନ କେରଳର କିଛି ଯୁବ ଇଞ୍ଜିନିୟର କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବାବେଳେ ଗୁଗୁଲରେ ସର୍ଚ୍ଚ କରି କନ୍ଧମାଳ ଜିଲ୍ଲାର ପୁତୁଡ଼ି ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ବୁଲାବୁଲି ସରିବା ପରେ ପୁତୁଡ଼ିରୁ ଫୁଲବାଣୀ ଅଭିମୁଖେ ଯାଉଥିବା ସମୟରେ ପୁତୁଡ଼ି ରାସ୍ତାରେ କିଛି ଦୁର୍ବୁତ୍ତ ସେମାନଙ୍କୁ ବିଭିନ୍ନ ପ୍ରକାର ମରଣାସ୍ତ୍ର ଦେଖାଇବା ସହ ମାଡ଼ ମାରିଥିଲେ । ଏବଂ ସେମାନଙ୍କ ପାଖରୁ ମୋବାଇଲ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଦୁର୍ବୁତ୍ତଙ୍କ ମାଡ଼ରେ କିଛି ପର୍ଯ୍ୟଟକ ଆହତ ମଧ୍ୟ ହୋଇଥିଲେ । ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଯାହାଫଳରେ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଏସ୍ପିଙ୍କ ନିଦେ୍ର୍ଦଶକ୍ରମେ ସଦର ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ନେତୃତ୍ୱରେ ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ କରି ସହର ଓ ତାର ଆଖପାଖ ଅଞ୍ଚଳମାନଙ୍କରେ ଚଢ଼ାଉ କରି ପାଞ୍ଚଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ମରଣାସ୍ତ୍ର ଓ ଲୁଟ ମୋବାଇଲ ସହ ଧରିବାରେ ସଫଳ ହୋଇଥିଲେ । ତେବେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଫୁଲବାଣୀ ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ଏହି ଘଟଣାରେ ଆହୁରି କାହାର ସମ୍ପୃକ୍ତି ରହିଛି, ତା’ ଉପରେ ତଦନ୍ତ ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ସଦର ଏସ୍ଡ଼ିପିଓ । ଏହି ଘଟଣାର ତଦନ୍ତ ଦାୟିତ୍ୱ ସଦର ଥାନାରେ କାର୍ଯ୍ୟରତ ଯୁବ ପୋଲିସ ଅଧିକାରୀ ସମ୍ବିତ ବେହେରାଙ୍କୁ ଦିଆଯାଇଥିବା ବେଳେ ଥାନା ଅଧିକାରୀ ସତୀଶ ଚନ୍ଦ୍ର ବେହେରା, ଏସଆଇ ପ୍ରଦୀପ କୁମାର ରାଉଳଙ୍କ ସହ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ ।