ଛତିଶା ନିଯୋଗ ବୈଠକ : ଚନ୍ଦ୍ରଗ୍ରହଣ ନୀତି ଉପରେ ଗୁରୁତ୍ୱ

 ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶାନିଯୋଗ ବୈଠକ ପରିଚାଳନା କମିଟିର ଉପସଭାପତି ତଥା ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୭ତାରିଖ ଭାଦ୍ରବ ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଏହି ଦିନ ମହାପ୍ରଭୁଙ୍କ ଚନ୍ଦ୍ରଗ୍ରହଣ ନୀତି କିଭଳି ସମାପନ ହେବ ଏବଂ ଶ୍ରୀମନ୍ଦିରରେ  ଦର୍ଶନାର୍ଥୀମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିବେ ସେ ସଂପର୍କରେ ଛତିଶାନିଯୋଗ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ୭ତାରିଖ ରାତ୍ର ୯ଟା ୫୭ମିନିଟ୍ରେ ଗ୍ରହଣ ଲାଗିବ ଏବଂ ରାତ୍ର ୧୨ଟା ୨୨ମିନିଟ୍ରେ ଗ୍ରହଣ ଛାଡ଼ିବ । ରାତ୍ର ୧ଟା ୨୬ମିନିଟ୍ରେ ସର୍ବମୋକ୍ଷ ହେବ । ଗ୍ରହଣ କାଳ ସମୁଦାୟ ୩ଘଣ୍ଟା ୨୯ମିନିଟ୍  । ପାକ ତ୍ୟାଗ, ଅନ୍ନଭୋଜନ ଏବଂ ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟାହ୍ନ ୧୨ଟା ୫୭ମିନିଟ୍ ପୂର୍ବରୁ ଶେଷ କରିବାକୁ ପଡ଼ିବ । ଉକ୍ତଦିନ ମଧ୍ୟାହ୍ନ ୧୨ଟା ୫୭ମିନିଟ୍ ମଧ୍ୟରେ ଶ୍ରାଦ୍ଧକର୍ମ ମଧ୍ୟ କରାଯାଇପାରିବ ।  ଏ ସଂକ୍ରାନ୍ତରେ ଛତିଶାନିଯୋଗ ବୈଠକରେ ବ୍ୟାପକ ଆଲୋଚନା କରାଯାଇ ସେବାୟତମାନଙ୍କର ସହଯୋଗ ଲୋଡ଼ାଯାଇଛି । ଯାତ୍ରୀମାନେ ମଧ୍ୟ ଶୃଙ୍ଖଳିତ ଭାବେ ଦର୍ଶନ କରିବାର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଥିଲେ । ଆସନ୍ତା ୧୫ତାରିଖ ଠାରୁ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବା ପାଇଁ ସରକାର ସ୍ଥିର କରିଥିବା ବେଳେ ସେ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଆସନ୍ତା କାଲି ପରିଚାଳନା କମିଟି ବୈଠକରେ ନୀତିକାନ୍ତି, ଯାତ୍ରୀ ଦର୍ଶନ ସଂପର୍କରେ ବ୍ୟାପକ ଆଲୋଚନା କରାଯିବ ବୋଲି ଛତିଶା ନିଯୋଗ ବୈଠକ ପରେ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବୈଠକରେ ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତା ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।