ଆତ୍ମଜୀବନୀ ଲେଖିବେ କି ନବୀନ?

ନିକଟରେ ଦୁଇଟି ପୁସ୍ତକ ବେଶ୍ ଚର୍ଚ୍ଚାରେ ଥିଲେ। ଗୋଟିଏ- ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲିଖିତ ‘ନବୀନ ପଟ୍ଟନାୟକ’ ଓ ଅନ୍ୟଟି- ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ‘କମେଡି ଇନ୍ ଖାକି- ଦ ହ୍ୟୁମରସ୍ ମେମୋରିଜ୍ ଅଫ ଏ ପୁଲିସମ୍ୟାନ୍’। ‘ନବୀନ ପଟ୍ଟନାୟକ’ ପୁସ୍ତକଟି ପ୍ରଥମେ ୨୦୧୮ ମସିହାରେ ପ୍ରକାଶ ପାଇଥିଲା। ୨୦୨୪ ସାଧାରଣ ନିର୍ବାଚନ ପରେ ତା’ର ସଂଶୋଧିତ ସଂସ୍କରଣ ପ୍ରକାଶ ପାଇଲା ଗତ ଡିସେମ୍ବର ମାସରେ। ନବୀନଙ୍କ ଜୀବନୀ ଉପରେ ଲିଖିତ ଏହି ପୁସ୍ତକଟି ୬ ବର୍ଷ ତଳେ ଯେତିକି ଚର୍ଚ୍ଚାର ବିଷୟ ହୋଇନଥିଲା, ଏବେ ତା’ଠାରୁ ଢେର ଅଧିକ ହେଲା। ସେତେବେଳେ ବହିଟିକୁ ନେଇ କିଛି ବିବାଦ ହୋଇ ନଥିଲା। ବିଜେଡି ନେତାମାନେ ଏହାକୁ ବିରୋଧ କରି ନଥିଲେ। କିନ୍ତୁ ଏବେ କେତେ ଜଣ ନେତା ଏହାକୁ ବିରୋଧ କଲେ। ଲେଖକଙ୍କୁ ସମାଲୋଚନା କଲେ। ଏହା ପଛରେ ଯେଉଁ କାରଣଟି ଅଛି, ତାହା ସଂଶୋଧିତ ସଂସ୍କରଣରେ ଲେଖକ ଯୋଡ଼ିଥିବା ‘ପାଣ୍ଡିଆନ ପଜଲ’ ଶୀର୍ଷକ ଅଧ୍ୟାୟ ବୋଲି କୁହାଯାଉଛି। ଏହି ଅଧ୍ୟାୟଟି ପ୍ରଥମ ସଂସ୍କରଣରେ ନଥିଲା।
ସେହିପରି ପ୍ରକାଶ ମିଶ୍ରଙ୍କ ‘କମେଡି ଇନ୍ ଖାକି- ଦ ହ୍ୟୁମରସ୍ ମେମୋରିଜ୍ ଅଫ ଏ ପୁଲିସମ୍ୟାନ୍’ରେ କ’ଣ ଲେଖା ହୋଇଛି, ତାହା ବହିର ନାଁରୁ ମୋଟାମୋଟି ଜଣାପଡୁଛି। ତେବେ ସେଥିରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କ ସଂପର୍କରେ ଅନେକ ରୋଚକ ତଥ୍ୟ ଦେଇଛନ୍ତି। ୧୭୯ ପୃଷ୍ଠାର ଏହି ପୁସ୍ତକରେ ଥିବା ମୋଟ ୧୦ଟି ଅଧ୍ୟାୟରୁ ଗୋଟିଏ ହେଉଛି ‘ଦି ଅନକାନି ବସ୍’। ସେଥିରେ ଅତ୍ୟନ୍ତ ବ୍ୟଙ୍ଗାତ୍ମକ ଶୈଳୀରେ ନବୀନ ଓ ତାଙ୍କ କାର୍ଯ୍ୟଶୈଳୀକୁ କଟାକ୍ଷ କରିଛନ୍ତି ପ୍ରକାଶ ମିଶ୍ର। ତେବେ ଏହି ଦୁଇ ପୁସ୍ତକରେ ନବୀନଙ୍କ ସଂପର୍କରେ କ’ଣ ଲେଖାଯାଇଛି, ତାହା ଏହି ଲେଖାର ପ୍ରସଙ୍ଗ ନୁହେଁ। ଏହି ଲେଖାର ପ୍ରସଙ୍ଗ ହେଉଛି, ନବୀନ ପଟ୍ଟନାୟକ ତାଙ୍କ ଆତ୍ମଜୀବନୀ ଲେଖିବେ କି?
ଯିଏ ବି ଏହି ପ୍ରଶ୍ନ ପଚାରିବେ, ତାଙ୍କୁ ପାଲଟା ପ୍ରଶ୍ନ କରାଯାଇପାରେ ଯେ ତାହା ତାଙ୍କ ଇଚ୍ଛାଧୀନ ବ୍ୟାପାର। ନିଶ୍ଚିତ ଭାବେ ତାହା ତାଙ୍କ ଇଚ୍ଛାଧୀନ ବ୍ୟାପାର। ଏଥିପାଇଁ କେହି ତାଙ୍କୁ ବାଧ୍ୟ କରିପାରିବେ ନାହିଁ। କିନ୍ତୁ ଏହି ପ୍ରଶ୍ନ ବି ପଚରା ଯାଇପାରେ ଯେ ସେ କାହିଁକି ଲେଖିବେ ନାହିଁ? ଲେଖିଲେ ଅସୁବିଧା କ’ଣ? ନବୀନ ପଟ୍ଟନାୟକ ତାଙ୍କ ଆତ୍ମଜୀବନୀ ଲେଖିବା ଉଚିତ୍ ବୋଲି ଯୁକ୍ତି ବାଢ଼ିବା ବେଳେ ଯେଉଁ ଗୋଟିଏ ପ୍ରମୁଖ କାରଣ ପ୍ରଥମେ ସାମ୍ନାକୁ ଆସୁଛି, ତାହା ହେଉଛି- ସେ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାହା ପୁଣି ଲଗାତାର। ପୂର୍ବରୁ ରାଜ୍ୟରେ ଏତେ ବର୍ଷ ଧରି କେହି ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ପ୍ରାୟ ସାଢ଼େ ୧୩ ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ। ସେ ୧୯୮୦ରୁ ୧୯୮୯ ପର୍ଯ୍ୟନ୍ତ ଲଗାତାର ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତା’ପରେ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଅନ୍ୟପକ୍ଷରେ ନବୀନ ୨୪ ବର୍ଷ ୯୧ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା ରାଜନେତାଙ୍କ ତାଲିକାରେ ନବୀନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଆଗରେ ଅଛନ୍ତି ସିକ୍କିମର ପବନ କୁମାର ଚାମଲିଂ। ସେ ୨୪ ବର୍ଷ ୧୬୫ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ତେଣୁ ଏହା କ’ଣ ନବୀନଙ୍କର ଏକ ବଡ଼ ସଫଳତା ନୁହେଁ? ହଁ, ସେ ଜଣେ ସଫଳ ରାଜନେତା ନା ନୁହଁନ୍ତି, ସଫଳ ମୁଖ୍ୟମନ୍ତ୍ରୀ ନା ନୁହଁନ୍ତି, ତାହା ଭିନ୍ନ ଏକ ଆଲୋଚନା ଆବଶ୍ୟକ କରେ।
ଜୀବନର ୫୧ଟି ବସନ୍ତ ବିତିଯିବା ପରେ ବାପା ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ୧୯୯୭ରେ ରାଜନୀତିକୁ ଆସିବା ପରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ହୋଇଥିଲେ। ୨୦୦୦ରୁ ମୁଖ୍ୟମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ। ୨୦୨୪ ନିର୍ବାଚନରେ ତାଙ୍କ ଦଳ ପ୍ରଥମ ଥର ପାଇଁ ହାରିଲା ଓ ସେ ମଧ୍ୟ ପ୍ରଥମ ଥର ପାଇଁ ହାରିଲେ (ଗୋଟିଏ ଆସନରେ)। ଏବେ ସେ ବିରୋଧୀ ଦଳ ନେତା ଭାବେ ନୂଆ ଭୂମିକା ନିର୍ବାହ କରୁଛନ୍ତି। ତେଣୁ ରାଜନୀତିରେ ପ୍ରାୟ ତିନି ଦଶନ୍ଧି ଧରି ସକ୍ରିୟ ରହିଥିବା ନବୀନଙ୍କ ପାଖରେ ଲେଖିବାକୁ ଅନେକ କଥା ରହିଛି। ତା’ହେଲେ ସେହି ଅନୁଭୂତି ଓ ଅଭିଜ୍ଞତାକୁ ଲୋକଙ୍କ ସହିତ ବାଣ୍ଟିବାରେ ଅସୁବିଧା କେଉଁଠି? ସେ ତ ବାରମ୍ବାର କହିଆସୁଥିଲେ ଯେ ଓଡ଼ିଶାର ସାଢ଼େ ୪ କୋଟି ଲୋକ ତାଙ୍କ ପରିବାର। ତେଣୁ ସେମାନଙ୍କୁ ସେସବୁ କଥା ଜଣାଇଲେ ଅସୁବିଧା କ’ଣ? ତା’ଛଡ଼ା ବିଜେଡିର ଶାସନ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଥିଲା ବୋଲି ନିଜେ ନବୀନ ଓ ତାଙ୍କ ଦଳୀୟ ନେତାମାନେ ସର୍ବଦା କହିଆସିଛନ୍ତି। ସେଥିପାଇଁ ସେ ଦୃଷ୍ଟିରୁ ଲୁଚାଇବା ପାଇଁ ବି ତାଙ୍କ ପାଖରେ କିଛି ନଥିବ!
ଅନେକ ରାଜନେତା ତାଙ୍କ ଆତ୍ମଜୀବନୀ ଲେଖିଛନ୍ତି। ଉଦାହରଣ ସ୍ୱରୂପ ଦେଶର ଜଣେ ତୁଙ୍ଗ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ତାଙ୍କ ଆତ୍ମଜୀବନୀ ଲେଖିଛନ୍ତି, ଯାହାର ନାଁ ମାଇଁ କଣ୍ଟ୍ରୀ ମାଇଁ ଲାଇଫ। ହଜାରେରୁ ଅଧିକ ପୃଷ୍ଠା ଥିବା ଏହି ବହି ୧୦ ଲକ୍ଷ କପି ବିକ୍ରି ହୋଇଥିଲା ବୋଲି କୁହାଯାଏ। ତେଣୁ ନବୀନ ଆତ୍ମଜୀବନୀ ଲେଖିବାରେ ଅସୁବିଧା କେଉଁଠି? ଏମିତିରେ ସେ ଜଣେ ଲେଖକ। ରାଜନୀତିକୁ ଆସିବା ପୂର୍ବରୁ ସେ ଲେଖାଲେଖି କରୁଥିଲେ। ‘A Second Paradise: Indian Courtly Life, 1590-1947’, ‘A Desert Kingdom: The People of Bikaner’ ଓ ‘The Garden 0f Life:An Introduction to the Healing Plants of India’ ହେଉଛି ନୀବନଙ୍କ ଦ୍ୱାରା ଲିଖିତ ପୁସ୍ତକ। ଲେଖାଲେଖିରେ ତାଙ୍କ ଅନୁଭବ ଥିବାରୁ ଆତ୍ମଜୀବନୀ ଲେଖିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା। କୁହାଯାଇପାରେ ତାଙ୍କୁ ଅଧିକ ବୟସ ହୋଇଗଲେଣି। ସେ ନିଜେ ଲେଖି ପାରିବେ ନାହିଁ। ତା’ହେଲେ ଏଥିପାଇଁ ସେ ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ନେଇପାରିବ। ନବୀନ କହିବେ ଓ ସେହି ବ୍ୟକ୍ତି ଲେଖିବେ। ସେହିପରି ଏବେ ତ ନବୀନଙ୍କ ପାଖରେ ଯଥେଷ୍ଟ ସମୟ ମଧ୍ୟ ଅଛି।
ଯଦି କେବେ ନବୀନ ଇଚ୍ଛା ପ୍ରକାଶ କରନ୍ତି ତାଙ୍କ ଆତ୍ମଜୀବନୀ ଲେଖିବା ପାଇଁ, ତା’ହେଲେ କ’ଣ ଲେଖିବେ? ଉତ୍ତର ହେବ ସବୁ ଲେଖିବେ। ନିଜ ପିଲା ଦିନର କଥା, ସ୍କୁଲ ଓ କଲେଜର ସ୍ମୃତି, ସାଙ୍ଗମାନଙ୍କ କଥା, ପିଲା ବେଳର ସ୍ୱପ୍ନ, ଯୁବାବସ୍ଥାର ସ୍ୱପ୍ନ, ନିଜ ସହିତ ଘଟିଥିବା ବିଭିନ୍ନ ରୋଚକ କଥା ଇତ୍ୟାଦି ଇତ୍ୟାଦି। ବାପାଙ୍କ ମୃତ୍ୟୁ ପରେ ସେ କେମିତି ରାଜନୀତିକୁ ଆସିଲେ, ତାହା ପ୍ରାୟ ସମସ୍ତେ ଜାଣନ୍ତି। ତେବେ ସେ ରାଜନୀତିକୁ ଆସିବା ନେଇ ୨୭ ବର୍ଷ ତଳେ ଯେଉଁ ପ୍ରକ୍ରିୟା ଚାଲିଥିଲା, ସେତେବେଳେ ତାଙ୍କ ମୁଣ୍ଡରେ କ’ଣ ଚାଲିଥିଲା, ଇଚ୍ଛା ଥିଲା ନା ନାହିଁ, ବାଧ୍ୟବାଧକତାରେ ଆସିଥିଲେ କି, ଭଲ ନ ଲାଗିଲେ ଛାଡ଼ି ଦିଲ୍ଲୀ ଫେରିଯିବେ ବୋଲି ଭାବିଥିଲେ କି ନା ଏହା ଏକ ସୁଯୋଗ ବୋଲି ବିଚାର କରିଥିଲେ - ଏମିତି ତାଙ୍କ ମନରେ ଯାହା ଥିଲା, ତାହା ଲେଖିବେ। କେବେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭାବିଥିଲେ କି? ଏତେ ବର୍ଷ ଅପରାଜେୟ ରହିବେ ବୋଲି ଆଶା ଥିଲା କି? ପ୍ରତି ନିର୍ବାଚନ ଜିତିବା ପରେ ମନକୁ କ’ଣ ଭାବନା ଆସେ? ନିର୍ବାଚନ ପାଇଁ ନର୍ଭସ ହେଉଥିଲେ ନା ନାହିଁ? ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଅନୁଭୂତି କେମିତି ଥିଲା? ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ହାରିଯିବେ ବୋଲି ଆଶଙ୍କା କରିଥିଲେ କି? ନିଜେ ହାରିଯିବେ ବୋଲି ଆଶଙ୍କା କରିଥିଲେ କି? ପ୍ୟାରୀ ମୋହନ ମହାପାତ୍ରଙ୍କ ବହୁ ଚର୍ଚ୍ଚିତ ମିଡ୍ ନାଇଟ୍ ଅପରେସନ ତାଙ୍କୁ ବିଚଳିତ କରିଥିଲା କି? ଏସବୁ ସହିତ ନିଜ ସମୟର ରାଜନୀତିକ ସ୍ଥିତି, ବିପକ୍ଷ ଦଳଗୁଡ଼ିକ ସମ୍ପର୍କରେ ତାଙ୍କ ଧାରଣ ଆଦି ଅନେକ ବିଷୟରେ ସେ ଲେଖିପାରିବେ। ତେବେ ଯାହା ଲେଖିବେ ସତ ଲେଖିବେ। ଆଉ ଏସବୁ କଥା ମଧ୍ୟରେ ଅନେକ ପ୍ରସଙ୍ଗ ରହିଛି, ଯେଉଁଗୁଡ଼ିକ ବିଷୟରେ ସେ ନଲେଖିଲେ ତାଙ୍କ ଆତ୍ମଜୀବନୀ ଅସମ୍ପୂର୍ଣ୍ଣ ହୋଇଯିବ ତଥା ତା’ର ବିଶ୍ୱାସନୀୟତା ରହିନପାରେ।
