ମହାକରୁଣାର ଦେବୀ ମା’କନକଦୁର୍ଗା

ମହାକରୁଣାର ଦେବୀ ମା’କନକଦୁର୍ଗା

ଜୟପୁର: ମା’ କନକଦୁର୍ଗା ଜୟପୁର ରାଜ ପରିବାରରର ଇଷ୍ଟଦେବୀ । ରାଜବାଟୀ ମଧ୍ୟରେ ଦେବୀଙ୍କ ଆସ୍ଥାନ ମହାକରୁଣାର ଦେବୀ ମା’ କନକଦୁର୍ଗାଙ୍କ ସୁବର୍ଣ୍ଣ ପ୍ରତିମାକୁ ପୁରୀ ଗଜପତି ପୁରୁଷୋତ୍ତମଦେବ ପ୍ରଦାନ କରିଥିଲେ । ଦେବୀପୀଠ ସବୁବେଳେ ସର୍ବସାଧାରଣଙ୍କ ପାଇଁ ଖୋଲା ହୁଏନି । କେବଳ ଦଶହରା ଅଷ୍ଟମୀ ତିଥିରେ ଭକ୍ତ ଦର୍ଶନର ସୁଯୋଗ ପାଇଥାନ୍ତି ।
ଜୟପୁରର ସୂର୍ଯ୍ୟବଂଶୀ ରାଜାମାନେ ନିଜସ୍ୱ ଚିନ୍ତା ଚେତନାରେ ବହୁ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ । ଦେବଦେବୀଙ୍କ ମଧ୍ୟରୁ ମା’ କନକଦୁର୍ଗା ରାଜବଂଶର ଇଷ୍ଟଦେବୀ ଭାବେ ରାଜବାଟିକାରେ ସ୍ୱତନ୍ତ୍ର ଭାବେ ପ୍ରତିଷ୍ଠିତ ଓ ପୂଜିତ କିମ୍ବଦନ୍ତ କହେ, ନନ୍ଦପୁର ରାଜାଙ୍କୁ ପୁରୀ ଗଜପତି ଶ୍ରୀପୁରୁଷୋତ୍ତମଦେବ ଚତୁର୍ଦ୍ଦଶ ଶତାବ୍ଦୀରେ ମା’ କନକଦୁର୍ଗାଙ୍କ ସୁବର୍ଣ୍ଣ ପ୍ରତିମା ସହ ବଲ୍ଲଭ ନାରାୟଣଙ୍କ ବିଗ୍ରହ ପ୍ରଦାନ କରିଥିଲେ । ସେହିଦିନରୁ ଏହି ବିଗ୍ରହଦ୍ୱୟଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରାଯାଉଛି । ପରବର୍ତ୍ତୀ ସମୟରେ ନନ୍ଦପୁରରୁ ରାଜଧାନୀ ଜୟପୁରକୁ ସ୍ଥାନାନ୍ତର ହୋଇଥିଲା । ଇଷ୍ଟଦେବୀଙ୍କୁ ଭୋଗ ଲାଗି ହେବା ପରେ ରାଜା ଅନ୍ନସେବନ କରୁଥିଲେ । ଜୟପୁର ସ୍ଥାନାନ୍ତର ହେବା ପରେ ନନ୍ଦପୁରରୁ ଭୋଗ ଆସିବାରେ ବିଘ୍ନ ସୃଷ୍ଟି ହେବାରୁ ରାଜା ବୀର ବିକ୍ରମଦେବଙ୍କ ସମୟରେ ଦେବୀଙ୍କ ପ୍ରତିମାକୁ ନନ୍ଦପୁରରୁ ଆଣି ଜୟପୁର ରାଜବାଟିକାରେ ସ୍ଥାପନ କରାଯାଇଥିଲା । ଦେବୀ କନକଦୁର୍ଗାଙ୍କ ସୁବର୍ଣ୍ଣ ପ୍ରତିମାକୁ ପ୍ରତି ଦଶହରାରେ ଷୋହଳ ଦିନ ଧରି ପୂଜା କରାଯାଏ । ମା’ଙ୍କ ସମସ୍ତ ପର୍ବପର୍ବାଣି ପାଇଁ ରାଜା ଦେବୀ ପୂଜା ଓ କର୍ମକାଣ୍ଡରେ ପାରଦର୍ଶିତା ରଖିଥିବା ପୁରୋହିତଙ୍କୁ ନିଯୁକ୍ତ କରିଥିଲେ । ପୁରୋହିତମାନେ ଦୈନିକ ନୀତିକାନ୍ତି ସମ୍ପନ୍ନ କରୁଥିଲେ । ଜୟପୁରର ଦଶହରା ପର୍ବ ସହ ମା’କନକଦୁର୍ଗାଙ୍କ ମହିମା ଜଡ଼ିତ । ଦେବୀଙ୍କୁ ପ୍ରତିଷ୍ଠା କରି ପ୍ରତିବର୍ଷ ଶରତକାଳୀନ ଷୋଡ଼ଶ ପୂଜା, ବାସନ୍ତୀକ ନବରାତ୍ର ପୂଜା ପରମ୍ପରା ୧୯୫୧ ମସିହା (ସମ୍ରାଟ ବିକ୍ରମଦେବ ବର୍ମାଙ୍କ ମୃତ୍ୟୁ) ପର୍ଯ୍ୟନ୍ତ ନିୟମିତ ହେଉଥିଲା । ରାଜ ପରିବାର ଓ ରାଜାଶ୍ରିତ ସମସ୍ତ ପ୍ରଜା ଅଶ୍ୱିନକାଳୀନ ପୂଜାରେ ଅଂଶଗ୍ରହଣ କରୁଥିଲେ । ମହାଷ୍ଟମୀ ତିଥିରେ ରାଜା ରକ୍ତଗାଦିରେ ବିରାଜିତ ହୋଇ ପାତ୍ର, ମନ୍ତ୍ରୀ ଓ ନିମନ୍ତ୍ରିତ ଅତିଥିଙ୍କ ସହ ଦଶହରା ପାଳନ କରୁଥିଲେ । ପୀଠରେ ପଶୁ ବଳି ଦିଆଯାଉଥିବା ଜନଶ୍ରୁତି ରହିଛି । ରାଜା ଧନୁ ଓ ଶର ଥିବା ତୁଣିକୁ ପୂଜାପୂର୍ବକ ଧାରଣ କରୁଥିଲେ । ଅଶ୍ୱପୂଜା ଓ ଗଜପୂଜା ସମାପନ ପରେ ରାଜା ଛତ୍ର ଗ୍ରହଣ କରୁଥିଲେ । ଦଶହରା ପଡ଼ିଆରେ ଲାଖବିନ୍ଧା ପ୍ରତିଯୋଗିତା ହେଉଥିଲା । ଏହି ଅବସରରେ ପ୍ରଜାଙ୍କ ସହ ବିଭିନ୍ନ ସ୍ଥାନରୁ ଆସିଥିବା ଦେବୀଙ୍କ ପ୍ରତୀକ ଲାଠିଧାରଣ କରିଥିବା ଜନଜାତି ପୂଜକଙ୍କୁ ରାଜା ଭେଟି ଦେବା ସହ ସମ୍ବର୍ଦ୍ଧିତ କରୁଥିଲେ ।