ଏକକ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଏକକ ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛି । ଏହି ବୈଠକ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଅପରାହ୍ଣ ୩.୩୦ରେ ହେବାକୁ ଥିବା ସୂଚନା । ଏହି ବୈଠକର ଅଧ୍ୟକ୍ଷତା କରିବେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା ମଧ୍ୟ ଉପସ୍ଥିତ ରହିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବୈଠକରେ ସୁନୀଲ ବଂଶଲ ଦିଲ୍ଲୀର ବିଧାୟକମାନଙ୍କ ସହିତ ଏକକ ନିର୍ବାଚନକୁ ନେଇ ଆଲୋଚନା କରିବେ । କାରଣ  ସୁନୀଲ ବଂଶଲ ଏହି ହାଇ ଲେବଲ୍ କମିଟିର ଅଂଶ ଯାହାକି ଏକକ ନିର୍ବାଚନ ଉପରେ ଜନମତ ପାଇଁ ଗଠନ କରାଯାଇଛି । 
ସୂଚନା ଅନୁସାରେ ଏହା ପୂର୍ବରୁ ବିଭିନ୍ନ ରାଜ୍ୟରେ ହୋଇଥିବା ଏଭଳି ବୈଠକରେ ଉପସ୍ଥିତ ମଧ୍ୟ ରହିଥିଲେ ସୁନୀଲ । ଏହି ବୈଠକ ଆଗାମୀ ନିର୍ବାଚନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଯେଉଁଥିରେ ଏକକ ନିର୍ବାଚନ ନୀତିକୁ ନେଇ ଦଳର ରୂପରେଖ ଏବଂ ପ୍ରଚାର ରଣନୀତି ଉପରେ ମଧ୍ୟ ଆଲୋଚନା ହେବ । ଏକକ ନିର୍ବାଚନ ଅର୍ଥ ହେଉଛି ଦେଶରେ ଏକାସଙ୍ଗେ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ହେବ । ଗତ ବର୍ଷ ଡିସେମ୍ବର ୧୨ ତାରିଖରେ ଏହି ବିଲକୁ ମୋଦି କ୍ୟାବିନେଟରେ ଅନୁମୋଦନ ମିଳିଥିଲା ।