ମହାକାଳପଡ଼ାରୁ ହଟିବେ ଅତନୁଙ୍କ ପୁଲିସ୍
mahakalpada_Atanu Sabyasachi Nayak
କେନ୍ଦ୍ରାପଡାରୁ ଉତ୍କଳ କେଶରୀ : ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଥାନା ବାବୁମାନଙ୍କ ସହିତ ଏସଡିପିଓ କେନ୍ଦ୍ରାପଡ଼ାଙ୍କୁ ମଧ୍ୟ ବଦଳି ପାଇଁ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ନାଆଁ ଓ ଦସ୍ତଖତ ଥିବା ଏକ ଚିଠି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ପୂର୍ବରୁ ଯେଉଁସବୁ ଅଫିସର ଥିଲେ ସେମାନେ ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ ଓ ଅନ୍ୟ ପ୍ରଭାବଶାଳୀ ବିଜେଡ଼ି ନେତାଙ୍କ ଦ୍ୱାରା ପରିଚାଳିତ ହେଉଥିଲେ । ଏବେ ବିଜେଡ଼ି କ୍ଷମତାରେ ନଥିଲେବି ସେହି ଅଫିସରମାନଙ୍କର ବିଜେଡ଼ି ନେତାଙ୍କ ସହ ଭଲ ସମ୍ପର୍କ ରହିଛି । ତେଣୁ ମହାକାଳପଡ଼ା ବିଧାୟକ ଏଭଳି ଚିଠି ଲେଖିଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ବିଧାୟକ ଏଭଳି ଚିଠି ଲେଖିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।
ଚିଠିରେ କଟକ ପୁଲିସ୍ ମୁଖ୍ୟାଳୟରେ ଥିବା ଡିଏସ୍ପି ଜ୍ୟୋତିରଞ୍ଜନ ଗୌଡଙ୍କୁ କେନ୍ଦ୍ରାପଡ଼ା ଏସଡିପିଓ, ଯାଜପୁର ଧର୍ମଶାଳା ଥାନା ଅଧିକାରୀ ତପନ କୁମାର ନାୟକଙ୍କୁ ମାର୍ଶାଘାଇ ଥାନା, ନରେଶ ସାହୁଙ୍କୁ ଗଞ୍ଜାମ ଛତ୍ରପୁରରୁ ମହାକାଳପଡ଼ା ଥାନା, ସୌମ୍ୟରଂଜନ ବିଶ୍ୱାଳଙ୍କୁ କମିଶନରେଟ ପୁଲିସ୍ରୁ ତନ୍ତିଆପାଳ ସାମୁଦ୍ରିକ ଥାନା, ଭିଜିଲାନ୍ସ ଇନ୍ସପେକ୍ଟର ରୀତାରାଣୀ ପ୍ରଧାନଙ୍କୁ ପାଟକୁରା ଥାନା ଓ ସେହିପରି ବ୍ରହ୍ମଗିରି ଥାନାରୁ ରବୀନ୍ଦ୍ର ମହାପାତ୍ରଙ୍କୁ ଆଣି ଜମ୍ବୁ ସାମୁଦ୍ରିକ ଥାନାରେ ନିଯୁକ୍ତି ଦେବାପାଇଁ ଚିଠିରେ ଉଲ୍ଲେଖ ରହିଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଚିଠିରେ ମହାକାଳପଡ଼ା ବିଧାୟକଙ୍କ ନମ୍ବର, ନାମ,ତାରିଖ ସହିତ ଅତିରିକ୍ତ ସଚିବଙ୍କ ଷ୍ଟାମ୍ପ ମଧ୍ୟ ବାଜିଥିବା ଦୃଶ୍ୟ ହେଉଛି । ତଳେ ମହାକାଳପଡ଼ା ବିଧାୟକଙ୍କ ଦସ୍ତଖତ ମଧ୍ୟ ରହିଛି ।
