ଅଂଶୁଘାତ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ବୈଠକ
ଭଦ୍ରକ : ଆଗାମୀ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଅଂଶୁଘାତ ଜନିତ ସମସ୍ୟାର ପ୍ରତିହତ କରାଯିବା ପାଇଁ ଜିଲ୍ଲା କାର୍ଯ୍ୟାଳୟର ଓସୱାନ୍ ହଲ୍ରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶାନ୍ତନୁ ମହାନ୍ତି ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କଲାପରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସାଗରିକା ସାହୁଙ୍କ ଦ୍ୱାରା ଉପସ୍ଥାପିତ କାର୍ଯ୍ୟସୂଚୀ ଆଧାରରେ ସମୀକ୍ଷା କରାଯାଇଥିଲା । ଅଂଶୁଘାତ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ଜଳଯୋଗାଣ, ଆଶୁ ଚିକିତ୍ସା ବ୍ୟବସ୍ଥା, ସତର୍କତା ଅବଲମ୍ବନ ପାଇଁ ସଚେତନତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସହରାଞ୍ଚଳରେ, ଆରଡବ୍ଲୁଏସ୍ଏସ୍ ଦ୍ୱାରା ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣ, ଖରାପ ଥିବା ସମସ୍ତ ନଳକୂପ ମରାମତି, ଅଚଳ ଥିବା ନଳକୂପ ଜାଗାରେ ନୂତନ ନଳକୂପ ଖନନ, ଭୂତଳ ଜଳ ସ୍ତର ବୃଦ୍ଧି ପାଇଁ ଜଳସେଚନ ବିଭାଗ ଦ୍ୱାରା କେନାଲରେ ଜଳ ଛାଡ଼ିବା, ଘର ଘରକୁ ନଳ ଯୋଗେ ଜଳ ଯୋଗାଣ, ବିଶେଷ କରି ଲୁଣି ଅଞ୍ଚଳରେ ଥିବା ଜଳକ୍ଲିଷ୍ଟ ଅଞ୍ଚଳ ଚିହ୍ନଟ କରି ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ ଆଦି ଦିଗରେ ଟିକିନିଖି ସମୀକ୍ଷା କରି ଯଥେଷ୍ଟ ପୂର୍ବରୁ ଯୋଜନା ପ୍ରସ୍ତୁତ ପୂର୍ବକ ଆବଶ୍ୟକ ସମୟରେ କାର୍ଯ୍ୟାନ୍ୱୟନ ପାଇଁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସମସ୍ତ ସଂପୃକ୍ତ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ସେହିପରି ଅଂଶୁଘାତର ଶିକାର ହେଲେ ରୋଗୀର ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହିତ ସମସ୍ତ ସିଏଚ୍ସି, ପିଏଚ୍ସି ମାନଙ୍କରେ ସ୍ୱତନ୍ତ୍ର କକ୍ଷ, ଏସି, ଫ୍ରିଜ୍, ସାଲାଇନ୍, ଆମ୍ବୁଲାନ୍ସ, ଡାକ୍ତର ଓ ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ୨୪ ଘଣ୍ଟିଆ ପ୍ରସ୍ତୁତ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଥିଲା । ଗ୍ରୀଷ୍ମ ଋତୁରେ ସରକାରୀ ନିଦେ୍ର୍ଦଶମତେ ସମସ୍ତ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡି ସକାଳୁଆ ହେବା, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକ, କୃଷକଙ୍କୁ ଖରାରେ କାମ ନ କରାଇବା, ଖୋଲା ଗାଡ଼ିରେ ଖରାରେ ଶ୍ରମିକଙ୍କୁ ପରିବହନ କରା ନଯିବା, ଯାତ୍ରୀବାହୀ ବସରେ ଓଆରଏସ ପାନୀୟଜଳ, ପ୍ରାଥମିକ ଚିକିତ୍ସା ମହଜୁଦ ରଖିବା, କ୍ଷମତାଧିକ ଯାତ୍ରୀ ପରିବହନ ନକରିବା କାର୍ଯ୍ୟସ୍ଥଳୀରେ ଶ୍ରମିକଙ୍କ ପାଇଁ ପାନୀୟଜଳ, ଛାୟାପ୍ରଦ ଆଶ୍ରୟସ୍ଥଳୀ ଉପଲବ୍ଧ କରାଇବା, ଲୋକ ସମାଗମ ବସଷ୍ଟାଣ୍ଡ, ମାର୍କେଟ ଆଦି ସ୍ଥାନରେ ଜଳଛତ୍ର ଖୋଲାଯିବା ଓ ଜଳଛତ୍ରରେ ଶୁଦ୍ଧ ପାନୀୟଜଳ, ସ୍ୱଚ୍ଛ ପରିବେଶ ଓ ଦାୟିତ୍ୱବାନ୍ କର୍ମ·ରୀ ନିୟୋଜିତ ରଖିବା, ପ୍ରାଣୀ ସମ୍ପଦ ବହୁଳତା ଜାଗା ଚିହ୍ନଟ କରି ପାଣିକୁଣ୍ଡ ନିର୍ମାଣ କରିବା, ଅଂଶୁଘାତର ଶିକାର ପ୍ରାଣୀ ମାନଙ୍କ ତୁରନ୍ତ ଚିକିତ୍ସା ପାଇଁ ଭ୍ରାମ୍ୟମାଣ ଭ୍ୟାନ୍, ପଶୁ ଚିକିତ୍ସାଳୟ ପ୍ରସ୍ତୁତ ରଖିବା, ବିଦୁ୍ୟତ ସରବରାହ ନିରବଚ୍ଛିନ୍ନ ରଖାଯିବା, ବିଦୁ୍ୟତକାଟ୍ ର ଆବଶ୍ୟକତା ନେଇ ପୂର୍ବରୁ ସୂଚନା ଦେବା ଆଦି ସମସ୍ତ ଆନୁସଙ୍ଗିକ ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ତଦନୁଯାୟୀ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ସିଡିଏମ୍ଓ ଡ. ସୁଧାଂଶୁ ଶେଖର ବଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ ପ୍ରମୁଖଙ୍କ ସହ ସଂପୃକ୍ତ ବିଭିନ୍ନ ବିଭାଗୀୟ ମୁଖ୍ୟମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।