ବିଜେଡିର ଅଭିଯୋଗ ଅପରିପକ୍ୱତା : ବିଜେପି
ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ
ଭୁବନେଶ୍ୱର : ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ଘଟଣାର ରହସ୍ୟ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । ଘଟଣା ସଂପର୍କରେ ବ୍ରହ୍ମପୁର ଏସପି ଗଣମାଧ୍ୟମ ସମ୍ମୁଖରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ତେବେ ଏନେଇ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ ଅପରିପକ୍ୱତାର ପରିଚୟ ବୋଲି ବିଜେପି କହିଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ଡକ୍ଟର ଯତୀନ ମହାନ୍ତି କହିଲେଯେ, ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ରମାନେ ଦର୍ଶାଇଛନ୍ତିଯେ, ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି । ନିଜ ଦଳର ଅସାମାଜିକ ତତ୍ତ୍ୱ ତଥା ଅପରାଧିମାନଙ୍କର ସଂପୃକ୍ତି ସମ୍ପର୍କରେ ନିଜେ ସଫେଇ ଦେବା ସହିତ ବିଜେଡି ପ୍ରବକ୍ତାମାନେ ଅନେକ ଗମ୍ଭୀର ଆରୋପ କରିଛନ୍ତି, ଯାହା ତାଙ୍କର ସମ୍ପୂର୍ଣ୍ଣ ଅପରିପକ୍ୱତା ଏବଂ ପିଲାଳିଆମିର ପରିଚୟ ବୋଲି ଡ. ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ । ତଦନ୍ତ ପ୍ରକ୍ରିୟା ଜାରି ରହିିଛ ଏବଂ ସମସ୍ତେ ଏହି ନ୍ୟାୟର ପ୍ରକ୍ରିୟାରେ ସହଯୋଗ କରିବା ଉଚିତ । ଅସାମାଜିକ ତତ୍ତ୍ୱ ତଥା ଅପରାଧିଙ୍କ କୌଣସି ଜାତି ବା ଧର୍ମ ନାହିଁ । ଯେଉଁମାନଙ୍କର ସମ୍ପୃକ୍ତି ଅଛି ସେମାନେ ତଦନ୍ତ ପରିସରକୁ ଆସିବେ । ସମସ୍ତ ଦୋଷୀଙ୍କୁ ଧରି ଉପଯୁକ୍ତ ଦଣ୍ଡବିଧାନ କରିବା ହେଉଛି ମୂଳ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଠିକ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କୁ ଦଣ୍ଡ ମିଳିବା ସୁନିଶ୍ଚିତ ବୋଲି ଡ.ମହାନ୍ତି କହିଛନ୍ତି । ଶାସନରେ ଥିଲାବେଳେ ବିଜୁ ଜନତା ଦଳର ନେତା, ବିଧାୟକ, ମନ୍ତ୍ରୀମାନେ ହତ୍ୟା, ଧର୍ଷଣ, ଅଙ୍ଗ ତସ୍କରୀ ଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିଲେ ଏବଂ ଅପରାଧିମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା । ଆଜି ବି ସେ ଅଭ୍ୟାସ ଛାଡି ନାହାନ୍ତି । ଏବେ ବି ବିଜେଡି ନେତାମାନେ ରାଜ୍ୟରେ ହତ୍ୟା, ଧର୍ଷଣ ଭଳି ଅପରାଧ ଚଳାଇଛନ୍ତି ।
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ହେଉଛି ଏହାର ସଦ୍ୟ ଉଦାହରଣ । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ପ୍ରବକ୍ତାମାନେ ନିଜେ ଜଜ୍ ଏବଂ ପୋଲିସ ସାଜି ଶବ ଉପରେ ରାଜନୀତିର ନଗ୍ନ ରୂପ ପ୍ରକାଶ କରୁଥିଲେ । ଅସାମାଜିକ ତତ୍ତ୍ୱମାନଙ୍କୁ ତତ୍କାଳୀନ ବିଜେଡି ସରକାର ପ୍ରୋତ୍ସାହନ ଦେବା ସହ ରାଜନୀତିରେ ବ୍ୟବହାର କରୁଥିଲେ । ଆଇନଶୃଙ୍ଖଳା କ୍ଷେତ୍ରରେ ଗଞ୍ଜାମ ସବୁବେଳେ ସମ୍ବେଦନଶୀଳ ଜିଲ୍ଲା ହୋଇ ରହିଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସେହି ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିଲେ । ଆଇନଜୀବି ପୀତବାସ ପଣ୍ଡା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୋଲିସ ଯାହା କହିଛି ତାହାକୁ ନ୍ୟାୟାଳୟରେ ପ୍ରମାଣ କରିବାକୁ ପଡିବ । ବିଚାର ପରସରକୁ ସମସ୍ତେ ଆସିବେ । ତଦନ୍ତ ସମୟରେ ଗୋଟିଏ ରାଜନୈତିକ ଦଳ ପକ୍ଷରୁ ଏଭଳି ମନ୍ତବ୍ୟ ଅପରିପକ୍ୱତାର ପରିଚୟ ଦେଉଛି । କେବଳ ଅଭିଯୋଗ କଲେ ହେବ ନାହିଁ । ଯାହା ପାଖରେ ଯାହା ସୂଚନା ଓ ତଥ୍ୟ ଅଛି, ତାହା କୋର୍ଟରେ ଦେଇପାରିବେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ‘ଲୋକଙ୍କ ସରକାର’ ଅପରାଧ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ସରକାର । ଆମ ସରକାରରେ ମାତ୍ର ୧୫ ଦିନରେ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ସମସ୍ତ ଖୁଲାସା କରିଛି ପୋଲିସ । ହତ୍ୟା ମାମଲାରେ ସମ୍ପୃକ୍ତ ଅପରାଧୀମାନେ ବିଭିନ୍ନ ରାଜ୍ୟରେ ଲୁଚି ରହିଥିବା ବେଳେ ସେମାନଙ୍କୁ ଠାବ କରି ସମୁଦାୟ ୧୨ ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇପାରିଛି ପୋଲିସ । ତଦନ୍ତ ଜାରି ରହିଛି ଆଉ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ବହୁତ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛନ୍ତି । ନିଜ ଦଳର ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ଓ ଗିରଫ ପରେ ବିଜେଡିର ଚରିତ୍ର ଧରାପଡିଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ଅନୀଲ ବିଶ୍ୱାଳ ଉପସ୍ଥିତ ଥିଲେ ।