ପ୍ରାର୍ଥୀ ପରିବର୍ତ୍ତନକୁ ନେଇ ବଦଳିବ ସମୀକରଣ!
ମାଲକାନଗିରି: ମାଲକାନଗିରି ଜିଲ୍ଳା ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନମଣ୍ଡୀରେ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହେବାପରେ ରାଜନୀତି ସରଗରମ ହୋଇଛି । ବିଭିନ୍ନ ଦଳ ବର୍ତ୍ତମାନସୁଦ୍ଧା ୫ଜଣ ପ୍ରାର୍ଥୀ ଦେଇଛନ୍ତି । ସେଥିମଧ୍ୟରୁ ବିଜେଡିରୁ ଲକ୍ଷ୍ମୀପ୍ରିୟା ନାୟକ, ଭାଜପାରୁ ଡମ୍ବରୁ ଶିଶା, କଂଗ୍ରେସରୁ ମଙ୍ଗୁ ଖିଲ, ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ଏମ୍)ରୁ ରଘୁନାଥ ହନ୍ତାଳ, ଆମ୍ ଆଦମୀ ପାର୍ଟିରୁ ଶରତ ଚନ୍ଦ୍ର ବୁରୁଦାଙ୍କୁ ପାର୍ଟି ଟିକେଟ ଦେଇଛି । ପ୍ରମୁଖ ଦଳଗୁଡିକ ପ୍ରାର୍ଥୀ ପରିବର୍ତ୍ତନ କରିବାରୁ ସମୀକରଣ ବଦଳିବା ସମ୍ଭାବନା ରହିଛି । ଏମାନେ ନିଜ ନିଜ ଅଞ୍ଚଳର ଦେବଦେବୀଙ୍କ ପୀଠଙ୍କୁ ଯାଇ ପୂଜାର୍ଚ୍ଚନା କରି ପ୍ରଚାର ଚଳାଇଛନ୍ତି । ତେବେ ବିଜୁ ଜନତା ଦଳ ନିମନ୍ତେ ୫ଜଣ ଆଶାୟୀଙ୍କ ମଧ୍ୟରୁ କାହାକୁ ଟିକେଟ ମିଳିବ ସେଥିପାଇଁ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଲକ୍ଷ୍ମୀପ୍ରିୟାଙ୍କୁ ଟିକେଟ ମିଳିଥିଲା । ୨୦୧୯ରେ ଲକ୍ଷ୍ମୀପ୍ରିୟା କଂଗ୍ରେସରୁ ଟିକେଟ ପାଇ ନିଜ ଦାଦା ବିଜୁ ଜନତା ଦଳର ପୂର୍ଣ୍ଣଚନ୍ଦ୍ର ବାକାଙ୍କ ସହ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହୋଇଥିଲେ । ତେବେ ବାକା ମୋଟ ୪୧,୧୯୨ ଭୋଟ ପାଇଥିବା ବେଳେ ଝିଆରୀ ଲକ୍ଷ୍ମୀପ୍ରିୟା ୩୮,୬୪୭ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ୨୦୨୪ ନିର୍ବାଚନରେ ଲକ୍ଷ୍ମୀପ୍ରିୟା ନାୟକ କଂଗ୍ରେସ ତ୍ୟାଗକରି ବିଜେଡିରେ ଯୋଗଦେଇ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପାଇ ପ୍ରଚାର ଆରମ୍ଭ କରିଛନ୍ତି । ବିଜେଡିର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ୨୦୧୪ରେ ବିଧାୟକ ଡମ୍ବରୁ ଶିଶା ୨୦୧୪ରେ ବିଧାୟକ ଥିଲା ବେଳେ ୨୦୧୯ରେ ତାଙ୍କୁ ଟିକେଟ ଦିଆଯାଇନଥିଲା । ୨୦୨୪ରେ ବିଜେଡିରୁ ଟିକେଟ ପାଇବାକୁ ଆଶା ରଖିଥିଲେ ମଧ୍ୟ ନ ମିଳିବାରୁ ସେ ଭାଜପାରେ ଯୋଗଦେଇ ଟିକେଟ ହାସଲ କରିବାରେ ସମର୍ଥ ହୋଇଛନ୍ତି । ସେହିପରି କଂଗ୍ରେସର ବରିଷ୍ଠ ନେତା ଶରତ ବୁରୁଦା ଟିକେଟ ଆଶାୟୀ ଥିଲା ବେଳେ ମଙ୍ଗୁ ଖିଲଙ୍କୁ ଟିକେଟ ଦିଆଯାଇଥିବାରୁ ବୁରୁଦା ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଛାଡି ଆମ୍ ଅଦମୀ ପାର୍ଟିରେ ଯୋଗଦେଇ ଟିକେଟ୍ ପାଇଛନ୍ତି । ତେବେ ତିନୋଟି ପ୍ରମୁଙଖ ଦଳ ବ୍ୟତୀତ ଆମ୍ ଆଦ୍ମୀ ପାର୍ଟିର ବୁରୁଦା ଓ ସିପିଆଇ(ଏମ୍)ର ରଘୁନାଥ ହନ୍ତାଳ ଦଳୀୟ ଟିକେଟ ପାଇ ମଇଦାନକୁ ଓହ୍ଲାଇଥବା ବେଳେ ଆଗାମୀ ଦିନରେ ଏହି ନିର୍ବାଚନମଣ୍ଡଳୀରେ ଅନେକ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି ।