ରଣପୁର ରାଜବାଟୀରେ ପୀଠେ ପାର୍ବଣ, ବାଉଁଶକାଠିରେ ମା' ଖିଲାମୁଣ୍ଡା ବିରାଜମାନ

ରଣପୁର ରାଜବାଟୀରେ ପୀଠେ ପାର୍ବଣ,  ବାଉଁଶକାଠିରେ ମା' ଖିଲାମୁଣ୍ଡା ବିରାଜମାନ

ରଣପୁର: ରଣପୁରର ଆରାଧ୍ୟ ଦେବୀ ମା’ ଖିଲାମୁଣ୍ଡା ନିଜ ଆସ୍ଥାନ ଛାଡ଼ି ଭକ୍ତଙ୍କ ଦୁଃଖମୋଚନ ପାଇଁ ରାଜବାଟୀରେ ବିରାଜମାନ ହୋଇଛନ୍ତି । ପ୍ରତିବର୍ଷ ଆଶ୍ୱିନ ମାସରେ ୧୬ ଦିନ ପାଇଁ ରଣପୁର ରାଜବାଟୀରେ ମା’ ଭକ୍ତଜନଙ୍କୁ ଦର୍ଶନ ଦେଇ ଦଶହରାରେ ପାରା ରୂପରେ ବିଦାୟ ନିଅନ୍ତି । ଦୁର୍ଗମ ଜଙ୍ଗଲକୁ ଯାଇ ନ ପାରି ଭକ୍ତ ଏଇଠାରେ ହିଁ ମା’ଙ୍କ ଦର୍ଶନ କରି ବିଭୁକୃପା ଲାଭ କରିଥାନ୍ତି । ଦ୍ୱିତୀୟା ଓଷା ପୂର୍ବରାତ୍ରିରେ ମା’ଙ୍କ ଶକ୍ତି ଏକ ବିରାଟ ବାଉଁଶ କାଠିରେ ଆସିଛନ୍ତି । ଭକ୍ତମାନେ ଉକ୍ତ ବାଉଁଶ କାଠିକୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ରାଆଁଳା ଗ୍ରାମରୁ ରଣପୁର ରାଜବାଟୀକୁ ଆଣିଥିଲେ । ମା’ ଖିଲାମୁଣ୍ଡା ଉକ୍ତ ବାଉଁଶ କାଠିରେ ବୁଢ଼ାବୁଢ଼ୀ ଓ ପୁଅବୋହୂ ରୂପରେ ଥାଆନ୍ତି ବୋଲି ଭକ୍ତମହଲରେ ବିଶ୍ୱାସ ରହିଛି । ରାଜରାଜୁଡ଼ା ଅମଳରୁ ପାଳିତ ହୋଇଆସୁଥିବା ଏହି ପର୍ବ ନିମନ୍ତେ ମା’ ଖିଲାମୁଣ୍ଡା ରାଜବାଟୀରେ ଦଶହରା ପର୍ଯ୍ୟନ୍ତ ରହି ପାରା ରୂପରେ ପୁଣି ଫେରିଯିବେ ରାଆଁଳାସ୍ଥିତ ତାଙ୍କ ପୂର୍ବ ଆସ୍ଥାନକୁ । କିମ୍ବଦନ୍ତୀ ଅନୁଯାୟୀ, ମା’ ଖିଲାମୁଣ୍ଡାଙ୍କ ଏହି ପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । ମା’ଙ୍କ ଚଳନ୍ତି ପ୍ରତିମା ରଣପୁର ରାଜବାଟୀକୁ ଏକ ବେତ କାଠି ମାଧ୍ୟମରେ ଆସିବା ପରେ ଷୋଳପୂଜା ପାରମ୍ପରିକ ରୀତିରେ ଆରମ୍ଭ ହେବ ବୋଲି ରାଜପୁରୋହିତ ପ୍ରକାଶ କରିଛନ୍ତି ।
ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କର ସୁଅ ଛୁଟିଥାଏ । ଏଠାରେ ଦଶହରା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହେ । ଦଶହରା ଦିନ ମା’ଙ୍କୁ ରାଜା ସାହେବ ଓ ତାଙ୍କ ପାତ୍ରମନ୍ତ୍ରୀଙ୍କ ଗହଣରେ ଦଶହରା ପଡ଼ିଆକୁ ନିଆଯାଇଥାଏ । ଢୋଲ, ଘଣ୍ଟ, କାହାଳି, ତୁରୀ ଓ ମହୁରୀ ବାଦ୍ୟର ତାଳେ ତାଳେ ମା’ ଦଶହରା ପଡ଼ିଆକୁ ଗଲାବେଳେ ରଣପୁର ଅଞ୍ଚଳ ପ୍ରକମ୍ପିତ ହୋଇଉଠେ । ଦଶହରା ପଡ଼ିଆରେ ମା’ ପହଞ୍ଚିବା ପରେ ରାଜା ମା’ଙ୍କ ଚରଣ ବନ୍ଦାପନା କରିଥାନ୍ତି । ସେହି ସମୟରେ ସାଙ୍ଗରେ ଯାଇଥିବା ୨ଟି ପାରାଙ୍କୁ ଆକାଶରେ ଉଡ଼ାଇ ଦିଆଯାଏ । ବିଶ୍ୱାସ ରହିଛି ଯେ ମା’ ପାରା ରୂପରେ ବିଦାୟ ନେଇଥାନ୍ତି । ତେବେ ଚଳିତବର୍ଷ ମା’ ଖିଲାମୁଣ୍ଡା ବୁଢ଼ାବୁଢ଼ୀ ରୂପରେ ଆସିଥିବା ଆସିଥିବାରୁ ଅଞ୍ଚଳରେ ଶସ୍ୟଶ୍ୟାମଳା ଓ ଶାନ୍ତି ବିରାଜମାନ ହେବ ବୋଲି ରାଜ ପୁରୋହିତ ପ୍ରକାଶ କରିଛନ୍ତି ।