ବିହାରରେ ବିଜୁଳି ହେବ ଶସ୍ତା !

ବିହାରରେ ବିଜୁଳି ହେବ ଶସ୍ତା !

 ଆଜି ବିହାର ବଜେଟ୍ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥ ବିଭାଗ ପରିଚାଳନା କରୁଥିବା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ଏହି ବଜେଟ୍ ବିହାରବାସୀଙ୍କ ପାଇଁ ସ୍ୱତନ୍ତ୍ର ହୋଇପାରେ, କାରଣ ଆଗକୁ ବିହାରରେ ବିଧାନସଭା ନିର୍ବାଚନ । ନିର୍ବାଚନ ବର୍ଷ ହୋଇଥିବାରୁ, ଏଥର ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ଚାଷୀ, ଆର୍ଥିକ ଲାଭ, ନିଯୁକ୍ତି ସହିତ ବିହାରର ବିକାଶ ପାଇଁ ଅନେକ ଦିଗ ଉପରେ ଗୁରୁତ୍ୱ ଦେବେ ସରକାର । 

ଚଳିତ ବଜେଟରେ ଗରିବ ପରିବାରଙ୍କ ପାଇଁ ବଡ ଘୋଷଣା ହୋଇପାରେ । ୯୬ଲକ୍ଷ ଗରିବ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାର ପ୍ରସ୍ତାବ ଅଣାଯାଇପାରେ । ଏଥର ବଜେଟର ପରିମାଣ ବି ଗତ ବର୍ଷ ତୁଳନାରେ ଅଧିକ ରହିଛି । ଗତବର୍ଷ ୨ଲକ୍ଷ ୭୮ ହଜାର କୋଟି ଟଙ୍କାର ବଜେଟ୍ ପାରିତ କରିଥିଲେ ନୀତିଶ ସରକାର । ଗତବର୍ଷ ଏନଡିଏ ମେଣ୍ଟର ନୂଆ ସରକାର ବନିଥିଲା, ତେଣୁ ଗତବର୍ଷ ବଜେଟକୁ ଐତିହାସିକ ବଜେଟ୍ ବୋଲି କୁହାଯାଇଥିଲା । କିନ୍ତୁ ଚଳିତବର୍ଷ ବଜେଟ୍ ୩.୨୫ଲକ୍ଷ କୋଟିରୁ ସାଢେ ୩ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇପାରେ ବୋଲି ଆଶା କରାଯାଉଛି । ଏପରି ଦେଖାଯାଏ ତ, ନୀତିଶ ସରକାର ପ୍ରତିବର୍ଷ ବଜେଟରେ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି କରିଥାନ୍ତି । କିନ୍ତୁ ଚଳିତ ଥର ନିର୍ବାଚନ ବର୍ଷ ଥିବାକୁ ୧୮ରୁ ୨୦ ପ୍ରତିଶତ ବୃଦ୍ଧିର ସମ୍ଭାବନା ରହିଛି । 

ବଜେଟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ବିଦ୍ୟୁତ ବିଲ୍ ସବସିଡିକୁ ନେଇ ହୋଇପାରେ । କାହିଁକି ନା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ସରକାରକୁ ଆସିଲେ ଜନତାଙ୍କ ପାଇଁ ବିଦ୍ୟୁତ୍ ବିଲ୍ ୨୦୦ ୟୁନିଟ୍ ଯାଏଁ ଫ୍ରି କରିବା ପାଇଁ ଘୋଷଣା କରିସାରିଛନ୍ତି । ତେଣୁ ଏହାକୁ ଦୃଷ୍ଟି ଦେଲେ, ବିଜୁଳି ବିଲ୍ ସବସିଡି ଉପରେ ବଡ ଘୋଷଣା କରିପାରନ୍ତି ବିହାର ସରକାର । ଏହା ସହିତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ମଧ୍ୟ ବୃଦ୍ଧି କରାଯାଇପାରେ । ବର୍ତ୍ତମାନ ହିତାଧିକାରୀମାନଙ୍କୁ ୪୦୦ଟଙ୍କା ମିଳୁଥିବା ବେଳେ ଆଗାମୀ ଦିନରେ ଏହା ୮୦୦ରୁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ ।