ମନ୍ତ୍ରୀ ପରିଷଦ ବୈଠକ : ଆରମ୍ଭ ହେବ ‘୩୬ ପାଇଁ ୩୬’

 ଭୁବନେଶ୍ୱର  : ୨୦୩୬ ସୁଦ୍ଧା ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମ ଚିହ୍ନଟ କରି ଏକ ରଣନୈତିକ ପଦକ୍ଷେପ ‘୩୬ ପାଇଁ ୩୬' ଆରମ୍ଭକରି ଓଡ଼ିଶାର ଅଭିବୃଦ୍ଧିର ପରିବର୍ତ୍ତନ ଯାତ୍ରାକୁ ତ୍ୱରାନ୍ୱିତ କରାଯିବ  । ସେହିପରି ଆଗାମୀ ୧୫ ଦିନ ମଧ୍ୟରେ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭' ଉପରେ ରାଜ୍ୟର ୪ଟି ସ୍ଥାନରେ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ କରାଯିବ  । ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦଙ୍କ ସପ୍ତମ ବୈଠକ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି  ।  ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଗଣ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅନ୍ୟ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ଓ ଶାସନ ସଚିବ ଏବଂ  ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ  ।
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେଯେ, ରାଜ୍ୟ ଗଠନର ଶତବାର୍ଷିକୀ ପାଳନ ଅବସରରେ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଉଚ୍ଚାଭିଳାଷୀ ସଂକଳ୍ପ ନେଇଛନ୍ତି  । ୨୦୪୭ ସୁଦ୍ଧା ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ସହାୟକ ହେବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ନୀତି ଆୟୋଗଙ୍କ ସହଯୋଗରେ ସରକାର ଅଗଷ୍ଟ ୨୦୨୪ ଠାରୁ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭' ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି  । ଅନ୍ତର୍ଭୁକ୍ତି , ସମୃଦ୍ଧି ଓ ସମ୍ପନ୍ନତା ଏହି ଭିଜନ ଦସ୍ତାବିଜର ଆଧାର  । ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଆମେରିକୀୟ ଡଲାର ମୂଲ୍ୟର ଜିଏସଡିପି ଲକ୍ଷ୍ୟ ହାସଲ କରିବା ଏବଂ ଭାରତର ଜିଡିପିର ୫% ଅଂଶଦାର ହେବା ପାଇଁ ଓଡିଶା ଏପର୍ଯ୍ୟନ୍ତ ହାସଲ କରିଥିବା ଅର୍ଥନୈତିକ ଅଭିବୃଦ୍ଧି ହାରକୁ ଅତିକ୍ରମ କରିବା ସହ ଏହାକୁ ଦ୍ରୁତତର କରିବା ଆବଶ୍ୟକ  । ସେ କହିଥିଲେ ଯେ  ଏହା  ଆମ ପାଇଁ ଏକ ଆହ୍ୱାନ ଓ ସୁଯୋଗ  । ସହଯୋଗୀ ପରିବେଶ, ସରକାରୀ-ବେସରକାରୀ ନିବେଶ, କାର୍ଯ୍ୟାନ୍ୱୟନ ଜନିତ ସହାୟତା ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସମନ୍ୱୟ ବ୍ୟବସ୍ଥା ସହ ଏହି ଲକ୍ଷ୍ୟ ହାସଲ ହୋଇପାରିବ  । ୨୦୩୬ ସୁଦ୍ଧା ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମ ଚିହ୍ନଟ କରି ଏକ ରଣନୈତିକ ପଦକ୍ଷେପ ‘୩୬ ପାଇଁ ୩୬' ଆରମ୍ଭକରି ଓଡ଼ିଶାର ଅଭିବୃଦ୍ଧିର ପରିବର୍ତ୍ତନ ଯାତ୍ରାକୁ ତ୍ୱରାନ୍ୱିତ କରାଯିବ  । ମନ୍ତ୍ରୀ ପରିଷଦଙ୍କ ସୁଚିନ୍ତିତ ପରାମର୍ଶ ଓ ମାର୍ଗଦର୍ଶନ ଦ୍ୱାରା ଚିଠାକୁ ଚୂଡାନ୍ତ ରୂପ ଦେବା ସମ୍ଭବ ହେବ  । ତଦନୁଯାୟୀ ସେଥିରେ ସ୍ଥାନିତ ଲକ୍ଷ୍ୟଗୁଡିକର ସଫଳ ରୂପାୟନ ପାଇଁ ଏକ କାର୍ଯ୍ୟାନ୍ୱୟନ ଖସଡା ପ୍ରସ୍ତୁତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ବୈଠକରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାର ହାସଲ କରିବାକୁ ରପ୍ତାନୀ ଭିତ୍ତିକ ଉତ୍ପାଦନର ଆବଶ୍ୟକତା ଓ ବିଭିନ୍ନ ନିୟମାବଳୀର ଅନୁପାଳନ ଓ ସରକାରୀ ନିୟନ୍ତ୍ରଣର ପ୍ରତିବନ୍ଧକ ହ୍ରାସ ସମ୍ବନ୍ଧରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସୂଚନା ପ୍ରଦାନ କରିଥିଲେ  । ତତ୍ପରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ୬ଟି ସଚିବ ସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସଦସ୍ୟମାନେ ଭିଜନ ଦସ୍ତାବିଜର ବିଭିନ୍ନ ଦିଗ ଓ ଲକ୍ଷ୍ୟ ସହ '୩୬ ପାଇଁ ୩୬' ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତାଗୁଡିକୁ ମିଳିତ ଭାବେ ଉପସ୍ଥାପନା କରିଥିଲେ  । 
 ମୁଖ୍ୟମନ୍ତ୍ରୀ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦେବାର ଆବଶ୍ୟକତା ସମ୍ବନ୍ଧରେ ଗୁରୁତ୍ୱାରୋପ  କରିବା ସହ  ରାସ୍ତା, ରେଳପଥ, ବନ୍ଦର ଓ ବିମାନ ଯୋଗାଯୋଗ ବ୍ୟବସ୍ଥା ର ସମ୍ପ୍ରସାରଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ ନିମନ୍ତେ ପରାମର୍ଶ ଦେଇଥିଲେ  । ଏହି ଆଲୋଚନାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସକ୍ରିୟ ଅଂଶଗ୍ରହଣ କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ  ।
ବୈଠକରେ ସ୍ଥିର ହୋଇଥିଲାଯେ, ଆଗାମୀ ୧୫ ଦିନ ମଧ୍ୟରେ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭' ଉପରେ ରାଜ୍ୟର ୪ଟି ସ୍ଥାନରେ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ କରାଯିବା ସହ  ବିଭିନ୍ନ ସ୍ତରରେ ଜନ ପ୍ରତିନିଧି, ଜନସାଧାରଣ, ନାଗରିକ ସମାଜ, ବୁଦ୍ଧିଜୀବୀଙ୍କ ସହିତ ବିଚାରବିମର୍ଶ କରାଯାଇ ଏହି ଭିଜନ ଦସ୍ତାବିଜକୁ ଚୂଡାନ୍ତ ରୂପରେଖ ପ୍ରଦାନ କରାଯିବ  ।