ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା: ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି
ଆସିକା: ସାମାନ୍ୟ ବର୍ଷାରେ ବେହାଲ ଆସିକା ସହର । ଜଳ ନିଷ୍କାସନ ପଥ କେତେକ ସ୍ଥାନରେ ଅବରୋଧ ଯୋଗୁଁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଜନଗହଳିପୂର୍ଣ୍ଣ ୧୩ନଂ ୱାର୍ଡର ବିନାୟକ ଓ ଲଷ୍ମୀ ବଜାର ଓ ବାଣୀବିହାର ମୁଖ୍ୟରାସ୍ତା ବର୍ଷାରେ କିଛି ସମୟ ପାଇଁ ନଦୀର ଭ୍ରମସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଅସରାଏ ବର୍ଷାରେ ବର୍ଷାଜଳ ଦୀର୍ଘ ସମୟ ଧରି ନିଷ୍କାସନ ହୋଇନପାରି ବିନାୟକ ବଜାର ଓ ବାଣୀବିହାର ମୁଖ୍ୟ ରାସ୍ତାରେ ବର୍ଷା ଜଳ ଲହଡି ମାରୁଥିବା ଯୋଗୁଁ ସାଧାରଣ ଲୋକେ ଯାତାୟତ ସକାଶେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଆସିକା ଏନ୍ଏସି ପରିସରଭୁକ୍ତ ବିନାୟକ ଓ ଲଷ୍ମୀ ବଜାର, ବାଣୀବିହାର ମୁଖ୍ୟରାସ୍ତା ସବୁବେଳେ ଯାତାୟାତର ପ୍ରମୁଖ ରାସ୍ତା ରୂପେ ପରିଚିତ । ଉକ୍ତ ରାସ୍ତା ଉପରେ ଦୈନିକ ଶହଶହ ଜନତା ଯାତାୟତ କରୁଥିବାବେଳେ ଗାଡିମୋଟର ଚଳାଚଳ କରିଥାଏ । ତେବେ ଉକ୍ତ ବ୍ୟସ୍ତବହୁଳ ରାସ୍ତାରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ସାମାନ୍ୟ ବର୍ଷାରେ ବର୍ଷାଜଳ ନିଷ୍କାସିତ ହୋଇନପାରି ରାସ୍ତାରେ ଲଉଡି ମାରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ଏଥିପ୍ରତି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସହରର ବ୍ୟସ୍ତବହୁଳ ବିନାୟକବଜାର, ବାଣୀବିହାର ଅଞ୍ଚଳରେ ଲାଗି ରହିଥିବା ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବି ହୋଇଛି ।