ନବୀନ ପ୍ରାୟ ଅଢ଼େଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ରହିଲେ। କିନ୍ତୁ ଓଡ଼ିଆ ଭାଷା ଶିଖି ପାରିଲେ ନାହିଁ। ଇଂରାଜୀ ଅକ୍ଷରରେ ଲେଖା ଓଡ଼ିଆ ଭାଷଣ ସେ ପଢ଼ିଲେ। ଆମେ ଯାହା ଜାଣିଛନ୍ତି, ନବୀନ ଯେତେବେଳେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କୁ ଓଡ଼ିଆ ଭାଷା ଶିଖାଇବା ପାଇଁ ଜଣେ ଶିକ୍ଷକ ନିଯୁକ୍ତ ହୋଇଥିଲେ। କିନ୍ତୁ ନବୀନ କାଳେ ଆଗ୍ରହ ଦେଖାଇଲେ ନାହିଁ। ସେ ଶିକ୍ଷକ ଜଣଙ୍କ ବସି ବସି ନବୀନ ନିବାସରୁ ଫେରନ୍ତି। ପରବର୍ତ୍ତୀ ସମୟରେ ସେ ଆଉ ନବୀନ ନିବାସ ଗଲେ ନାହିଁ। ଏ ବିଷୟରେ ନବୀନଙ୍କୁ ଲେଖିବାକୁ ପଡ଼ିବ। ଯେଉଁ ରାଜ୍ୟକୁ ସେ ୨୪ ବର୍ଷ ଧରି ଶାସନ କଲେ, ତା’ର ଭାଷାକୁ କାହିଁକି ଶିଖିଲେ ନାହିଁ? ଅସୁବିଧା କେଉଁଠି ରହିଲା?
ଅନେକ ବଡ଼ ବଡ଼ ନେତାଙ୍କୁ ସେ ଦଳରୁ ବାହାରର ରାସ୍ତା ଦେଖାଇଛନ୍ତି ଅତି ଅପ୍ରୀତିକର ସ୍ଥିତିରେ। ଏଠାରେ ବିଜୟ ମହାପାତ୍ରଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ତାଙ୍କୁ କେମିତି ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରାଯାଇଥିଲା, ତାହା ସମସ୍ତେ ଜାଣନ୍ତି। ତା’ ପଛରେ ଅନେକ କାରଣ ବିଷୟରେ ଆଲୋଚନା ହୁଏ। ତେବେ ନବୀନ ତାଙ୍କ ଆତ୍ମଜୀବନୀରେ ଏହି ପ୍ରସଙ୍ଗକୁ ସ୍ଥାନିତ କରି ଏଭଳି ପଦକ୍ଷେପ ପଛର ପ୍ରକୃତ କାରଣ, ନିଜେ ଚିନ୍ତା କରି ସେମିତି କରିଥିଲେ ନା କେହି ପରାମର୍ଶ ଦେଇଥିଲେ, ସେ ବିଷୟରେ ଲେଖନ୍ତୁ। ସେହିପରି କୁହାଯାଏ, ନବୀନ ବହୁତ ପ୍ରତିଶୋଧପରାୟଣ। ଏହାର ଅନେକ ଉଦାହରଣ ମଧ୍ୟ ଦିଆଯାଏ। ସେ ବିଷୟରେ ବି ନବୀନ ଲେଖନ୍ତୁ। ଏହା ମଧ୍ୟ କୁହାଯାଏ, ନବୀନ ନିଜେ ଶାସନ କରନ୍ତି ନାହିଁ। ଗୋଟିଏ ସମୟରେ ଏଥିପାଇଁ ସେ ତାଙ୍କ ପରାମର୍ଶଦାତା ସ୍ୱର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କ ଉପରେ ନିର୍ଭର କରୁଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ଉପରେ ନିର୍ଭର କଲେ, ଯିଏ ପରବର୍ତ୍ତୀ ସମୟରେ ଆଇଏଏସ୍ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଓ ଗତବର୍ଷ ଦଳ ହାରିଯିବା ପରେ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଥିଲେ। ଏ ବିଷୟରେ ମଧ୍ୟ ନବୀନ ଲେଖନ୍ତୁ।
