ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣରେ କ’ଣ କରିବେନି?

ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣରେ କ’ଣ କରିବେନି?

୨୦୨୫ର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ରବିବାର ହେବାକୁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ଏକ ବିରଳ ମୁହୂର୍ତ୍ତ, ଯେଉଁଥିରେ ଚନ୍ଦ୍ର ପୃଥିବୀର ଛାଇ ଦେଇ ଗତି କରିବ। ଭାରତୀୟ ସମୟ ଅନୁଯାୟୀ, ରବିବାର ରାତି ୯.୫୮ରୁ ଗ୍ରହଣ ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ୦୧.୨୬ରେ ଶେଷ ହେବ। ଚନ୍ଦ୍ରଗ୍ରହଣର ମୋଟ ଅବଧି ୩ ଘଣ୍ଟା ୨୮ ମିନିଟ୍‌ ରହିବ। ତେବେ ଚନ୍ଦ୍ରଗ୍ରହଣର ସର୍ବାଧିକ ପ୍ରଭାବ ରବିବାର ରାତି ୧୧.୦୧ରୁ ମଧ୍ୟରାତ୍ରି ୧୨.୨୨ ମଧ୍ୟରେ ରହିବ ଏବଂ ଗ୍ରହଣର ପିକ୍‌ ଟାଇମ୍‌ ରାତି ୧୧.୪୨ ରହିବ। ଅର୍ଥାତ୍‌ ଏହି ସମୟରେ ହିଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଚଳିତ ଥର ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ଭାରତରେ ଲୋକମାନଙ୍କୁ କୌଣସି ସ୍ବତନ୍ତ୍ର ଉପକରଣର ଆବଶ୍ୟକତା ପଡ଼ିବ ନାହିଁ। ଲୋକେ ଖାଲି ଆଖିରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣକୁ ଦେଖିପାରିବେ। ତେବେ ବାଇନାକୁଲାର କିମ୍ବା ଟେଲିସ୍କୋପର ବ୍ୟବହାରରେ ଏହି ଅଭିଜ୍ଞତା ଉତ୍କୃଷ୍ଟ ହେବ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଚନ୍ଦ୍ର ଗ୍ରହଣ ସମୟରେ ଅନେକ ପ୍ରକାରର ସତର୍କତା ଅବଲମ୍ବନ କରିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି। ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଧ୍ୟାହ୍ନ ୧୨.୫୭ରୁ ପାକତ୍ୟାଗ କରିବାକୁ ପଡ଼ିବ। ମଧ୍ୟାହ୍ନ ୧୨.୫୭ଠାରୁ ଚନ୍ଦ୍ର ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ଖାଦ୍ୟ ରାନ୍ଧିବା କିମ୍ବା ଖାଇବା ଉପରେ ନିଷେଧ ରହିବ। ଏହି ସମୟରେ ମନ୍ଦିରର ଦ୍ୱାର ମଧ୍ୟ ବନ୍ଦ ରହିବ। ସେହିପରି ଗର୍ଭବତୀ ମହିଳାଙ୍କ ସ୍ବତନ୍ତ୍ର ଯତ୍ନ ନିଆଯିବା ସହ ବିଭିନ୍ନ ନକାରତ୍ମକ ଚିନ୍ତାଧାରାରୁ ଦୂରେଇରହିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ନିୟମ ଅନୁଯାୟୀ ରୋଗୀ, ବୃଦ୍ଧ ଏବଂ ଶିଶୁଙ୍କ ଉପରେ ଉକ୍ତ ନିୟମ ଲାଗୁ ହେବନାହିଁ ବୋଲି ବରିଷ୍ଠ ଜ୍ୟୋତିର୍ବିଦ୍‌ମାନେ କହିଛନ୍ତି।

ଏହି ଚନ୍ଦ୍ର ଗ୍ରହଣ ଭାରତ ବ୍ୟତୀତ ୟୁରୋପ, ଏସିଆ, ପୂର୍ବ ଅଷ୍ଟ୍ରେଲିଆ, ଆଫ୍ରିକା, ନ୍ୟୁଜିଲାଣ୍ଡର କିଛି ଅଞ୍ଚଳରେ
ଆଜି ପୂର୍ଣ୍ଣ ମଧ୍ୟ ଦୃଶ୍ୟମାନ ହେବ। ତେବେ ଉତ୍ତର ଏବଂ ଦକ୍ଷିଣ ଆମେରିକାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବନାହିଁ। ଜ୍ୟୋତିର୍ବିଦ୍‌ଙ୍କ ଅନୁଯାୟୀ, ଚନ୍ଦ୍ରଗ୍ରହଣ ଯୋଗୁ ପଶ୍ଚିମ ଦେଶ ଏବଂ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକରେ ସମସ୍ୟା ବଢ଼ିପାରେ। ଏହାର ପ୍ରଭାବରେ ପ୍ରାକୃତିକ ବିପର୍ଯ୍ୟୟ, ବିମାନ ଦୁର୍ଘଟଣା, ଅଗ୍ନିକାଣ୍ଡ ଆଦି ବିପର୍ଯ୍ୟୟ ଆସିପାରେ। ଧାର୍ମିକ ଏବଂ ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିବାକୁ ପଡ଼ିବାରେ। ଜ୍ୟୋତିର୍ବିଦମାନଙ୍କ ଆକଳନ ଅନୁଯାୟୀ, ଚନ୍ଦ୍ରଗ୍ରହଣ ପ୍ରଭାବରେ ଭାରତର ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ବଢ଼ିବାରେ। ଭାରତ-ପାକ୍‌ ସୀମାରେ ଉତ୍ତେଜନା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା ରହିଥିବା ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି। ରବିବାର ପରେ ୨୦୨୬ ମାର୍ଚ୍ଚରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ।