ନାମାଙ୍କନ ଭରିଲେ ମମତା ମହନ୍ତ

ନାମାଙ୍କନ ଭରିଲେ ମମତା ମହନ୍ତ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ମମତା ମହାନ୍ତ ଆଜି ବିଧାନସଭାରେ ପହଞ୍ଚି ରାଜ୍ୟସଭା ପ୍ରାର୍ଥୀଭାବେ ନାମାଙ୍କନ ଭରିଛନ୍ତି ।  ମମତାଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀଭାବେ ମଙ୍ଗଳବାର ଘୋଷଣା କରିବା ପରେ ଆଜି ସେ ବିଧାନସଭାରେ ପହଞ୍ଚି ନାମାଙ୍କନ ଭରିଛନ୍ତି ।ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ ବିଜେପି ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ। ହେଲେ ଆବଶ୍ୟକତା ପଡିଲେ ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। 

ମମତା ହେଉଛନ୍ତି କୁଡୁମୀ ସମ୍ପ୍ରଦାୟର ନେତ୍ରୀ। ରାଜ୍ୟସଭା ପ୍ରାର୍ଥୀ ପାଇଁ ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂ। କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ । ୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇଥିଲା। ହେଲେ ସାଧାରଣ ନିର୍ବାଚନ ପରେ ତାଙ୍କୁ ବିଜେଡିରୁ ବାହାର କରିଦେବାର ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ହେଲେ ତା’ ପୂର୍ବରୁ ଅର୍ଥାତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ତା’ପର ଦିନ ସେ ବିଜେପିରେ ମିଶିଥିଲେ।