ବିଧାୟକ ଶ୍ରୀ ନାୟକ ଏହାକୁ ଖଣ୍ଡନ କରି ସଫେଇ ଦେଇଛନ୍ତି ଏହା ସାମାଜିକ ଗଣମାଧ୍ୟମର କାରସାଦି । ଏଭଳି ଚିଠି ସେ ଲେଖି ନାହାଁନ୍ତି । ପୁଲିସ୍ ବାବୁଙ୍କୁ ବଦଳି ଦାୟିତ୍ୱ ତାଙ୍କର ନୁହେଁ । କେହି ଜଣେ ତାଙ୍କ ନାମ ନେଇ ଏଭଳି ମିଥ୍ୟା ଚିଠିି ଜାରି କରି ସାଧାରଣ ଜନତାଙ୍କୁ ଭ୍ରମିତ କରୁଛି ବୋଲି ସେ କହିଛନ୍ତି ।
ବିଧାୟକଙ୍କ ଏଭଳି ସଫେଇ ପରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଯୁବ ଓ ଦୃଢ଼ ସଂଗଠକ ତଥା ବିଜେପି ନେତା ଡ. ସୌଭାଗ୍ୟ ପରିଡ଼ା । ଡ.ପରିଡ଼ା ମଧ୍ୟ ବିଧାୟକ ଶ୍ରୀ ନାୟକଙ୍କ ଅନୁଗତ ଭାବେ ବେଶ୍ ଜଣାଶୁଣା । ଡ.ପରିଡ଼ା ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ବିଧାୟକ ଶ୍ରୀ ନାୟକ ଯେଉଁ ଅଧିକାରୀମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଣିବା ନିମନ୍ତେ ସୁପାରିଶ କରି ଚିଠି ଲେଖିଛନ୍ତି ସେମାନଙ୍କ ପ୍ରତି ସାଧାରଣ ଜନତାଙ୍କ ବିଶ୍ୱାସ ଅତି ଉଚ୍ଚ଼କୋଟୀର ନୁହେଁ । ଉଦାହରଣ ଦେବାକୁ ଯାଇ ଆଇଆଇସି ତପନ ନାୟକଙ୍କ କଥା ଉଲ୍ଲେଖ କରି ଡ.ପରିଡ଼ା କହିଛନ୍ତି ତପନ ନାୟକ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘଦିନ ଧରି କାର୍ଯ୍ୟ କରିବା ପରେ ତାଙ୍କ ବିରୁଦ୍ଧରେ ନାନା ଅଭିଯୋଗ ଆସିବା ହେତୁ ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ଅନ୍ୟତ୍ର ବଦଳି କରାଗଲା କିନ୍ତୁ ବିଧାୟକ ମହୋଦୟ ମାର୍ଶାଘାଇ ଭଳି ସମ୍ବେଦନଶୀଳ ଥାନାକୁ ତାଙ୍କୁ ପୁନର୍ବାର ଆଣିବା ପାଇଁ କିପରି ସୁପାରିଶ କରିଛନ୍ତି ବୋଲି ଡ.ପରିଡ଼ା ପ୍ରଶ୍ନ କରିଛନ୍ତି ।
ସେହିପରି ଡ.ପରିଡ଼ା ବିଧାୟକ ଶ୍ରୀ ନାୟକଙ୍କ ଉଦ୍ଦେଶ୍ୟରେ ଆହୁରି ମଧ୍ୟ କହିଛନ୍ତି ଯଦି ବିଧାୟକଙ୍କ କହିବା ଅନୁସାରେ ଏହି ଚିଠି ଟି ତାଙ୍କ ଦ୍ୱାରା ପ୍ରେରିତ ବା ଲେଖା ଯାଇନାହିଁ ତେବେ ବିଧାୟକ ମହୋଦୟ କାହିଁକି ନେଉନାହାନ୍ତି ଆଇନ୍ର ଆଶ୍ରୟ? କାହିଁକି ପୋଲିସ୍ ରେ ଦେଉ ନାହାଁନ୍ତି ଏଫଆଇଆର । ତାଙ୍କ ଦସ୍ତଖତ ଓ ଲେଟର ପ୍ୟାଡ଼କୁ ଯଦି କେହି ଅପବ୍ୟବହାର କରିଛି ଏହା ହେଉଛି ଗର୍ହିତ ଅପରାଧ ।