ବିଜେପି ସହିତ ମେଣ୍ଟ ଭାଙ୍ଗିବା ପ୍ରସଙ୍ଗ ହେଉ ଅବା ଚିଟଫଣ୍ଡ ଓ ଖଣି ଦୁର୍ନୀତି- ସବୁ ବିଷୟରେ ତାଙ୍କୁ ଲେଖିବାକୁ ପଡ଼ିବ। କୌଣସି ମନ୍ତ୍ରୀଙ୍କ ନାଁରେ ଦୁର୍ନୀତି ବା ଅନ୍ୟ କିଛି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିବା ନବୀନ ପରବର୍ତ୍ତୀ ସମୟରେ ତାଙ୍କ ମନ୍ତ୍ରୀମାନଙ୍କୁ କାହିଁକି ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ। ସେ ଏତେ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ସତ୍ତ୍ୱେ ରାଜ୍ୟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ନିଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ଉନ୍ନତିରେ ସନ୍ତୁଷ୍ଟ ହୋଇପାରିଛନ୍ତି କି? ନା ୨୪ ବର୍ଷରେ ଏହାଠାରୁ ଅଧିକ କିଛି ହୋଇପାରିଥା’ନ୍ତା? - ଏସବୁ ବିଷୟରେ ନିଜ ଆତ୍ମଜୀବନୀରେ ଲେଖନ୍ତୁ।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ସେ ଗଣତନ୍ତ୍ରକୁ ସବୁବେଳେ ଉଚିତ୍ ସମ୍ମାନ ଦେଇଥିଲେ କି? ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ଅପେକ୍ଷା ଅଫିସରଙ୍କ ଉପରେ ଅଧିକ ନିର୍ଭର କରିବା ଭୁଲ୍ ନଥିଲା କି? ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ମନ୍ତ୍ରୀମାନଙ୍କୁ ଉଚିତ ସମ୍ମାନ ଦେଉଥିଲେ କି? ବିଶେଷ କରି ଦଳରେ ଓ ସରକାରରେ ଭିକେ ପାଣ୍ଡିଆନଙ୍କ ଆଧିପତ୍ୟ ବ୍ୟାପକ ହେବା ପରେ ଏହାକୁ ନେଇ ଅନେକ କଥା ଆଲୋଚନା ହୋଇଛି। ନିଜ ମନ୍ତ୍ରିମଣ୍ଡଳରେ ଏତେ ଲୋକ ଥାଉ ଥାଉ ଜଣେ ଆଇଏଏସ୍ ଅଫିସର ହେଲିକପ୍ଟରରେ ବୁଲି ବୁଲି ଲୋକଙ୍କ ସମସ୍ୟା ବୁଝିବା କ’ଣ ଠିକ୍ ଥିଲା? ଏମିତି ଅନେକ କଥାକୁ ନବୀନଙ୍କୁ ତାଙ୍କ ଆତ୍ମଜୀବନୀରେ ଉଲ୍ଲେଖ କରିବାକୁ ପଡ଼ିବ, ଯେଉଁଗୁଡ଼ିକ ଅତି ବିବାଦୀୟ।