ଫୁଲୁଛି ମହାନଦୀ
ଭୁବନେଶ୍ୱର: ଗତ କିଛିଦିନ ଧରି ବର୍ଷା ଜାରି ରହିଥିବାରୁ ମହାନଦୀ ଫୁଲିବାରେ ଲାଗିଛି । ଖଇରମାଳ, ଟିକରପଡ଼ା ଓ ନରାଜରେ ଜଳସ୍ତର ବୃଦ୍ଧି ପାଉଛି । ଖଇରମାଳରେ ଏହା ବିପଦସଂକେତ ସ୍ତର ଠାରୁ ୪.୬୧ ମିଟର ତଳେ ଥିବାବେଳେ ନରାଜରେ ଏହା ବିପଦସଂକେତ ଠାରୁ ୨.୮୧ ମିଟର ରହିଛି । ସେପଟେ ମହାନଦୀର ୨୦ ଗେଟ୍ ଖୋଲାଥିବାରୁ ନରାଜରେ ପାଣି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ, ମଥାନୀ ରୋଡ଼ ବ୍ରିଜ୍ ନିକଟରେ ଜଳକା ନଦୀ ବିପଦସଂକେତ ଟପିଯାଇଛି । ତେବେ ସେଠାରେ ଜଳସ୍ତର ହ୍ରାସ ପାଇବା ଆଶ୍ୱସ୍ତି ଦେଇଛି । ଏହାଛଡ଼ା ଆଳିପିଙ୍ଗଳ ଠାରେ ଦେବୀ ନଦୀ, ରେଙ୍ଗାଲି, ଜେନାପୁର ଓ ଇନ୍ଦୁପୁର ଠାରେ ବ୍ରାହ୍ମଣୀ ନଦୀ, ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀ ଏବଂ ଗୁଣୁପୁର ଠାରେ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ ପର୍ଯ୍ୟନ୍ତ ବର୍ଷା ହେବାର ଥିବାବେଳେ ୯ ତାରିଖ ପର୍ଯ୍ୟନ୍ତ ୱାର୍ଣ୍ଣିଂ ଜାରିହୋଇଛି ।
ଆସନ୍ତାକାଲି ରାଜ୍ୟର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଯେତେବେଳେକି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦ରୁ ୪୦ କିମି ବେଗରେ ବହିବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।