ଏସ୍ସିଡିଏଫ୍ ଓ ୟୁଆଇଡିଏଫ୍ କାର୍ଯ୍ୟକାରିତା ବୈଠକ

ଭୁବନେଶ୍ୱର  : ମଙ୍ଗଳବାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ଗୋଷ୍ଠୀ କ୍ଲଷ୍ଟର ବିକାଶ ପାଣ୍ଠି ଏବଂ ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠିର କାର୍ଯ୍ୟକାରିତା ସଂପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ପ୍ରଥମ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏସ୍ସିଡିଏଫ୍ ଅଧୀନରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି, ନୂତନ ପ୍ରକଳ୍ପ ପ୍ରସ୍ତାବ, ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି  ସମ୍ପର୍କିତ ଆଲୋଚନା ହୋଇଥିଲା । କାର୍ଯ୍ୟକାରୀ ବିଭାଗଗୁଡ଼ିକୁ ଧାର୍ଯ୍ୟ ସମୟ ସୀମା ଅନୁଯାୟୀ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ତ୍ୱରାନ୍ୱିତ କରିବା ଏବଂ ତଦନୁସାରେ ଅର୍ଥ ବିଭାଗକୁ କ୍ଷତିପୂରଣ ଦାବି ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଏସ୍ସିଡିଏଫ୍ ଅଧୀନରେ ଅର୍ଥ ଯୋଗାଣ ପାଇଁ ଏହି ଉଚ୍ଚସ୍ତରୀୟ କମିଟି ଶିଳ୍ପ ବିଭାଗକୁ ୩୩୫.୭୭ କୋଟି ଟଙ୍କା ବ୍ୟୟରେ ପାରାଦୀପରେ ୧୦ ଏମ୍ଏଲ୍ଡି ସିଇଟିପି  କମନ୍ ଏଫ୍ଲୁଏଣ୍ଟ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ ଏବଂ ୩୦ ଏମ୍ଏଲ୍ଡି ଗଭୀର ସମୁଦ୍ରକୁ ବର୍ଜ୍ୟଜଳ ନିଷ୍କାସନ ପ୍ରକଳ୍ପ ଭଳି ଦୁଇଟି ପ୍ରକଳ୍ପକୁ  ଅନୁମୋଦନ କରିଛି । ଏସ୍ସିଡିଏଫ ଅଧୀନରେ ଗଞ୍ଜାମର ଗୋପାଳପୁରଠାରେ ୧୭୩.୦୨ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ଓଡ଼ିଶାର କମନ୍ ୟୁଟିଲିଟି କରିଡର ନିର୍ମାଣ କରାଯାଉଛି ।